THE BYAPINI

ବିଜେଡିର ଦ୍ୱନ୍ଦ୍ୱ ସରିଲାନି !

Get real time updates directly on you device, subscribe now.

ଚାଷୀ ଭାରତ ବନ୍ଦର ଡାକରା ଦେଲେ । ୧୮ଟି ରାଜନୈତିକ ଦଳ ସମର୍ଥନ ଜଣାଇଲେ । ଜାତୀୟ ସ୍ତରରେ ଏହାର କିଭଳି ପ୍ରଭାବ ରହିବ ସେଥିପାଇଁ ଚର୍ଚ୍ଚା ଆଲୋଚନା ଚାଲିଲା । ବନ୍ଦକୁ ସଫଳ କରି ଚାଷୀଙ୍କ ସପକ୍ଷର ବାହାରିବାକୁ ସମସ୍ତେ ଏକାଠି ହେଲେ । ରାଜ୍ୟରେ ମଧ୍ୟ କଂଗ୍ରେସ ସମେତ ଅନ୍ୟ ରାଜନୈତିକ ଦଳ ବନ୍ଦକୁ ଖୋଲାଖୋଲି ସମର୍ଥନ ଜଣାଇଲେ । ହେଲେ ରାଜ୍ୟରେ କ୍ଷମତାସୀନ ବିଜୁ ଜନତା ଦଳକୁ ଏହାର ଆଭିମୁଖ୍ୟ ଜଣାଇବାକୁ ବା ନିଷ୍ପତ୍ତି ନେବାକୁ ବିଳମ୍ବିତ ସନ୍ଧ୍ୟା ହୋଇଗଲା । ବହୁ ଆଡୁ ଚିନ୍ତାକରି ଶେଷରେ ଗଳାବାଟ ବାହାର କଲା ବିଜେଡି । ଯେଉଁ ନିଷ୍ପତ୍ତି ନେଲା ତାହା ନା ଚାଷୀ ବିରୋଧୀ ନା କେନ୍ଦ୍ର ସରକାର ବିରୋଧୀ । ଅର୍ଥାତ୍ ସମଦୂରତାର ପଲିସିରେ ଏହା ସଂପୂର୍ଣ୍ଣ ରୂପେ ଫିଟ୍ ରହିଲା ।

ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ବିଜେଡି ନିଷ୍ପତ୍ତି ଉପରେ କାହିଁକି ସମସସ୍ତଙ୍କ ନଜର ଥିଲା? ସଂସଦର ଉଭୟ ଗୃହରେ କୃଷି ବିଲରେ ସଂଶୋଧନ ଆଣିବାକୁ ତଥା ଏହା ଉପରେ ଅଧିକ ତର୍ଜମା କରିବା ପାଇଁ ବିଲଟିକୁ ସିଲେକ୍ଟ କମିଟି ପଠାଇବାକୁ ଦଳ ଦାବି କରିଥିଲା । ହେଲେ ଏହି ପ୍ରସ୍ତାବ କାଟ ଖାଇଥିଲା ଏବଂ ସଂସଦର ଉଭୟ ଗୃହରେ ବିଲଟି ପାରିତ ହୋଇଥିଲା । ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱିତୀୟ ପାଳିରେ ସମ୍ଭବତଃ ପ୍ରଥମ ଥର ପାଇଁ କେନ୍ଦ୍ରର କୈାଣସି ନିଷ୍ପତ୍ତି ବିରୁଦ୍ଧରେ ନବୀନ ସରକାର ଯାଇଥିଲା, କାରଣ ଏହି ସମୟ ବେଳକୁ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ରଙ୍କ ଘରେ ସିବିଆଇ ରେଡ୍ ହୋଇଥିଲା । ତେଣୂ କେନ୍ଦ୍ର ଓ ରାଜ୍ୟଙ୍କ ସଂପର୍କ ନରମରୁ ଗରମ ହୋଇଥିଲା ।

ଏହାରି ଭିତରେ ଚାଷୀ ଆଇନକୁ ନେଇ ଯେତେବେଳେ ଚାଷୀ ଆନ୍ଦୋଳନକୁ ଓହ୍ଲାଇଲେ ସେତେବେଳେ ଲାଗୁଥିଲା ଚାଷୀ ଆନ୍ଦୋଳନ ପଛରେ ବିଜେଡି ଠିଆହେବ । ହେଲେ ସଭଳି କିଛି ଦେଖିବାକୁ ମିଳିଲା ନାହିଁ । ବିଜେଡିର ଜାତୀୟ ମୁଖପାତ୍ର ସସ୍ମିତ ପାତ୍ର ଦେଇଥିବା ପ୍ରେସ ରିଲିଜରେ କୁହାଗଲା, ଚାଷୀଙ୍କ ସମସ୍ତ ସମସ୍ୟାର ସମାଧାନ ହେବା ସହ ସେମାନଙ୍କ ମନରେ ଉଠୁଥିବା ଦ୍ୱନ୍ଦ୍ୱକୁ ଦୂର କରିବାର ଆବଶ୍ୟକତା ରହିଛି । ବିଜେଡି ବିଶ୍ୱାସ କରୁଛି ଆଲୋଚନା ମାଧ୍ୟମରେ ସମାଧାନର ସୁତ୍ର ବାହାରିବ । ଡିସେମ୍ବର ୯ରେ ହେବାକୁ ଥିବା ପରବର୍ତ୍ତୀ ଆଲୋଚନା ଉପରେ ଆମର ନଜର ରହିଛି । ବିଜୁ ଜନତା ଦଳ ସର୍ବଦା ସର୍ବନିମ୍ନ ସହାୟକ ମୁଲ୍ୟକୁ ଦୁଇଗୁଣା କରିବାକୁ ଦାବି କରି ଆସିଛି । ଏଦିଗରେ ଦଳର ଲଢେଇ ଜାରି ରହିବ ଆଉଦଳ ସର୍ବଦା ଚାଷୀଙ୍କ ସହ ରହିଛି ।

ଏହି କେଇ ପଦ କଥାରୁ ଆପଣ ବେଶ ଭଲ ଭାବେ ଜାଣିପାରୁଥିବେ ଉଭୟ ଚାଷୀ ଆଉ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଯିବାକୁ ବିଜେଡି ଚିନ୍ତା କଲାନାହିଁ । ଠିକ ଯେମିତି ବିଜେପି ନେତା ସନି ଦେଓଲ କହିଲେ ସେ ଉଭୟ ଚାଷୀ ଓ କେନ୍ଦ୍ର ସରକାର ସହ ଅଛନ୍ତି, ଏହା ଠିକ ସେମିତି ଏକ ପ୍ରତିକ୍ରିୟା ଭଳି ଲାଗିଲା । ପ୍ରଶ୍ନ ଉଠୁଛି, ଯଦି ବିଲକୁ ବିଜେଡି ବିରୋଧ କରୁଥିଲା ତେବେ ଚାଷୀଙ୍କ ଆନ୍ଦୋଳନ ସହ ରହିବାରେ ଅସୁବିଧା କଣ? ଚାଷୀଙ୍କ ସହ ରହିଲେ ବିଜେଡି ମୋଦି ସରକାରଙ୍କ ବିରୁଦ୍ଧରେ ଯାଉଛି ବୋଲି ବାର୍ତ୍ତା ଯିବାର ଥିବାରୁ ବିଜେଡିଏଭଳି ନିଷ୍ପତ୍ତିରୁ ପଛରେ ରହିବାକୁ ଚିନ୍ତା କଲା କି?

ଏହାକୁ ବିଜେଡିର ଦ୍ୱନ୍ଦ୍ୱ ଭାବରେ ଦେଖାଯାଇପାରେ । ଗୋଟିଏ ପଟେ ଚାଷୀ, ଯାହାଙ୍କ ସମର୍ଥନ ଶାସକ ଦଳକୁ ନିଜର ସ୍ଥିତି ମଜଭୁତ କରିବାକୁ ଆବଶ୍ୟକ । ଅନ୍ୟପଟେ କେନ୍ଦ୍ର ସରକାର ଯାହା ବିରୁଦ୍ଧରେ ଯିବାକୁ ଶାସକ ବିଜୁ ଜନତା ଦଳ ପ୍ରାୟତଃ ଚିନ୍ତା କରେନାହିଁ । ତେଣୁ ଭାରତ ବନ୍ଦ ପରିପ୍ରେକ୍ଷୀରେ ନିଆଯାଇଥିବା ନିଷ୍ପତ୍ତିରେ ତାହା ହିଁ ପ୍ରତିଫଳିତ ହେଲା । ନିର୍ବାଚନ ପୂର୍ବରୁ ଦିଲ୍ଲୀରେ କୃଷକ ଅଧିକାର ସମାବେଶ କରିବାକୁ ସାହାସ କରିଥିବା ବିଜୁ ଜନତା ଦଳ ଏବେ ସେହି ଚାଷୀ ପ୍ରସଙ୍ଗରେ କାହିଁକି ପଛଘୁଂଚା ଦେଉଛନ୍ତି ତାକୁ ନେଇ ଆରମ୍ଭ ହୋଇଛି ତର୍ଜମା ।

Get real time updates directly on you device, subscribe now.

Leave A Reply

Your email address will not be published.