ଆଜି ଓଡିଶା ଆସୁଛନ୍ତି ନୀତି ଆୟୋଗ ଉପାଧ୍ୟକ୍ଷ
ଭୁବନେଶ୍ୱର : ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର । ୩ ଦିନିଆ ଗସ୍ତରେ ନୀତି ଆୟୋଗ ଉପାଧ୍ୟକ୍ଷ ଆସୁଛନ୍ତି । ଲୋକସେବା ଭବନର କନଭେନସନ ହଲରେ ହେବାକୁ ଥିବା ବୈଠକେର ନୀତି ଆୟୋଗ ସଦସ୍ୟ ଭିକେ ପଲ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ ଜେନା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ସାମିଲ ହେବେ । ଏହି ବୈଠକ ପୂର୍ବାହ୍ନ ସାଢେ ୧୧ଟାରୁ ଆରମ୍ଭ ହୋଇ ଦିନ ସାଢେ ଗୋଟାଏ ଯାଏଁ ଚାଲିବ ।
ରାଜ୍ୟ ସରକାରଙ୍କ ପକ୍ଷରୁ ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା ନୀତି ଆୟୋଗ ଉପାଧ୍ୟକ୍ଷଙ୍କ ଆଗରେ ତଥ୍ୟ ଉପସ୍ଥାପନ କରିବେ । ଏହି ଅବସରରେ ସ୍ୱତନ୍ତ୍ର ଫୋକସ ରାଜ୍ୟ ମାନ୍ୟତା, ଆକାଂକ୍ଷୀ ଜିଲ୍ଲା ପାଇଁ ଅଧିକ କେନ୍ଦ୍ରୀୟ ଅନୁଦାନ, ଗ୍ରାମ୍ୟ ଭିତିଭୂମି ସୁଦୃଢ କରିବା ପାଇଁ ଅଧିକ ଅନୁଦାନ, କୋଇଲା ରୟାଲଟି ସଂଶୋଧନ ପ୍ରସ୍ତାବ ଆଦି ଓଡିଶା ଦେଇପାରେ ବୋଲି ସୂଚନା ମିଳିଛି ।
ଏହାପରେ ସେ ସମନ୍ବିତ ବିକାଶ ଯୋଜନା ଲକ୍ଷ୍ୟ ହାସଲ ବାବଦରେ ବୁଦ୍ଧିଜୀବୀମାନଙ୍କ ସହିତ ଆଲୋଚନା କରିବେ। ଅପରାହ୍ନ ସାଢ଼େ ୪ଟାରେ ଶିକ୍ଷାନୁଷ୍ଠାନର ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିବେ। ସଂଧ୍ୟା ସାଢ଼େ ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିବେ। ଏହାପରେ ସେ ପୁରୀ ଗସ୍ତରେ ଯିବେ। ସଂଧ୍ୟା ସାଢ଼େ ୮ଟାରେ ସେ ଶ୍ରୀମନ୍ଦିର ଯାଇ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ। ରାଜୀବ କୁମାରଙ୍କ ଓଡ଼ିଶା ରହଣୀ ପୁରୀରେ ହେବ। ଗୁରୁବାର ସକାଳ ସାଢ଼େ ୭ଟାରେ ସେ ସଡ଼କ ପଥରେ ପୁରୀ ସାତପଡ଼ା ଯିବେ। ସେଠାରେ କିଛି ସମୟ ପାଇଁ ଚିଲିକାରେ ରହିବେ। ଏହା ପରେ ରାଜୀବ କୁମାର କୋଣାର୍କ ଗସ୍ତରେ ଯିବା କାର୍ୟ୍ୟକ୍ରମ ରହିଛି।