THE BYAPINI

ବିରୋଧୀଙ୍କ ଭୋଟ ସର୍ବସ୍ୱ ରାଜନୀତି : ସମୀର ମହାନ୍ତି

Get real time updates directly on you device, subscribe now.

ଚାଷୀ ବିରୋଧ କରୁଛନ୍ତି, ବିଜେପି ଅକଳରେ ପଡିଛି । ସଂଗଠିତ ଚାଷୀ ସଂଗଠନର ଦିଲ୍ଲୀ ଘେରାଉ ମୋଦି ସରକାରଙ୍କୁ ମଧ୍ୟ ଚାପଗ୍ରସ୍ତ କରିଛି । ଦଳୀ ମୁଖପାତ୍ର, କେନ୍ଦ୍ରମନ୍ତ୍ରୀଙ୍କ ଠାରୁ ରାଜ୍ୟ ସ୍ତରରେ ନେତା ସମସ୍ତେ ଚେଷ୍ଟା ଚଳାଇଛନ୍ତି ଯଥାସମ୍ଭବ ବୁଝାଇବାକୁ, ଚାଷୀ ଆଇନ କେବେ ମଧ୍ୟ ଚାଷୀ ବିରୋଧୀ ନୁହେଁ । ହେଲେ ଏହା ଚାଷୀଙ୍କ ମନରେ ବିଶ୍ୱାସ ଜନ୍ମାଇ ପାରୁନାହିଁ । ଆଉ ଏବେ ଆନ୍ଦୋଳନକୁ ସମର୍ଥନ ଦେଉଥିବା ରାଜନୈତିକ ଦଳ ଭୋଟ ସର୍ବସ୍ୱ ରାଜନୀତି କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ।

ଏକ ସାମ୍ବାଦିକ ସମ୍ମିଳନୀରେ ସମୀର ମହାନ୍ତି କହିଛନ୍ତି, ଏହି କୃଷି ଆଇନରେ ଦଲାଲ ମାନେ କ୍ଷତିଗ୍ରସ୍ତ ହେଉଛନ୍ତି, ତେଣୁ ଦଲାଲ ପ୍ରାୟୋଜିତ ବିରୋଧ ହେଉଛି । ଖୋଲା ବଜାରରେ ଚାଷୀ ତାର ଉତ୍ପାଦ ବିକିପାରିବ, ସର୍ବନିମ୍ନ ସହାୟକ ମୂଲ୍ୟ ନୁହେଁ ବରଂ ସର୍ବାଧିକ ମୂଲ୍ୟ ପାଇପାରିବ । କେବଳ ମୋଦିଙ୍କୁ ବିରୋଧ କରିବା ପାଇଁ ଏହି ବିଲକୁ ବିରୋଧ କରାଯାଉଛି । ସ୍ବାଧୀନତାର ସାତ ଦଶନ୍ଧି ଧରି ଚାଷୀଙ୍କ ପାଇଁ ଯାହା ହୋଇପାରିନଥିଲା ତାହା ମୋଦି ସରକାରର ଛ ବର୍ଷ ଶାସନକାଳ ଭିତରେ ହୋଇଛି ।

ରାଜ୍ୟରେ ରାଜ୍ୟ ସରକାରଙ୍କ ଅବ୍ୟବସ୍ଥିତ ପ୍ରକ୍ରିୟା ଯୋଗୁ ଚାଷୀ ହଇରାଣ ହେଉଛନ୍ତି । ନିଜ ରାଜନୈତିକ ସ୍ଥିତି ରକ୍ଷା କରିବା ପାଇଁ ସାତ ଦଶନ୍ଧି ଧରି ଶୋଇଥିବା ଦଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଓଡିଶା ଚାଷୀ ଏହି ଆଇନ ଦ୍ୱାରା ସବୁଠାରୁ ବେଶୀ ଉପକୃତ ହେବେ । ନିଜ ଅପାରଗତା ଲୁଚେଇବାକୁ, ଭୋଟ ସର୍ବସ୍ବ ରାଜନୀତି କରିବାକୁ ଏଠି କିଛି ବନ୍ଧୁ ଏହାକୁ ବିରୋଧ କରୁଛନ୍ତି । ଓଡ଼ିଶାର ୩୫୦୦ ମଣ୍ଡିରେ ପହଞ୍ଚିବେ ବିଜେପି କର୍ମୀ ଓ ଚାଷୀଙ୍କୁ ଉତ୍ପାଦ ବିକ୍ରି କରିବାରେ ସହାୟତା ଦେବେ

ବଡ କଥା ହେଉଛି ରାଜ୍ୟ ସରକାରଙ୍କୁ ମଧ୍ୟ ଏହି ଅବସରରେ ସମାଲୋଚନା କରିବାକୁ ପଛଘୁଂଚା ଦେଇନାହାନ୍ତି ରାଜ୍ୟ ବିଜେପି ସଭାପତି । ଏହା ବଦଳୁଥିବା ସମୀକରଣକୁ ଦର୍ଶାଉଛି ନା ରାଜ୍ୟ ନେତୃତ୍ୱ ଏବଂ କେନ୍ଦ୍ର ନେତୃତ୍ୱ ମଧ୍ୟରେ ଭିନ୍ନ ଭିନ୍ନ ରଣନୀତି ରହିଛି, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.