ଆଜି ସ୍ଥଳଭାଗ ଛୁଇଁବ ବାତ୍ୟା!
ବଙ୍ଗୋପସାଗର ଉପକୂଳ ମୁହାଁ ସାମୂଦ୍ରିକ ଝଡ଼ ଗୁଲାବ । ଆଜି ମଧ୍ୟରାତ୍ରରେ ସ୍ଥଳଭାଗରେ ମାଡ ହେବ ବାତ୍ୟା । ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡିଶା ଉପକୂଳ ମୁହାଁ ବାତ୍ୟା । ଗୋପାଳପୁରଠୁ ୨୭୦ କିମି ଦୂରରେ ରହିଥିବା ବେଳେ କଳିଙ୍ଗପଟ୍ଟନମରୁ ୩୩୦ କିମି ଦୂରରେ ରହିଛି । ଗତ ୬ ଘଂଟାରେ ଘଂଟାପ୍ରତି ୧୦ କିମି ବେଗରେ ଗତି କରୁଛି ବାତ୍ୟା ଗୁଲାବ ।
ବାତ୍ୟା ପ୍ରଭାବରେ ଗଜପତି, ଗଞ୍ଜାମ ଜିଲ୍ଲାରେ ଝିପଝିପ ବର୍ଷା ଆରମ୍ଭ ହୋଇଛି । ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ହେବାକୁ ଥିବା ବେଳେ ପବନର ବେଗ କମ ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ବାତ୍ୟା ଗୁଲାବ ସ୍ଥଳ ଭାଗ ଛୁଇଁବା ବେଳକୁ ପବନର ବେଗ ଘଂଟା ପ୍ରତି ୭୫ରୁ ୮୫ କିଲୋମିଟର ରହିବ । ସମୟ ସମୟରେ ଘଂଟା ପ୍ରତି ୯୫ କିଲୋମିଟର ବେଗରେ ପବନର ଝଟକା ଅନୁଭୂତ ହେବ ବୋଲି କହିଛି ପାଣିପାଗ ବିଭାଗ ।
ବାତ୍ୟା ଧୀରେ ଧୀରେ ସ୍ଥଳଭାଗ ଆଡ଼କୁ ମୁହାଁଉ ଥିବାବେଳେ ଏହାର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ଗଜପତି ଜିଲ୍ଲାର ୭ଟି ବ୍ଲକର ୧୫ଟି ଗାଁରୁ ଶନିବାର ସନ୍ଧ୍ୟା ସୁଦ୍ଧା ୧୫ଟି ବାତ୍ୟା ଆଶ୍ରୟ ସ୍ଥଳୀରେ ୫୮୬ ଜଣଙ୍କୁ ରଖାଯାଇଛି । ଜିଲ୍ଲାରେ ଉଦ୍ଧାର କାର୍ୟ୍ୟ ଜାରି ରହିଛି । ପ୍ରଶାସନ ପକ୍ଷରୁ ଆସନ୍ତାକାଲି ସୁଦ୍ଧା ୮ ହଜାର ଲୋକଙ୍କୁ ଉଦ୍ଧାର କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି।
ବାତ୍ୟା ନେଇ ଦକ୍ଷିଣ ଓଡ଼ିଶାର ୭ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଗତ ରାତିରୁ ବର୍ଷା ଆରମ୍ଭ ହୋଇଯାଇଛି । ସେହିଭଳି ପୁରୀ, ଖୋର୍ଦ୍ଧା, ନୟାଗଡ଼ ଓ କଳାହାଣ୍ଡି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ପ୍ରବଳ ବର୍ଷା ନେଇ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, କଟକ, ବୌଦ୍ଧ, ସୋନପୁର, ବଲାଙ୍ଗିର ଓ ନୂଆପଡ଼ା ଜିଲ୍ଲାକୁ ୟେଲୋ ଆଲର୍ଟ ଦିଆଯାଇଛି ।