ବିଡ଼ା ବିଡ଼ା ନକଲି ନୋଟ୍
ସମ୍ବଲପୁରରେ ବଡ଼ ଧରଣର ନକଲି ନୋଟ୍ ରାକେଟର ପର୍ଦ୍ଦାଫାସ । ୧୩ ଲକ୍ଷ ୮୫ ହଜାର ଜାଲ ନୋଟ୍ ଜବତ କଲା ସମ୍ବଲପୁର ପୁଲିସ । ୭ ଦିନ ତଳେ ଟାଉନ୍ ଥାନା ଅଞ୍ଚଳରୁ ଏକ ନକଲି ନୋଟ୍ ମିଳିବା ଘଟଣାରେ ପୁଲିସ୍ ଖୋଳତାଡ଼ କରୁ କରୁ ପୋଲିସ ଏହି ରାକେଟର ପର୍ଦ୍ଦାଫାସ କରିଛି । ଏହି ଘଟଣାରେ ପୋଲିସ ୬ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ସେମାନଙ୍କ ନିକଟରୁ ବିପୁଳ ନକଲି ନୋଟ୍ ଜବତ କରିଛି । ସେମାନଙ୍କଠୁ ୬୦୦ଟି ୨ହଜାର ଟଙ୍କିଆ ନୋଟ୍ ସହିତ ୪୪ଟି ୧୦୦ ଟଙ୍କିଆ ନୋଟ୍ ଜବତ କରିଛି ପୋଲିସ ।
କିଛି ଦିନ ପୂର୍ବେ ଲକ୍ଷ୍ମୀ ଟକିଜ ଛକରେ ଏକ ଚା’ ଦୋକାନରୁ ଗୋଟିଏ ନକଲି ନୋଟ୍ ମିଳିଥିଲା । ଏନେଇ ଥାନାରେ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ପୁଲିସ୍ ଛାନ୍ଭିନ୍ କରୁ କରୁ ନକଲି ନୋଟ୍ ସମ୍ବଲପୁର ବଜାରକୁ ଆସୁଥିବା ତଦନ୍ତରୁ ଜଣାପଡ଼ିଥିଲା । ସୂଚନା ପାଇ ସମ୍ବଲପୁର ପୁଲିସ୍ ୨ଟି ଟିମ୍ ଗଠନ କରି ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିଲା । ଏହି ଘଟଣାରେ ପୁଲିସ୍ ବରଗଡ଼ର ୪ ଜଣ ଓ ଛତିଶଗଡ଼ର ୨ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି । ସେପଟେ, ଅଭିଯୁକ୍ତଙ୍କ ନିକଟରୁ ମୋଟ ୧୩ ଲକ୍ଷ ଟଙ୍କା ଜବତ ହୋଇଛି ।