THE BYAPINI

ମିଡିଆକୁ ବୁଝିଛନ୍ତି ମିଡିଆମ୍ୟାନ୍ !

Get real time updates directly on you device, subscribe now.

ମାନସ ମଙ୍ଗରାଜ । ବିଜୁ ଜନତା ଦଳର ଗଣମାଧ୍ୟମ ବ୍ୟାପାରର ସାଧାରଣ ସଂପାଦକ ଏବଂ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ବିଭାଗର ପରାମର୍ଶଦାତା । ଗଣମାଧ୍ୟମ କର୍ମଚାରୀଙ୍କ ସୁଖ ଦୁଖ ବୁଝିବା ଦାୟିତ୍ୱ ତାଙ୍କର କର୍ତ୍ତବ୍ୟ । ନିର୍ବାଚନ ପରେ ଯେଉଁ ଦାୟିତ୍ୱ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ପ୍ରଦାନ କରିଛନ୍ତି, ତାକୁ ବେଶ ଭଲ ଭାବେ ତୁଲାଇଛନ୍ତି ମାନସ । ମୁଖ୍ୟମନ୍ତ୍ରୀଙ୍କ ଆସ୍ଥା ଭାଜନ ହେବା ସହ ତୃତୀୟ ମହଲାରେ ମଧ୍ୟ ତାଙ୍କ ଯଥେଷ୍ଟ ପ୍ରଭାବ ରହିଛି । ନିଜ କାମ ବଳରେ ସେ ଏହି ସ୍ଥାନରେ ପହଁଚିଥିବା ବେଳେ କୋଭିଡ ସମୟରେ ଗଣମାଧ୍ୟମ କର୍ମଚାରୀଙ୍କ ପାଇଁ ତାଙ୍କ କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରୁଛନ୍ତି ।

ଗଣମାଧ୍ୟମ କର୍ମଚାରୀଙ୍କୁ କୋଭିଡ ଯୋଦ୍ଧା ମାନ୍ୟତା ଦେବା ପଛରେ ମାନସ ମଙ୍ଗରାଜଙ୍କାର ଯଥେଷ୍ଟ ଅବଦାନ ରହିଛି । ଏନେଇ ପ୍ରଥମେ ସେ ଏକ ଡ୍ରାଫଟ ପ୍ରସ୍ତୁତ କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇଥିଲେ । ପରବର୍ତ୍ତୀ ସମୟରେ ଏହା ଉପରେ ଆଲୋଚନା ହେବା ସହ ମୁଖ୍ୟମନ୍ତ୍ରୀ ସାମ୍ବାଦିକଙ୍କୁ କୋଭିଡ ଯୋଦ୍ଧାର ମାନ୍ୟତା ଦେବା କଥା ଘୋଷଣା କରିଥିଲେ । ଯଦି ଦାୟିତ୍ୱ ତୁଲାଇବା ସମୟରେ କୈାଣସି ଗଣମାଧ୍ୟମ କର୍ମଚାରୀଙ୍କର କରୋନା ଜନିତ ମୃତ୍ୟୁ ଘଟୁଛି ତେବେ ତାଙ୍କୁ ତୁରନ୍ତ ୧୫ ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦିଆଯିବ । ଆଉ ଯାହାକୁ ବାସ୍ତବତାର ରୂପ ମଧ୍ୟ ଦିଆଯାଇ ସାରିଛି ।

ରାଜ୍ୟରେ ସରକାରୀ ତଥ୍ୟ ଅନୁସାରେ ଯେଉଁ ସାମ୍ବାଦିକଙ୍କର କରୋନାରେ ମୃତ୍ୟୁ ହୋଇଛି ସେମାନଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ଦେବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପଛରେ ମଧ୍ୟ ମାନସ ମଙ୍ଗରାଜଙ୍କର ହାତ ରହିଛି । ନ୍ୟୁଜ ୧୮ ଓଡିଆ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ଦେହାନ୍ତ କିଛି ଦିନ ତଳେ କରୋନାରେ ହୋଇଥିଲା । ଆଉ ବୁଧବାର ତାଙ୍କ ପରିବାର ସଦସ୍ୟଙ୍କୁ ୧୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ମାନସ ମଙ୍ଗରାଜ ।

ନିଜେ ସାମ୍ବାଦିକତା କ୍ଷେତ୍ରରୁ ଆସିଥିବାରୁ ଗଣମାଧ୍ୟମ କର୍ମଚାରୀଙ୍କ କଥା ବୁଝିବାକୁ ସେ ଗୁରୁତ୍ୱ ଦେଉଥିବା କୁହାଯାଉଛି । ଖାସକରି ଏହି କ୍ଷେତ୍ରରେ କଣ ସବୁ ସମସ୍ୟା ରହିଥାଏ ଏବଂ ସମସ୍ୟାକୁ କିଭଳି ଦୁରୀଭୂତ କରାଯାଇ ପାରିବ, ସେନେଇ ସେ ଯତ୍ନବାନ ମଧ୍ୟ । ବଡ କଥା ହେଉଛି ଗଣମାଧ୍ୟମର ନିରପେକ୍ଷତା ଉପରେ ମଧ୍ୟ ରାଜ୍ୟରେ ଯଥେଷ୍ଟ ଅଧିକ କାର୍ଯ୍ୟ ହେବାର ଆବଶ୍ୟକତା ରହୁଛି । ଅର୍ଥାତ୍ ସରକାରୀ ଦଳ ଆଉ କଳର ଚାପରୁ କିଭଳି ମିଡିଆକୁ ଦୂରରେ ରଖାଯାଇପାରିବ ସେନେଇ ମଧ୍ୟ ମାନସ ମଙ୍ଗରାଜଙ୍କୁ ଧ୍ୟାନ ଦେବାର ଆବଶ୍ୟକତା ଅଛି । ଯଦି ଏଭଳି ହୁଏ, ତେବେ ସେ ବିଭାଗର ଦାୟିତ୍ୱ ସୁଚାରୁ ରୂପେ ସମାପନ କରିପାରିଛନ୍ତି ବୋଲି କୁହାଯାଇପାରିବ ।

Get real time updates directly on you device, subscribe now.

Leave A Reply

Your email address will not be published.