କଟକଣା ସତ୍ତ୍ୱେ ଭସାଇଲେ ଡଙ୍ଗା
ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଏହି ଦିନରେ ପୁରୁଣା ଉକ୍ରଳୀୟ ପରମ୍ପରାକୁ ମନେ ପକାଇ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୁଏ । ସକାଳୁ ସକାଳୁ ଗାଁରୁ ସହର ସବୁଠି ନଦୀ ପୁଷ୍କରଣୀରେ ଲୋକଙ୍କ ଭିଡ । କିନ୍ତୁ ଚଳିତ ବର୍ଷ କରୋନା କଟକଣା ସତ୍ତ୍ୱେ ଲୋକେ ବିଭିନ୍ନ ସ୍ଥାନରେ ଡ଼ଙ୍ଗା ଭସାଇବାର ଦେଖିବାକୁ ମିଳିଛି ।
କୁଆଖାଇ ନଦୀ ଘାଟ ଗୁଡ଼ିକରେ ୧୪୪ ଧାରା ଲାଗିଛି । ଡ଼ଙ୍ଗା ଭସାଇବାକୁ ମନା କରାଯାଇଛି । ରାତି ୩ଟାରୁ ପୋଲିସ ଜଗିଥିଲେ ବି କିଛି ଦୁରରେ ଥିବା ନଦୀ କୂଳରେ ଲୋକେ ଡ଼ଙ୍ଗା ଭସାଇଛନ୍ତି । ସେହିପରି ସମୁଦ୍ରକୂଳରେ ମଧ୍ୟ ଲୋକେ କଟକଣା ନମାନି ଡ଼ଙ୍ଗା ଭାସାଇଥିବା ଦେଖିବାକୁ ମିଳିଛି ।
ଆ-କା-ମା- ବୈ .. , ପାନ ଗୁଆ ଥୋଇ ..ପାନ ଗୁଆ ତୋର, ମାସକ ଧରମ ମୋର .. । ଧର୍ମ ପୁରାଣ ଅନୁସାରେ ଆଷାଢ, କାର୍ତ୍ତିକ, ମାର୍ଗଶିର ଓ ବୈଶାଖ – ଏହି ଚାରି ମାସ ବର୍ଷର ପୂଣ୍ୟମାସ । ସେମାନଙ୍କ ମଧ୍ୟରେ କାର୍ତ୍ତିକ ମାସ ଶ୍ରେଷ୍ଠ ବୋଲି କୁହାଯାଏ । ଏହି ମାସରେ କାର୍ତ୍ତିକ ବ୍ରତ ପାଳନ କଲେ ପୂଣ୍ୟଲାଭ ହୁଏ ବୋଲି ବିଶ୍ୱାସ ରହିଛି । କାର୍ତ୍ତିକ ମାସର ଭୋରରୁ ସ୍ନାନ କରିବାଠୁ ସଂଧ୍ୟାରେ ଆକାଶଦୀପ ଦେବାଯାଏଁ ସବୁଥିରେ ଧାର୍ମିକ ମହାତ୍ମ୍ୟ ରହିଛି । ଶେଷ ପାଂଚ ଦିନକୁ ପଂଚୁକ ଭାବେ ପାଳନ କରାଯାଏ ।