ବୁମେରାଂ ହେବନି ତ ଶ୍ରେୟ ରାଜନୀତି!
ଭାରତୀୟ ହକିକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଗୋଟିଏ ପଟେ ଭାରତୀୟ ପୁରୁଷ ହକି ଦଳ ଦୀର୍ଘ ୪୧ ବର୍ଷ ପରେ ଅଲମ୍ପିକ୍ସ ପୋଡିୟମ ଫିନିସ କରିବା ଓ ଅନ୍ୟପଟେ ମହିଳା ହକି ଦଳ ମଧ୍ୟ ପଦକ ଜିତିନଥିଲେ ମଧ୍ୟ ଦମଦାର ପ୍ରଦର୍ଶନ କରି ଭାରତୀୟଙ୍କ ମନ ଜିଣିଛନ୍ତି । ଏସବୁ ଭିତରେ ଟ୍ୱିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦୀ ଦିବଙ୍ଗତ ଭାରତୀୟ ହକି ଖେଳାଳୀ ମେଜର ଧ୍ୟାନଚାନ୍ଦଙ୍କ ନାଁରେ ଖେଳରତ୍ନ ପୁରୁସ୍କାର ଘୋଷଣା ଏହି ଖୁସିକୁ ଦ୍ୱିଗୁଣିତ କରିଛି । ଭାରତୀୟ ହକିର ଯାଦୁଗର ଧ୍ୟାନଚାନ୍ଦଙ୍କୁ ଏହା ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି କୁହାଯାଉଛି । କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏଭଳି ଘୋଷଣାକୁ ନେଇ ସୋସିଆଲ ମିଡ଼ିଆରେ ଏକ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି । ଶ୍ରେୟ ରାଜନୀତିରେ କାଳେ ମୋଦୀ ପଛରେ ପଡିଯିବେ ସେଥିପାଇଁ ଏଭଳି ଘୋଷଣା କରାଯାଇଥିବା କୁହାଯାଉଛି । ଆଉ ଏହା ପଛରେ ମଧ୍ୟ ଏକ ବଡ କାରଣ ରହିଥିବା ନେଇ ଖଟିରେ ଟୁପୁରୁଟାପୁରୁ ହେଉଛନ୍ତି ।
ଭାରତୀୟ ହକିର ନୂଆ ଅଧ୍ୟାୟ ଆରମ୍ଭ ହୋଇଥିବା ବେଳେ ଏଥିପାଇଁ ପୂରା ଦେଶ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ପ୍ରଂଶସା କରୁଛି । କାରଣ ଭାରତରେ ହକିକୁ ନୂଆ ଜନ୍ମ ଦେଇଛନ୍ତି ନବୀନ । ଗତ କିଛି ବର୍ଷ ତଳେ ଯେତେବେଳେ ହକି ହତାଦାର ଅବସ୍ଥାରେ ପଡି ରହିଥିଲା ସେତେବେଳେ ଭରସାର ହାତ ବଢାଇଥିଲେ ନବୀନ । କ୍ରିକେଟ ପାଗଳ ଦେଶରେ ହକି ପାଇଁ ଏକ ବଡ ପ୍ଲାଟଫର୍ମ ସୃଷ୍ଟି କରିଥିଲା ଓଡ଼ିଶା । ହକି ଦଳର ପ୍ରାୟୋଜକ ହେବା ସହ ଏହାକୁ ଦେଶର ପ୍ରତିଟି ଲୋକଙ୍କ ପାଖରେ ପହଞ୍ଚାଇବାକୁ ନବୀନ ଯଥାସାଧ୍ୟ ଉଦ୍ୟମ କରିଥିଲେ । ହକି ବିଶ୍ୱକପ ଠାରୁ ଆରମ୍ଭ କରି ବଡ ବଡ ଅନ୍ତର୍ଜାତୀୟ ହକି ଟୁର୍ଣ୍ଣାମେଣ୍ଟକୁ ଓଡ଼ିଶାରେ ଆୟୋଜନ କରି ହକି ପାଇଁ ଦେଶରେ ଏକ ବଡ ଧରଣର ଫ୍ୟାନବେସ୍ ତିଆରି କରିଥିଲେ ନବୀନ । ଆଉ ଏହା ଦେଶରେ ହକିକୁ ବେଶ ଲୋକପ୍ରିୟ କରିପାରିଥିଲା । ହକି ଟିମକୁ ସବୁ ପ୍ରକାର ସହଯୋଗ ସହ ଖେଳାଳୀଙ୍କ ମନରେ ଜୋଶ ଭରିବା ପର୍ୟ୍ୟନ୍ତ କୌଣସି କ୍ଷେତ୍ରରେ କାର୍ପଣ୍ୟତା ଦେଖାଇନଥିଲେ ନବୀନ । ଆଉ ଏଭଳି ବିଶ୍ୱାସ ଓ ଭରସା ବୋଧହୁଏ ପୂର୍ବରୁ କୌଣସି ନେତାଙ୍କ ପାଖରୁ ପାଇନଥିଲା ଭାରତୀୟ ହକି ଦଳ । ଭାରତୀୟ ହକିକୁ ଏକ ନୂଆ ପରିଚୟ ସହ ସଙ୍କଟ ସମୟରେ ସାଥ୍ ଦେଇଥିବାରୁ ଏବେ ନବୀନଙ୍କୁ ଅଲମ୍ପିକ୍ସରେ ଭାରତୀୟ ହକି ଦଳର ବିଜୟ ପଛର ବଡ ନାୟକ ବୋଲି ଦେଶ କହୁଛି । କେବଳ ଦେଶ ନୁହେଁ ଭାରତୀୟ ହକି ଦଳର ଅଧିନାୟକ ମନପ୍ରୀତ ସିଂ ମଧ୍ୟ ଏହି ସଫଳତାର ଶ୍ରେୟ ନବୀନଙ୍କୁ ଦେବା ପରେ ପୂରା ଦେଶରେ ହକି ପ୍ରତି ନବୀନଙ୍କ ଅବଦାନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଆଉ ଭାରତୀୟ ଦଳର ଏହି ଐତିହାସିକ ସଫଳତା ପଛର ସାଇଲେଣ୍ଟ ହିରୋ ସାଜିଛନ୍ତି ନବୀନ ।
ଭାରତୀୟ ଦଳର ସଫଳତା ଓ ଏହା ପଛର ଶ୍ରେୟ ନବୀନଙ୍କୁ ଯିବା ପରେ ପୂରା ଦେଶ ଓଡ଼ିଶା ଫର୍ମୁଲାକୁ ଆପଣାଉ ବୋଲି ଦାବି ହେଉଛି । ଏପରିକି ନବନୀଙ୍କୁ ୍ରଅନ୍ୟ ରାଜ୍ୟ ଗୁଡିକ ଫଲୋ କରି ଗୋଟିଏ ଗୋଟିଏ କ୍ରୀଡାକୁ ଆପଣାଇବାର ଆବଶ୍ୟକତା ରହିଛି ବୋଲି କୁହାଯାଉଛି । ଭାରତୀୟ ହକି ଦଳର ବିଜୟର ସାରଥୀ ଭାବେ ନବୀନଙ୍କୁ ଚିତ୍ରଣ କରାଯାଉଥିବା ବେଳେ ମୋଦୀଙ୍କୁ ଏତେଟା ମାଇଲେଜ ମିଳିନାହିଁ । ଶ୍ରେୟ ରାଜନୀତିରେ ମୋଦୀ ବେଶ ପଛରେ ରହିଛନ୍ତି । ଯେଉଁଥିପାଇଁ ନବୀନଙ୍କୁ ମିଳୁଥିବା ଏହି ଶ୍ରେୟରେ ଭାଗ ବସାଇବାକୁ ଯୋଜନାବଦ୍ଧ ଭାବେ ଉଦ୍ୟମ କରାଯାଇଥିବା ଗାଁ ଖଟିରେ ଚର୍ଚ୍ଚା ହେଉଛି । ଦେଶବାସୀଙ୍କ ପକ୍ଷରୁ ନବୀନଙ୍କୁ ମିଳୁଥିବା ଶ୍ରେୟକୁ କିଛି ମାତ୍ରାରେ ହାଇଜାକ କରିବାକୁ ଧ୍ୟାନଚାନ୍ଦ କାର୍ଡ ଖେଳିଛନ୍ତି କି ମୋଦୀ? ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାରର ନାଁ ବଦଳାଇ ଏହାକୁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ଭାବେ ଘୋଷଣା କରି ମୋଦୀ ସରକାର ଏହି ଶ୍ରେୟ ରାଜନୀତିରେ ଏକପ୍ରକାର ଏଣ୍ଟ୍ରି କରିଥିବା କୁହାଯାଉଛି । ଆଉ ଏହାର ସକରାତ୍ମକ ଓ ନକରାତ୍ମକ ପ୍ରତିଫଳନ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଛି । ଜଣେ କ୍ରୀଡାବିତଙ୍କୁ ସମ୍ମାନ ଜଣାଇ ରାଜୀବ ଗାନ୍ଧୀଙ୍କ ନାଁରେ ଥିବା ଖେଳରତ୍ନ ପୁରସ୍କାର ଧ୍ୟାନଚାନ୍ଦଙ୍କ ନାଁରେ ଘୋଷଣା କରି ମୋଦୀ ସରକାର ସୋସିଆଲ ମିଡ଼ିଆରେ ବେଶ ବାହାବା ସାଉଁଟୁଛନ୍ତି । ଆଉ ଏଭଳି ନିଷ୍ପତ୍ତି ମଧ୍ୟ ବାସ୍ତବରେ ସ୍ୱାଗତଯୋଗ୍ୟ । କିନ୍ତୁ ସୋସିଆଲ ମିଡ଼ିଆର ଅନ୍ୟ ଏକ ଦିଗ ଉପରେ ନଜର ପକାଇବା ତେବେ ମୋଦୀଙ୍କ ଦୋମୁହାଁ ନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି ୟୁଜର୍ସ । ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାରରୁ ରାଜୀବଙ୍କ ନାଁ ହଟାଇ ଯଦି ଜଣେ କ୍ରୀଡାବିତଙ୍କୁ ସମ୍ମାନ ଜଣା ଯାଇପାରୁଛି ତେବେ ଗୁଜୁରାଟରେ ଥିବା ଭାରତର ବଡ ଷ୍ଟାଡିୟମ ମୋଦୀଙ୍କ ନାଁରେ କାହିଁକି ରହିବ ବୋଲି ପ୍ରଶ୍ନ କରିଛନ୍ତି ୟୁଜର୍ସ? କେବଳ ମୋଦୀ ଷ୍ଟାଡିୟମ ନୁହେଁ ଦିଲ୍ଲୀରେ ଥିବା ଅରୁଣ ଜେଟଲୀ ଷ୍ଟାଡିୟମର ନାଁ ବଦଳାଇ କୌଣସି ପ୍ରତିଷ୍ଠିତ ଖେଳାଳୀଙ୍କ ନାଁରେ ରଖିବାକୁ ମୋଦୀ ସରକାର ବି ନିଷ୍ପତ୍ତି ନିଅନ୍ତୁ ବୋଲି କହିଛନ୍ତି ୟୁଜର୍ସ । କେବଳ ଏତିକି ନୁହେଁ କିଛି ୟୁଜର୍ସ ଟୀକା ପ୍ରମାଣପତ୍ରରେ ମୋଦୀଙ୍କ ଫଟୋ କାହିଁକି ରହିବ ବୋଲି ପ୍ରଶ୍ନ କରିଛନ୍ତି । ଏହାଛଡ଼ା ଧ୍ୟାନଚାନ୍ଦଙ୍କୁ ଯଦି ବାସ୍ତବରେ ସମ୍ମାନ ଜଣାଇବାକୁ ଚାହୁଁଛନ୍ତି ତେବେ କାହିଁକି ଏଯାଏଁ ତାଙ୍କୁ ଭାରତରତ୍ନ ସମ୍ମାନରେ ସମ୍ମାନିତ କରିନାହାନ୍ତି ସରକାର?
ଏସବୁ ଭିତରେ ଏବେ ପ୍ରଶ୍ନ ଉଠୁଛି ଶ୍ରେୟ ଲଢେଇରେ ସାମିଲ ହେବାକୁ ଏଭଳି ନିଷ୍ପତ୍ତି ନେଇଛନ୍ତି କି ମୋଦୀ ସରକାର । ଯଦି ନା, ତେବେ ବିଭିନ୍ନ ଯୋଜନା, ଷ୍ଟାଡିୟମ, ଅନୁଷ୍ଠାନରେ ଥିବା ରାଜନେତାଙ୍କ ନାଁ ହଟାଇବାକୁ ଉଦ୍ୟମ ଆରମ୍ଭ କରିବେ କି ସରକାର? ଯଦି ଏଭଳି ନିଷ୍ପତ୍ତି ନିଅନ୍ତି ତେବେ ବାସ୍ତବରେ କ୍ରୀଡାବିତ ଓ କ୍ରୀଡାକୁ ମୋଦୀ ସରକାର ଗୁରୁତ୍ୱ ଦେଉଥିବା ନେଇ ବାର୍ତ୍ତା ଯିବ ନଚେତ ଏହି ନିଷ୍ପତ୍ତି ମୋଦୀ ସରକାରଙ୍କ ପାଇଁ ବୁମେରାଂ ପାଲଟିପାରେ । ଯେଉଁଥିପାଇଁ ମୋଦୀ ସରକାରଙ୍କୁ ବାରମ୍ବାର ଜନସାଧାରଣଙ୍କ ପ୍ରଶ୍ନବାଣର ଶିକାର ହେବାକୁ ପଡିପାରେ ।