THE BYAPINI

ଦ୍ୱନ୍ଦ୍ୱ ବଢାଇଲା ବ୍ୟବଚ୍ଛେଦ ରିପୋର୍ଟ

Get real time updates directly on you device, subscribe now.

ସଞ୍ଜୟ ଦାସବର୍ମାଙ୍କ ସହଯୋଗୀ ଚିତ୍ତରଞ୍ଜନ ପଲେଇ ମୃତ୍ୟୁ ମାମଲାରେ ଦ୍ୱନ୍ଦ୍ୱ ବଢାଇଲା ବ୍ୟବଚ୍ଛେଦ ରିପୋର୍ଟ । ହତ୍ୟା ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଥିବାବେଳେ ଶନିବାର ଚିତ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଥିଲା । ରବିବାର ଏହାକୁ କ୍ରାଇମ୍‌ବ୍ରାଞ୍ଚକୁ ଦିଆଯାଇଛି । ତେବେ ରିପୋର୍ଟ ରେ ଦୁର୍ଘଟଣା ପରେ ପାଣିରେ ବୁଡି ଚିତ୍ତରଞ୍ଜନଙ୍କ ମୃତ୍ୟୁ ହୋଇଥିବା ଉଲ୍ଲେଖ ଥିବା କହିଛନ୍ତି ପୁରୀ ସିଡିଏମଓ । ତେଣୁ ଭିସେରା ରିପୋର୍ଟରୁ ଅଧିକ ସ୍ପଷ୍ଟ ହୋଇପାରିବ ବୋଲି ସିଡିଏମଓ କହିଛନ୍ତି ।
ପାଣିରେ ପଡ଼ିବାପରେ ଚିତ୍ତରଞ୍ଜନ ପାଣି ପିଇଥିଲେ ନା ତାଙ୍କୁ ଜୀବନ୍ତ ଅବସ୍ଥାରେ ନୂଆନଈ ପାଣିରେ ଫିଙ୍ଗି ଦିଆଯାଇଥିଲା ସେ ନେଇ ପୋଷ୍ଟମର୍ଣ୍ଟମ ରିପୋର୍ଟ ଆଧାରରେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ କରୁଛି । ତେଣୁ ଘଟଣାସ୍ଥଳକୁ ବାରମ୍ବାର ଯାଇ ବିଭିନ୍ନ ସମ୍ଭାବନାକୁ ନେଇ ତଦନ୍ତ ଚଳାଇଛି । ସେପଟେ ଜଗାକୁ ନେଇ ଲାଇ ଡିକ୍ଟେସନ୍‌ ପରୀକ୍ଷା କରାଇବା ପାଇଁ କ୍ରାଇମ୍‌ବ୍ରାଞ୍ଚ ଚିନ୍ତା କରୁଛି । କ୍ରାଇମ୍‌ବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ଏସ୍‌ପିଙ୍କ ସହିତ ଆଲୋଚନା କରିବା ପରେ ତଦନ୍ତକାରୀ ଅଧିକାରୀ ଶିଶିର ମିଶ୍ରଙ୍କୁ ତଦନ୍ତ କରିବାର କେତେକ ଦିଗ ପ୍ରତି ଧ୍ୟାନ ଦେବାପାଇଁ କହିଯାଇଛନ୍ତି । ଚିତ୍ତରଞ୍ଜନଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଥିବା ନେଇ କ୍ରାଇମ୍‌ବ୍ରାଞ୍ଚ ସନ୍ଦେହ କରୁଛି ।
ଏବେ ମୋବାଇଲର ଫୋନ୍‌ ସିଡିଆର୍‌ ଏବଂ ଚିତ୍ତରଞ୍ଜନଙ୍କ ପୋଷ୍ଟମର୍ଟମ ରିପୋର୍ଟ ଉପରେ ନିର୍ଭର କରି କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଚଳାଇଛି। ଅଟକ ଥିବା ଶାସନ ଦାମୋଦରପୁରର ଜଗନ୍ନାଥ ଷଡ଼ଙ୍ଗୀ, ନିଖୋଜ ପରେ ମୃତ୍ୟୁବରଣ କରିଥିବା ସାନବନ୍ଧକେରାର ଚିତ୍ତରଞ୍ଜନ ପଲେଇ ଏବଂ ୧୧ ତାରିଖ ରାତିରେ ମାଟିଆପଡ଼ା ଛକରେ ହୋଇଥିବା ଭୋଜିରେ ଯୋଗ ଦେଇଥିବା ଅନ୍ୟ ୪ ଜଣଙ୍କ ଫୋନ୍‌କୁ କ୍ରାଇମ୍‌ବ୍ରାଞ୍ଚ ଯାଞ୍ଚ କରୁଛି । ଏହା ସହିତ ମାଟିଆପଡ଼ା ଛକରୁ ଜମାରସୁଆଁ ନୂଆନଈ ମଧ୍ୟରେ ଥିବା ସିସି କ୍ୟାମେରାର ଫୁଟେଜ୍‌କୁ ନେଇ ତଦନ୍ତ ଚାଲିଛି ।
ସୂଚନାଯୋଗ୍ୟ ଯେ ଗତ ୧୧ ତାରିଖ ରାତିରେ ମାଟିଆପଡ଼ା ଛକରେ ଶାସନ ଦାମୋଦରପୁରର ଜଗନ୍ନାଥ ଷଡ଼ଙ୍ଗୀର ଭଡ଼ା ଘରେ ଏକ ଭୋଜିର ଆୟୋଜନ ହୋଇଥିଲା । ବିଳମ୍ବିତ ରାତିରେ ଭୋଜି ସରିବା ପରେ ଏକ ସ୍କୁଟି ଗାଡ଼ିରେ ଜଗା ତା’ର ଘନିଷ୍ଠ ବନ୍ଧୁ ସାନବନ୍ଧକେରାର ଚିତ୍ତରଞ୍ଜନ ପଲେଇଙ୍କୁ ନେଇ ମଦ କିଣିବା ପାଇଁ ଜମାରସୁଆଁ ନୂଆନଈ ଆଡ଼କୁ ଯାଇଥିଲା । ସେଠାରେ ସେମାନେ ଦୁର୍ଘଟଣାଗ୍ରସ୍ତ ହେବା ପରେ ଚିତ୍ତରଞ୍ଜନ ନିଖୋଜ ହୋଇଯାଇଥିବା ନେଇ ଜଗା ବୟାନ ଦେଇଥିଲା ।ପର ଦିନ ନୂଆନଈର ପାଣିରେ ଭାସୁଥିବା ଅବସ୍ଥାରେ ଚିତ୍ତରଞ୍ଜନଙ୍କ ମୃତଦେହ ମିଳିଥିଲା । ତାଙ୍କୁ ହତ୍ୟା ପାଇଁ ଅପହରଣ କରାଯାଇଥିବା ନେଇ ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ ହେବା ପରେ ସଦର ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.