ମନ୍ତ୍ରୀ ହେବେ ସୁର୍ଯ୍ୟ ନାରାୟଣ ପାତ୍ର !
ନୂଆବର୍ଷରେ ନବୀନଙ୍କ ମନ୍ତ୍ରୀମଣ୍ଡଳର ହୋଇପାରେ ନବକଳେବର । ପଞ୍ଚମ ପାଳିର ଦ୍ୱିତୀୟ ନବକଳେବରରେ ନୂଆ ରୂପରେ ନଜର ଆସିପାରନ୍ତି ବାଚସ୍ପତି ସୂର୍ଯ୍ୟ ପାତ୍ର । ନବୀନଙ୍କ ମନ୍ତ୍ରୀମଣ୍ଡଳରେ ପୁଣି ଦେଖିବାକୁ ମିଳିପାରେ ସୂର୍ଯ୍ୟଙ୍କ ତେଜ । ମନ୍ତ୍ରୀମଣ୍ଡଳ ଅଦଳବଦଳ ପୂର୍ବରୁ ରାଜନୀତିକ କରିଡରରେ ସୂର୍ଯ୍ୟଙ୍କୁ ନେଇ ଚାଲିଛି ଗରମାଗରମ ଚର୍ଚ୍ଚା । ତେବେ ବାଚସ୍ପତି ଥିବା ସୂର୍ଯ୍ୟଙ୍କୁ ପୁଣିଥରେ ମନ୍ତ୍ରୀମଣ୍ଡଳରେ ସାମିଲ କରିବା ପଛରେ କଣ ରହିଛି ବଡ କାରଣ ତାହା ଅନେକଙ୍କୁ ଦ୍ୱଦ୍ୱରେ ପକାଇଛି । କାରଣ ବାଚସ୍ପତି ଭାବେ ସୂର୍ଯ୍ୟଙ୍କ ତେଜ ବିଧାନସଭାରେ ବେଶ ପ୍ରଭାବୀ ରହିଥିବା ବେଳେ ଗୃହ କାର୍ଯ୍ୟ ମଧ୍ୟ ବେଶ ସୁରୁଖୁରରେ ସରିଛି । ତେବେ ସୂର୍ଯ୍ୟଙ୍କ ଠାରୁ ବାଚସ୍ପତି ଶିରିପା କାଢି ଆଣିବା ପଛର ସବୁଠୁ ବଡ କାରଣ ଗଞ୍ଜାମ ରାଜନୀତି ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।
ବିଜେଡିର ଗଡ କୁହାଯାଉଥିବା ଗଞ୍ଜାମ ରାଜନୀତିରେ ଏବେ ହଲଚଲ ଦେଖାଦେଇଛି । ଗୋଟିଏ ପଟେ ଜନବିରୋଧୀ କାମ ପାଇଁ ପ୍ରଦୀପଙ୍କୁ ଦଳରୁ ଆଉଟ କରାଯାଇଥିବା ବେଳେ ଅନ୍ୟପଟେ ଜଙ୍ଗଲ ବାବୁ ଅଭୟକାନ୍ତ ପାଠକ ଘଟଣାରେ ଜଙ୍ଗଲ ବିଭାଗର ମନ୍ତ୍ରୀ ବିକ୍ରମ ଆରୁଖଙ୍କ ନୀରବତାକୁ ନେଇ ପ୍ରଶ୍ନ ଉଠାଇଲେଣି ବିରୋଧୀ । ଆଉ ଏହାକୁ ଅସ୍ତ୍ର କରି ଗଞ୍ଜାମ ଗଡରେ ଧସେଇ ପଶିବାକୁ ସୁଯୋଗ ଖୋଜୁଛନ୍ତି ବିରୋଧୀ । ଏହାଛଡା ପୋଲସରା ଓ ସୋରଡା ବିଧାୟକ ପ୍ରଦୀପଙ୍କ ସହ ଥିବା ଘନିଷ୍ଠ ସମ୍ପର୍କକୁ ନେଇ ଚର୍ଚ୍ଚାକୁ ଆସିବା ପରେ ବିଜେଡିର ମୁଣ୍ଡବିନ୍ଧା ଆରମ୍ଭ ହୋଇଛି । ତେଣୁ ଗଞ୍ଜାମ ଗଡକୁ ସୁରକ୍ଷା ଦେବାକୁ ବିଜେଡି ନୀଳନକ୍ସା ପ୍ରସ୍ତୁତ କରୁଛି । କାରଣ ନବୀନଙ୍କ ପଲିଟିକାଲ ଗ୍ରାଉଣ୍ଡ କୁହାଯାଉଥିବା ଗଞ୍ଜାମରେ ଦଳ ବ୍ୟାକଫୁଟରେ ରହୁ ଏକଥା ଚାହୁଁନାହାନ୍ତି ଦଳର ଥିଙ୍କଟ୍ୟାଙ୍କ । ଗଞ୍ଜାମରେ ବିଜେଡିର ଦୁର୍ଗ ଦୋହଲିଲେ ଏହାର ପ୍ରଭାବ ପୂରା ରାଜ୍ୟରେ ଦେଖିବାକୁ ମିଳିପାରେ । ତେଣୁ ଗଞ୍ଜାମ ଗଡକୁ ବଞ୍ଚାଇବାକୁ ବିଜେଡିର ସୁରକ୍ଷାକବଚ ଭାବେ ପୁଣିଥରେ ସୂର୍ଯ୍ୟଙ୍କୁ ସାମ୍ନାକୁ ଆଣିବାକୁ ନବୀନ ନିବାସରେ ପ୍ରସ୍ତୁତ ହେଉଛି ବ୍ଲୁ-ପ୍ରିଣ୍ଟ ।
ବିଜେଡି ରାଜନୀତିର ସବୁଠୁ ପୁରୁଣା ସିପାହୀ ସୂର୍ଯ୍ୟ ପାତ୍ର ପ୍ରଥମରୁ ନବୀନଙ୍କ ଗୁଡବୁକରେ ରହି ଆସିଛନ୍ତି । ବିଜୁ ଅମଳର ଏହି ନେତା ନବୀନ ସରକାରରେ ଅନେକବାର ମନ୍ତ୍ରୀପଦ ଦାୟିତ୍ୱ ତୁଲାଇଥିବା ବେଳେ ବିଜେଡିର ଜଣେ ଭରସାଯୋଗ୍ୟ ସିପାହୀ ଭାବେ ନବୀନଙ୍କ ବିଶ୍ୱାସ ଜିଣିଛନ୍ତି । ଯେଉଁଥିପାଇଁ ପଞ୍ଚମ ପାଳିରେ ସୂର୍ଯ୍ୟଙ୍କୁ ମିଳିଥିଲା ବାଚସ୍ପତି ପଦ । କିନ୍ତୁ ପ୍ରଦୀପଙ୍କୁ ବହିଷ୍କାର ଓ ବିବାଦୀୟ ହୋଇପଡିଥିବା ବିକ୍ରମଙ୍କ ବିକଳ୍ପ ଭାବେ ଗଞ୍ଜାମ ଗଡକୁ ବଞ୍ଚାଇବାକୁ ସୂର୍ଯ୍ୟଙ୍କୁ ସିପାହୀ ଭାବେ ଗଞ୍ଜାମ ମୈଦାନକୁ ପୁଣିଥରେ ଓହ୍ଲାଇବାକୁ ଚାହୁଁଛି ଦଳ । ଗଞ୍ଜାମ ରାଜନୀତିକୁ ନିଜ ହାତମୁଠାରେ ରଖିପାରିବା ଭଳି ଦକ୍ଷତା ସୂର୍ଯ୍ୟଙ୍କ ପାଖରେ ରହିଥିବା ବେଳେ ନିଜ ତେଜରେ ବିରୋଧୀଙ୍କୁ ମାତ୍ ଦେବା ପାଇଁ କ୍ଷମତା ରଖିଛନ୍ତି ସୂର୍ଯ୍ୟ । ଯେଉଁଥିପାଇଁ ନବୀନଙ୍କ ପ୍ରଥମ ପସନ୍ଦ ଭାବେ ସୂର୍ଯ୍ୟଙ୍କ ନାଁ ସାମ୍ନାକୁ ଆସିଛି ।
ଏହାଛଡା ସୂର୍ଯ୍ୟଙ୍କୁ ପୁଣିଥରେ ମନ୍ତ୍ରୀମଣ୍ଡଳକୁ ଡାକରା ଆସିବା ପଛରେ ଆଉ ଏକ ବଡ କାରଣ ହେଉଛି ବରିଷ୍ଠ ଟ୍ୟାଗ୍ । ଗଞ୍ଜାମରେ ଦଳକୁ ଏକଜୁଟ୍ କରି ରଖିବା ଭଳି କୌଣସି ଚେହେରା ସାମ୍ନାକୁ ଆସୁନଥିବା ବେଳେ ଦଳ ପାଇଁ ସୂର୍ଯ୍ୟ ସବୁଠୁ ବଡ ସୁରକ୍ଷାକବଚ ଏକଥା ବେଶ ଭଲ ଭାବେ ଜାଣନ୍ତି ନବୀନ । ତେଣୁ ବାଚସ୍ପତି ପଦରୁ ଅବ୍ୟାହତି ଦେଇ ରାଜନୀତିରେ ଦୀର୍ଘଦିନର ଅଭିଜ୍ଞତା ରଖିଥିବା ସୂର୍ଯ୍ୟଙ୍କୁ ପୁଣିଥରେ ଗଞ୍ଜାମରେ ଦଳୀୟ ସଙ୍ଗଠନକୁ ସଜାଡିବା ପାଇଁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇପାରେ । ଏହାବାଦ୍ ବାଚସ୍ପତି ଭାବେ ସୂର୍ଯ୍ୟଙ୍କ କାର୍ଯ୍ୟ ମଧ୍ୟ ମନ୍ତ୍ରୀମଣ୍ଡଳ ଟିକେଟ ପାଇଁ ସବୁଠୁ ବଡ ସାର୍ଟିଫିକେଟ ବୋଲି କୁହାଯାଉଛି । ବନବୀନ ସରକାର ଏବେ ଟେକ୍ନୋଲୋଜିକୁ ଗୁରୁତ୍ୱ ଦେଉଥିବା ବେଳେ ବାଚସ୍ପତି ଭାବେ ବିଧାନସଭାକୁ ହାଇଟେକ କରିବାକୁ ନୂଆ ନୂଆ ଟେକ୍ନୋଲୋଜିକୁ ସାମିଲ କରିଛନ୍ତି ସୂର୍ଯ୍ୟ । ଏପରିକି କରୋନା ସମୟରେ ସୂର୍ଯ୍ୟ ଯେଉଁଭଳି ବିଧାନସଭା ଅଧିବେଶନ ଚଲାଇଲେ ତାହା ବିଜେଡି ସୁପ୍ରିମୋଙ୍କୁ ବେଶ ପ୍ରଭାବିତ କରିଛି । ତେଣୁ ଟେକ୍ନୋଲୋଜିକୁ ଗୁରୁତ୍ୱ ଦେଉଥିବା ଜଣେ ନେତାଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରିବାକୁ ନବୀନ ଅଙ୍କ କଷୁଥିବା ବେଳେ ସୂର୍ଯ୍ୟ ଏହି ଦୌଡରେ ଆଗୁଆ ରହିଛନ୍ତି । ଯଦି ଏଭଳି ହୁଏ ତେବେ ନିରଞ୍ଜନଙ୍କ ପୁନରାବୃତ୍ତି ସୂର୍ଯ୍ୟଙ୍କ ଠାରେ ଦେଖିବାକୁ ମିଳିପାରେ ।