ବରମୁଣ୍ଡା ବଦଳିବ ଓଡିଶା ଦେଖିବ
ବଦଳିବ ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡର ଚିତ୍ର । ବରମୁଣ୍ଡା ବସଷ୍ଟାଣ୍ଡ ରାଜ୍ୟର ସବୁଠାରୁ ବ୍ୟସ୍ତବହୁଳ ବସଷ୍ଟାଣ୍ଡ । ରାଜ୍ୟର ବିଭିନ୍ନ ସ୍ଥାନକୁ ଏଠାରୁ ବସ୍ ଚଳାଚଳ କରିଥାଏ। ହଜାର ହଜାର ଯାତ୍ରୀ ମଧ୍ୟ ପ୍ରତିଦିନ ବିଭିନ୍ନ ସ୍ଥାନକୁ ବସ୍ ଯୋଗେ ଯାଇଥାନ୍ତି । ତେଣୁ ଏହାକୁ ଅକ ଅତ୍ୟାଧୁନିକ ରୂପ ଦେବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ କାମ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଫାଇଭ ଟି କାର୍ଯ୍ୟକ୍ରମ ଅଧିନରେ ଏହି ଆନ୍ତଃରାଜ୍ୟ ବସ ଟର୍ମିନାଲର ରୂପାନ୍ତୀକରଣ କାମ ହାତକୁ ନିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ବରମୁଣ୍ଡା ବସଷ୍ଟାଣ୍ଡରେ ପହଚିଂ ବସ ଟର୍ମିନାଲର ନିର୍ମାଣ କାର୍ଯ୍ୟ ବୁଲି ଦେଖିବା ସହ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଛନ୍ତି । ବସ୍ ଟର୍ମିନାଲରେ କ’ଣ ସବୁ ସୁବିଧା ରହିବ ତାହାର ମାନଚିତ୍ର ପରଖିଛନ୍ତି।
ବରମୁଣ୍ଡା ଆନ୍ତଃରାଜ୍ୟ ବସ୍ ଟର୍ମିନାଲର ନିର୍ମାଣ କାମ ୧୮ ମାସ ମଧ୍ୟରେ ସରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି । ଏହି କାର୍ୟ୍ୟ ପାଇଁ ମୋଟ ୧୮୦ କୋଟି ଟଙ୍କା ଖର୍ଚ୍ଚ ହେବ । ନିର୍ମାଣ ପରେ ବରମୁଣ୍ଡା ଆକର୍ଷଣୀୟ ଦେଖାଯିବା ସହ ଏହା ଭୁବନେଶ୍ୱରର ଲ୍ୟାଣ୍ଡମାର୍କ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ୧୧ ଏକର ଜମିରେ ହେବ ବିଶ୍ୱ ସ୍ତରୀୟ ବସ୍ ଟର୍ମିନାଲ । ଭବିଷ୍ୟତ ସମ୍ପ୍ରସାରଣ ପାଇଁ ସାଢ଼େ ୪ ଏକର ଜମି ରହିବ । ଏହି ବସ୍ ଟର୍ମିନାଲରେ ଏକ୍ସାଭେଟର, ଏଲିଭେଟର, ୱାଇଫାଇ ସହ ବର୍ଜ୍ୟ ଜଳ ବିଶୋଧନ ପରି ଅତ୍ୟାଧୁନିକ ବ୍ୟବସ୍ଥା ରହିବ । ଦୈନିକ ୨ ହଜାର ବସ୍ ଚଳାଚଳ କରିପାରିବ । ବସ୍ ଷ୍ଟାଣ୍ଡରେ ଅଣ୍ଡର ଗ୍ରାଉଣ୍ଡ ପାର୍କିଂ ପାଇଁ ମଧ୍ୟ ବ୍ୟବସ୍ଥା ରହିବ । ପ୍ରସ୍ତାବିତ ନୂତନ ବସ୍ ଟର୍ମିନାଲରେ ଫୁଡ୍ କୋର୍ଟରୁ ଆରମ୍ଭ କରି ଆବଶ୍ୟକୀୟ ପାର୍କିଂ ସହ ଏଲିଭେଟର ଓ ଏସ୍କ୍ଲାଭେଟର୍ ରହିବ । ସୌରଶକ୍ତି ବ୍ୟବସ୍ଥାରେ ବିଦ୍ୟୁତ ସଂଯୋଗ ହେବ । ବସଷ୍ଟାଣ୍ତ ଠାରୁ ବିଶାଖାପାଟଣା, ହାଇଦ୍ରାବାଦ, ରାୟପୁର, ରାଞ୍ଚି, କୋଲକାତା, ବେଙ୍ଗଳୁରୁ ସମେତ ଦେଶର ବିଭିନ୍ନ ସ୍ଥାନକୁ ନିୟମିତ ବସ୍ ଚଳାଚଳ କରିବ ।
ଏହି ପ୍ରକଳ୍ପର ଦୁଇଟି ଭାଗ ରହିଛି । ଗୋଟିଏ ଖଣ୍ଡଗିରିସ୍ଥ ବସ୍ ଡିପୋ ଏବଂ ଅନ୍ୟଟି ବରମୁଣ୍ଡା ଆନ୍ତଃରାଜ୍ୟ ବସ୍ ଟର୍ମିନାଲ । ଖଣ୍ଡଗିରି ବସ୍ ଡିପୋ କାର୍ୟ୍ୟ ସମ୍ପୁର୍ଣ୍ଣ ହୋଇଯାଇଛି ଏବଂ ମୁଖ୍ୟମନ୍ତ୍ରୀ ଆଜି ତାହା ବୁଲି ଦେଖିଥିଲେ ଏବଂ ଉନ୍ନତ ନିର୍ମାଣ କାର୍ୟ୍ୟ ସହିତ ବସ୍ ରହିବାର ସୁବ୍ୟବସ୍ଥା ହୋଇଥିବାରୁ ସନ୍ତୋଷ ପ୍ରକାଶ କରିଥିଲେ ।