ଦିଲ୍ଲୀରେ ମୋଦୀ-ମମତା ଭେଟଘାଟ
ଦିଲ୍ଲୀରେ ମମତା-ମୋଦୀ ଭେଟଘାଟ । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ଦିଲ୍ଲୀରେ ମୋଦୀଙ୍କ ସହ ମମତାଙ୍କର ଏହା ପ୍ରଥମ ବୈଠକ ।
ମୋଦିଙ୍କୁ ଭେଟିସାରିବା ପରେ ମମତା କହିଛନ୍ତି ଯେ, ତୃତୀୟ ଥର ସରକାର ଗଠନ କରିବା ପରେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ୍ କରିବା ଲାଗି ସମୟ ମାଗିଥିଲି। ତେବେ ମୋଦି ଜୀ ସମୟ ମଧ୍ୟ ଦେଇଥିଲେ। ଏହି ସାକ୍ଷାତ୍ କୌଣସି ବ୍ୟକ୍ତିଗତ ନୁହେଁ ବରଂ ପୂରା ସରକାରୀ ଭାବରେ ରହିଥିଲା ବୋଲି ମମତା କହିଛନ୍ତି ।
ପଶ୍ଚିମବଙ୍ଗକୁ ଅଧିକ ମାତ୍ରାରେ ଟୀକା ଯୋଗାଇବାକୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ମମତା । ଜନସଂଖ୍ୟା ଅଧାରରେ ପଶ୍ଚିମବଙ୍ଗକୁ କମ ଟୀକା ମିଳୁଥିବା କହିଥିଲେ ମମତା । ଆଉ ଏହାର ଉତ୍ତରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ନିଶ୍ଚୟ ଦେଖିବି । ପ୍ରଧାନମନ୍ତ୍ରୀଙ୍କ ସହ ଏହି ମାରାଥନ ବୈଠକରେ ରାଜ୍ୟର ନାମ ବଦଳାଇବା ପ୍ରସଙ୍ଗରେ ମଧ୍ୟ ଚର୍ଚ୍ଚା ହୋଇଥିବା କହିଛନ୍ତି ମମତା ।
ଦିଲ୍ଲୀ ଗସ୍ତ ଯାଇଥିବା ମମତା କଂଗ୍ରେସ ନେତା କମଲନାଥ ଓ ଆନନ୍ଦ ଶର୍ମାଙ୍କୁ ଭେଟିଛନ୍ତି । ଆଉ ଏହା ବିରୋଧୀଙ୍କୁ ଏକାଠି କରିବାର ପ୍ରଥମ ପ୍ରୟାସ ବୋଲି କୁହାଯାଉଛି । ତେବେ କମଳନାଥ କହିଛନ୍ତି, ପଶ୍ଚିମବଙ୍ଗ ନିର୍ବାଚନରେ ମମତାଙ୍କ ବିଜୟ ପାଇଁ କେବଳ ଶୁଭେଚ୍ଛା ଜଣାଇବାକୁ ଭେଟିଥିଲୁ । କୌଣସି ଆଗାମୀ ଋଣନୀତି ବାବଦରେ ଆଲୋଚନା ହୋଇନାହିଁ । ଦେଶର ରାଜନୈତିକ ସ୍ଥିତି ଓ ଦରଦାମ ବୃଦ୍ଧି ପ୍ରସଙ୍ଗରେ ଆଲୋଚନା ହୋଇଥିବା ନେଇ କହିଛନ୍ତି କମଲନାଥ । ଏହାଛଡା ଆସନ୍ତାକାଲି ମମତା କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବାସଭବନରେ ଭେଟ କରିବାର କାର୍ୟ୍ୟକ୍ରମ ରହିଛି । ଆଉ ଏହି ଭେଟଘାଟ ଉପରେ ଉଭୟ ବିରୋଧୀ ଓ ବିଜେପିର ନଜର ରହିଛି । କାରଣ ଏହି ବୈଠକ ପରେ ଜାତୀୟ ରାଜନୀତିରେ ଏକ ବଡ ଧରଣର ହଲଚଲ ଦେଖିବାକୁ ମିଳିପାରେ ।