କେବେ ତୁଟିବ ଅନୁଭବ-ବର୍ଷା କଳି?
କଟକ ଫ୍ୟାମିଲି କୋର୍ଟରେ ଆଜି ହାଜର ହୋଇଛନ୍ତି ସାଂସଦ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶନୀ । ମଧ୍ୟସ୍ଥତା କେନ୍ଦ୍ରରେ ଉଭୟ ଆଜି ହାଜର ହୋଇ ୧୫ ମିନିଟ ଧରି ରହିଥିଲେ । ଉଭୟଙ୍କୁ ସାମନା ସାମନି ବସାଇ ବୁଝାମଣା ପାଇଁ ଉଦ୍ୟମ କରାଯାଇଛି । ଆଗରୁ ଅନୁଭବ ୩ ଥର ଫ୍ୟାମିଲ କୋର୍ଟରେ ହାଜର ହୋଇଛନ୍ତି, କିନ୍ତୁ କୌଣସି ଅସୁବିଧା କାରଣରୁ ବର୍ଷା ଆସି ପାରିନଥିଲେ । ପ୍ରଥମ ଥର ପାଇଁ ବର୍ଷା ଆଜି କୋର୍ଟରେ ହାଜର ହୋଇଛନ୍ତି ।୧୪ ତାରିଖରେ ପୁଣି ହାଜର ପାଇଁ ଉଭୟଙ୍କୁ ନିର୍ଦ୍ଦେଶ ରହିଛି ।
ଗତକାଲି ପୁରୀ ଘାଟ ଥାନାରେ ବର୍ଷାଙ୍କ ବିରୋଧରେ ଷଡଯନ୍ତ୍ର ଅଭିଯୋଗ ଆଣିଥିଲେ ସାଂସଦ ଅନୁଭବ ମହାନ୍ତି । ଅନୁଭବ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ଯେ, ତାଙ୍କ ପ୍ରତି ଓ ତାଙ୍କ ପରିବାର ପ୍ରତି ବିପଦ ରହିଛି । କିଛି ଦିନ ହେଲା ତାଙ୍କ ଘର ପାଖରେ କିଛି ଅଜଣା ଲୋକଙ୍କୁ ବୁଲୁଥିବା ଦେଖିବାକୁ ପାଉଛନ୍ତି । ହେଲମେଟ ପିନ୍ଧି ଅଜଣା ଲୋକ ଘର ପାଖରେ ବୁଲୁଥିବା ସେ ସିସିଟିଭିରୁ ଦେଖିଛନ୍ତି । ଏପରିକି ବିପଦ ଥିବାର ଆଶଙ୍କା କରି ଭଏସ ରେକର୍ଡ ସିସିଟିଭି ଲଗାଯାଇଛି । ବର୍ଷା ରହୁଥିବା ତାଙ୍କ ବାପାଙ୍କ ଘରକୁ ଅଜଣା ଲୋକ ପ୍ରବେଶ କରୁଛନ୍ତି । ସେମାନଙ୍କୁ ସେ ଚିହ୍ନି ନ ଥିବା ଅଭିଯୋଗପତ୍ରରେ ଦର୍ଶାଇଛନ୍ତି। ଏପରିକି ସିସିଟିଭିରୁ ଦେଖିଥିବା ଫୁଟେଜକୁ ଆଧାର କରି ଅନୁଭବ କହିଛନ୍ତି, ତାଙ୍କ ଘରର ଅନେକ ନକଲି ଚାବି ପ୍ରସ୍ତୁତ ହୋଇଛି । ଯାହା ଫଳରେ ତାଙ୍କ ଘରୁ ବହୁ ମୂଲ୍ୟବାନ ଜିନିଷ ଚୋରି ହୋଇପାରେ ବୋଲି ସେ ଅଭିଯୋଗ କରିଛନ୍ତି । ଏହାସହିତ ବର୍ଷା ତାଙ୍କ ଘର ଭାଙ୍ଗିବାକୁ ମଧ୍ୟ ଚେଷ୍ଟା କରୁଥିବା ସେ ନିଜର ଅଭିଯୋଗରେ ଦର୍ଶାଇଛନ୍ତି ।