କ୍ୟାବିନେଟ ସମ୍ପ୍ରସାରଣ ପୂର୍ବରୁ ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି, ୮ ରାଜ୍ୟରେ ନୂଆ ରାଜ୍ୟପାଳ
ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ବଡଧରଣ ଅଦଳବଦଳ ନେଇ ସଂକେତ ମିଳୁଛି । କ୍ୟାବିନେଟ ସମ୍ପ୍ରସାରଣ ପୂର୍ବରୁ ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି । ଏକାଧିକ ରାଜ୍ୟ ପାଇଁ ରାଜ୍ୟପାଳ ବଦଳିଥିବା ନେଇ ଘୋଷଣା ହୋଇଛି ।ରାଷ୍ଟ୍ରପତି ରାମନାଥ କୋବିନ୍ଦ ୮ ରାଜ୍ୟ ପାଇଁ ୮ ଜଣ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଇଛନ୍ତି।କେନ୍ଦ୍ରୀୟ ମନ୍ତ୍ରୀ ଥାବର ଚାନ୍ଦ ଗେହଲଟଙ୍କୁ କର୍ଣ୍ଣାଟକ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି । ଗେହଲଟ ଏବେ ମୋଦି ସରକାରରେ ସାମାଜିକ ନ୍ୟାୟ ମନ୍ତ୍ରୀ ଭାବେ କାର୍ୟ୍ୟ କରୁଥିଲେ।
ସେହିପରି ବନ୍ଦାରୁ ଦତ୍ତାତ୍ରେୟ ହରିୟାଣା ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇବେ । ଏବେ ହିମାଚଳ ପ୍ରଦେଶର ସେ ରାଜ୍ୟପାଳ ଅଛନ୍ତି । ଗୋଆର ରାଜ୍ୟପାଳ ଭାବେ ଦାୟିତ୍ୱ ପାଇଛନ୍ତି ପି. ଏସ. ଶ୍ରୀଧରନ ପିଲାଇ । ମିଜୋରାମ ଦାୟିତ୍ୱରେ ଥିବା ପିଲାଇଙ୍କୁ ଗୋଆ ଦାୟିତ୍ୱ ଦେଇଛନ୍ତି ରାଷ୍ଟ୍ରପତି । ଡକ୍ଟର ହରିବାବୁ କମ୍ଭାପନ୍ତିଙ୍କୁ ମିଜୋରାମ୍ ଓ ମଙ୍ଗୁଭାଇ ପଟେଲଙ୍କୁ ମଧ୍ୟପ୍ରଦେଶ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି । ଡକ୍ଟର ହରିବାବୁ ଆନ୍ଧ୍ରରାଜନୀତିରେ ବିଜେପିର ବଡ ଚେହେରା ହୋଇଥିବା ବେଳେ ରାଜ୍ୟ ସଭାପତି ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି । ସତ୍ୟଦେବ ନାରାୟଣ ଆର୍ଯ୍ୟଙ୍କୁ ତ୍ରିପୁରା ରାଜ୍ୟପାଳ ଦାୟିତ୍ୱ ମିଳିଛି । ସେ ଏବେ ହରିୟାଣାର ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଉଛନ୍ତି । ରମେଶ ବ୍ୟାସଙ୍କୁ ଝାଡଖଣ୍ଡ ରାଜ୍ୟପାଳ ଭାବେ ପଠାଇଛନ୍ତି ରାଷ୍ଟ୍ରପତି । ସେ ଏବେ ତ୍ରିପୁରା ରାଜ୍ୟପାଳ ଅଛନ୍ତି ।
ସେହିଭଳି ରାଜେନ୍ଦ୍ର ଭି. ଆରଲେକରଙ୍କୁ ହିମାଚଳ ପ୍ରଦେଶ ରାଜ୍ୟପାଳ ଦାୟିତ୍ୱ ମିଳିଛି । ସେ ଗୋଆ ବିଧାନସଭାର ବାଚସ୍ପତି ଭାବେ ଓ ମନ୍ତ୍ରୀମଣ୍ଡଳରେ ମଧ୍ୟ କର୍ତ୍ତବ୍ୟ ସମାପନ କରିଛନ୍ତି ।