ଖପ୍ପା ହେଲେ ନବୀନ..
ଖପ୍ପା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍କୁଲ, କଲେଜ ଖୋଲିବା ନେଇ ବିଭିନ୍ନ ବିଭାଗ ପକ୍ଷରୁ ଦିଆଯାଉଥିବା ଭିନ୍ନ ଭିନ୍ନ ମତକୁ ମୁଖ୍ୟମନ୍ତ୍ରୀ ନାପସନ୍ଦ କରିଛନ୍ତି । ଏଭଳି ମନ୍ତବ୍ୟ ନଦେବାକୁ ମୁଖ୍ୟମନ୍ତ୍ରୀ ତାଗିଦ କରିଛନ୍ତି । ଆଜି ଭିଡିଓ କନଫରେନ୍ସରେ କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଥିଲେ । ରାଜ୍ୟର କୋଭିଡ ମୁକାବିଲା କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିବା ବେଳେ ସ୍କୁଲ, କଲେଜ ଖୋଲିବା ନେଇ ବିଭିନ୍ନ ବିଭାଗ ପକ୍ଷରୁ ଦିଆଯାଉଥିବା ମନ୍ତବ୍ୟକୁ ନାପସନ୍ଦ କରିଛନ୍ତି । ଏଭଳି ବୟାନବାଜିରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଛନ୍ତି । କୋଭିଡ ସ୍ଥିତିକୁ ଆକଳନ କରି ରାଜ୍ୟ ସରକାର ଯାହା ଠିକ ତାହା ଉଚିତ ପଦକ୍ଷେପ ନେବେ ବୋଲି ନବୀନ କହିଛନ୍ତି ।
ଦେଶରେ ଟୀକାକରଣ ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ ହେବାର ସମ୍ଭାବନା ରହିଛି । ଏଥିପାଇଁ ଓଡ଼ିଶାରେ ସମ୍ପୂର୍ଣ୍ଣ ଡାଟାବେସ୍ ପ୍ରସ୍ତୁତ ହୋଇଛି ଏବଂ ଆନୁସଙ୍ଗିକ ବ୍ୟବସ୍ଥା ମଧ୍ୟ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ ଦେଶରେ ଟୀକାକରଣ ପ୍ରକ୍ରିୟା ଏକ ବର୍ଷରୁ ମଧ୍ୟ ଅଧିକ ସମୟ ଲାଗିପାରେ ବୋଲି ଅନୁମାନ କରାଯାଉଛି ବୋଲି ପ୍ରକାଶ କରି ଏ ସମୟରେ ସମସ୍ତ ପ୍ରକାର କୋଭିଡ୍ ନିୟମାବଳୀକୁ ପୂର୍ବ ଭଳି ଜାରି ରଖିବାକୁ ସେ ପରାମର୍ଶ ଦେଇଥିଲେ । କୋଭିଡ୍ ନିୟମାବଳୀ ଓ ଟୀକାକରଣ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଉପଯୁକ୍ତ ସୂଚନା ଅଭିଯାନ ମଧ୍ୟ କାର୍ୟ୍ୟକାରୀ କରିବାକୁ ସେ ପରାମର୍ଶ ଦେଇଥିଲେ । କୋଭିଡ୍ ପରିଚାଳନାରେ ଓଡ଼ିଶା ଦେଶର ଶ୍ରେଷ୍ଠ ରାଜ୍ୟମାନଙ୍କ ମଧ୍ୟରେ ସ୍ଥାନ ପାଇଛି ଏବଂ ଏହାକୁ ନୀତି ଆୟୋଗ ମଧ୍ୟ ପ୍ରଶଂସା କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ସେହିପରି ରାଜ୍ୟରେ କୋଭିଡ ସ୍ଥିିତି ଦ୍ରୁତ ଗତିରେ ସୁଧୁରୁଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ଆରୋଗ୍ୟ ହାର ବର୍ତ୍ତମାନ ୯୮.୫୨ ପ୍ରତିଶତ ରହିଛି, ଯାହାକୁ ସାରା ଦେଶରେ ଦ୍ୱିତୀୟ ସର୍ବଶ୍ରେଷ୍ଠ ସୂଚକାଙ୍କ । ସେହିପରି ଦୈନିକ ସଂକ୍ରମଣ ହାର ପ୍ରଥମ ଥର ପାଇଁ ୧ ପ୍ରତିଶତରୁ କମି ବର୍ତ୍ତମାନ ୦.୯୬ ପ୍ରତିଶତରେ ରହିଛି ବୋଲି ସେ କହିଥିଲେ ।