କାବୁଲ ବିମାନ ବନ୍ଦରରେ ଦଳାଚକଟା
ଆଫଗାନିସ୍ତାନରେ ସ୍ଥିତି ଅସମ୍ଭାଳ । ସହରରେ ତାଲିବାନ ସେନା ପଶିବା ପରେ କାବୁଲବାସୀ ଆତଙ୍କିତ ହୋଇପଡ଼ିଛନ୍ତି । ତାଲିବାନ ହାତକୁ ଆଫଗାନିସ୍ତାନ ଯିବାପରେ ଏବେ କଲବଲ ହେଉଛନ୍ତି ଏଠିକାର ନାଗରିକ ଓ ଏଠାରେ ରହୁଥିବା ବିଦେଶୀ ନାଗରିକ । କାବୁଲ ବିମାନ ବନ୍ଦରରେ ଗୁଳିମାଡ ଫଳରେ ଆଜି ସମସ୍ତ ବିମାନ ଚଳାଚଳକୁ ରଦ୍ଦ କରିଦିଆଯାଇଛି ।
ଲୋକ ବିନା ଟିକେଟରେ ବିମାନରେ ଚଢିବାକୁ ଉଦ୍ୟମ କରୁଛନ୍ତି । ଅନେକ ଖାଲି ହାତରେ କୌଣସି ମତେ ଦେଶ ଛାଡିଯିବାକୁ ଉଦ୍ୟମ କରୁଛନ୍ତି । କାବୁଲ ବିମାନ ବନ୍ଦରରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଆମେରିକା ବିମାନ ବନ୍ଦରକୁ ନିଜ ନିୟନ୍ତ୍ରଣକୁ ନେଇଛି ।କାବୁଲ ବିମାନବନ୍ଦରରେ ପ୍ରବଳ ଭିଡକୁ ନିୟନ୍ତ୍ରଣ କରିବାକୁ ଯାଇ ଆମେରିକା ସୁରକ୍ଷା କର୍ମୀଙ୍କ ଗୁଳିମାଡରେ ୫ଜଣଙ୍କ ମୃତ୍ୟୁ ହୋଇଛି । ତାଲିବାନ ର ଆତଙ୍କରେ ଆତଙ୍କିତ ଲୋକେ ନିଜନିଜ ଦେଶକୁ ଫେରିଯିବାକୁ କାବୁଲ ବିମାନବନ୍ଦରରେ ପ୍ରବଳ ହଭିଡ ଥିବାବେଳେ ଏପରି ଦୁର୍ଘଟଣା ଘଟିଥିବା ରଏଟର୍ସ ପ୍ରକାଶ କରିଛି । କାବୁଲର ଏୟାରସ୍ପେସ୍ ବନ୍ଦ ଥିବାରୁ ଆମେରିକାରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ବିମାନ ଅଲଗା ଆକାଶ ମାର୍ଗ ଦେଇ ଆସିବାର ସମ୍ଭାବନା ରହିଛି। ଏଆଇ-୧୨୬(ଚିକାଗୋ-ନୂଆଦିଲ୍ଲୀ) ଏବଂ ଏଆଇ-୧୭୪ (ସାନ ଫ୍ରାନ୍ସିସ୍କୋ-ନୂଆଦିଲ୍ଲୀ) ବିମାନ ଏବେ ଇନ୍ଧନ ଭରିବା ପାଇଁ ଏକ ଗଲ୍ଫ ରାଷ୍ଟ୍ରକୁ ଯିବ ବୋଲି ଜଣାପଡ଼ିଛି।