ଆଜିଠୁ ଖୋଲିଲା ଘଟଗାଁ ତାରିଣୀ ମନ୍ଦିର
ଆଜିଠୁ ଖୋଲିଲା ଘଟଗାଁ ତାରିଣୀ ମନ୍ଦିର। କୋଭିଡ୍ ଗାଇଡ୍ ଲାଇନ୍ ମଧ୍ୟରେ ଭକ୍ତଙ୍କୁ ମନ୍ଦିର ପ୍ରବେଶ ଅନୁମତି ମିଳିବ।ଭକ୍ତମାନେ ମାସ୍କ ପିନ୍ଧି ମନ୍ଦିର ପ୍ରବେଶ କରିବେ ଏବଂ ମାଙ୍କୁ ଦର୍ଶନ କରିପାରିବେ। କୋଭିଡ୍ ଗାଇଡଲାଇନ୍ ମଧ୍ୟରେ ସମସ୍ତ ବ୍ୟବସ୍ଥା କରିବା ଲାଗି ଜିଲ୍ଲା ଓ ମନ୍ଦିର ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି । କଟକଣା ଅନୁଯାୟୀ କେବଳ ବ୍ୟାରିକେଡ୍ ମଧ୍ୟରେ ଭକ୍ତମାନେ ଦର୍ଶନ କରିପାରିବେ । ଭୋଗ କିମ୍ବା ଅନ୍ୟାନ୍ୟ ସାମଗ୍ରୀ ଦେବଦେବୀଙ୍କୁ ସମର୍ପଣ କରିପାରିବେ ନାହିଁ । ମାସ୍କ ପିନ୍ଧିବା ସହ ଅତି କମରେ ୬ ଫୁଟର ସାମାଜିକ ଦୂରତା ରଖି ମନ୍ଦିରକୁ ପ୍ରବେଶ କରିବେ । ଏକ ସମୟରେ ୫ ଜଣଙ୍କୁ ଅଧିକ ଭକ୍ତ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ ନାହିଁ ।
୬୫ ବର୍ଷରୁ ଅଧିକ ଓ ୧୦ ବର୍ଷରୁ କମ ଶିଶୁଙ୍କ ଦର୍ଶନ ପାଇଁ କଟକଣା କରାଯାଇଛି ।ଦୈନିକ ଦୁଇଟି ପଯର୍ୟାୟରେ ଭକ୍ତଙ୍କୁ ମନ୍ଦିର ପ୍ରବେଶ ଅନୁମତି ମିଳିବ। ୧ମ ପର୍ୟ୍ୟାୟ ସକାଳ ୭.୩୦ରୁ ୧୨. ୩୦ ଏବଂ ଦ୍ୱିତୀୟ ପର୍ୟ୍ୟାୟରେ ଅପରାହ୍ନ ୪ଟାରୁ ସନ୍ଧ୍ୟା ୭ଟା ଯାଏଁ ଦର୍ଶନ ସୁଯୋଗ ମିଳିବ।ଭକ୍ତମାନଙ୍କୁ ମନ୍ଦିରରେ ଭୋଗ ଲଗାଇବା ଓ ଦୀପ ଜାଳିବାକୁ ବାରଣ କରାଯାଇଛି।
ସେହିପରି କୋଭିଡ୍ ପ୍ରୋଟୋକଲ୍ ଭିତରେ ଅଗଷ୍ଟ ୨୩ରୁ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ। ଏ ନେଇ ଆଜି ବିଏମ୍ସି ପକ୍ଷରୁ ଜାରି ହୋଇଛି ମାର୍ଗଦର୍ଶିକା। ତେବେ ମନ୍ଦିର ଖୋଲିଲେ କୌଣସି ଭକ୍ତ ଭୋଗ ନେଇ ଯାଇପାରିବେ ନାହିଁ, କି ଗର୍ଭଗୃହ ଭିତରକୁ ଯାଇ ଦର୍ଶନ କରିପାରିବେ ନାହିଁ। ଲିଙ୍ଗରାଜ ମନ୍ଦିର ଖୋଲିବା ଉପରେ ମନ୍ଦିର ପ୍ରଶାସନ ଚୂଡ଼ାନ୍ତ ନିଷ୍ପତ୍ତି ନେବେ।