ଓଲା ଡ୍ରାଇଭରରୁ କୋଟିପତି..
ଓଲା ଡ୍ରାଇଭରରୁ କୋଟିପତି । ଆଜ୍ଞା ହଁ । ଏକଥା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏଟିଏମ ଲୁଟୁଥିଲେ ଆଉ ଫ୍ଲାଇଟରେ ଉଡୁଥିଲେ । ଭୁବନେଶ୍ୱର ମାଗ୍ନେଟିକ ଛକର ପିଏନବି ଏଟିଏମ ଲୁଟ ଘଟଣାରେ ଆଜି ଅଭିଯୁକ୍ତଙ୍କ ରିମାଣ୍ଡରେ ନେଇଛି ପୁଲିସ । ରିମାଣ୍ଡରେ ଯିବା ପରେ ଚୋର କହିଛନ୍ତି ଚୋରିର କାହାଣୀ । କିଭଳି ଏଟିଏମ ତାଡିଥିଲେ ଏବଂ କିଭଳି ଟଙ୍କା ନେଇ ଚମ୍ପଟ ମାରିଥିଲେ ପୁଲିସ ଆଗରେ ଡେମୋ କରି ଦେଖାଇଛନ୍ତି ଲୁଟେରା । ଏପରିକି ସବୁ ଟଙ୍କା ରଖି ଅଳ୍ପ ଟଙ୍କା ଥିବା ଏକ ବ୍ୟାଗ ନାଳ ଭିତରେ ମଧ୍ୟ ଫୋପାଡିଦେଇଥିଲେ । ଆଜି ପୁଲିସକୁ ଘଟଣାସ୍ଥଳକୁ ନେଇ ନାଳ ଭିତରେ କେଉଁଠି ଟଙ୍କା ବ୍ୟାଗ ଫୋପାଡି ଥିିଲେ ତାହା ଦେଖାଇଛନ୍ତି ।
ପଂଜାବର ସମରଜିତ ସିଂହ ଓ କେରଳର ଜଫର ସଦ୍ଦିକ । ଏଟିଏମ ଲୁଟର ମାଷ୍ଟରମାଇଣ୍ଡ ହେଉଛନ୍ତି ଏମାନେ । ଫ୍ଲାଇଟରେ ଆସୁଥିଲେ, ଲୁଟୁଥିଲେ ଆଉ ଟଙ୍କା ଧରି ଅନ୍ୟ ରାଜ୍ୟକୁ ପଳାଉଥିଲେ । ଅକ୍ଟୋବର ୧୧ ତାରିଖ ମାଗ୍ନେଟିକ ଛକରେ ଥିବା ପିଏନବି ଏଟିଏମକୁ ଗ୍ୟାସ କଟର ସାହାର୍ଯ୍ୟରେ ତାଡି ଲୁଟିନେଇଥିଲେ ୨୭ ଲକ୍ଷ ୮୪ ହଜାର ଟଙ୍କା । ଲୁଟ କରିବା ପରେ ଭୁବନେଶ୍ୱରରୁ ଫ୍ଲାଇଟ ଯୋଗେ ଦିଲ୍ଲୀ ବାହାରିଯାଇଥିଲେ । ସେଠାରୁ ଚଣ୍ଡିଗଡ ଟ୍ୟାକ୍ସି ଯାଇଥିଲେ । ସେଠାରୁ ଫ୍ଲାଇଟ ଯୋଗେ ବେଙ୍ଗାଲୁର ଓ ତାପରେ ଭାଇଜାଗ ପହଚିଂ ଆଉ ଏକ ଏଟିଏମ ତାଡି ୯ ଲକ୍ଷ ଲୁଟ କରିଥିଲେ । ହେଲେ ସେଠାରେ ପୁଲିସ ହାତରେ ଧରାପଡିଯାଇଥିଲେ ।ସେତେବେଳେ କମିସନରେଟ ପୁଲିସର ସ୍ପେଶାଲ ସ୍କ୍ୱାର୍ଡ ଯାଇ ପହଚିଂଥିଲେ ଭାଇଜାଗରେ । ଆଉ ପୁଲିସ ଆଗରେ ଗୋଟି ଗୋଟି କରି ସତ ମାନିଯାଇଥିଲେ ଏମାନେ ।
ତେବେ କିଭଳି ଲୁଟ କରିଥିଲେ, ଏତେ ଟଙ୍କା କାହାକୁ ଦେଇଥିଲେ ,ଏସବୁ ରହସ୍ୟ ଉପରୁ ପରଦା ଉଠାଇବା ପାଇଁ ଟ୍ରାଂଜିଟ ରିମାଣ୍ଡରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଆଣି ପୁଲିସ ୩ ଦିନିଆ ରିମାଣ୍ଡରେ ନେଇଛି ।