ଭୁବନେଶ୍ୱର: ବର୍ଷକରେ ଦୁର୍ଘଟଣାରେ ଯାଇଛି ୧୪୯ ଜୀବନ
ଭୁବନେଶ୍ୱରରେ ଚଳିତ ବର୍ଷ ଦୁର୍ଘଟଣାରେ ଯାଇଛି ୧୪୯ ଜୀବନ । ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ରାଜ୍ୟସ୍ତରୀୟ ସଡ଼କ ସୁରକ୍ଷା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱର ଅନ୍ୟ ଦେଶ ତୁଳନାରେ ଆମ ଦେଶରେ ସର୍ବାଧିକ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ଘଟୁଛି ବୋଲି ମନ୍ତ୍ରୀ ସଡ଼କ ସୁରକ୍ଷା ପରିଷଦ ବୈଠକରେ ମତପ୍ରକାଶ କରିଛନ୍ତି । ଆମ ରାଜ୍ୟ ଓଡ଼ିଶାରେ ୨୦୨୦ ମସିହାରେ ମୋଟରେ ୪୭୩୮ ଜଣ ବ୍ୟକ୍ତି ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବେଳେ ପ୍ରାୟ ୫ ହଜାର ଜଣ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି ।
ଜାନୁଆରୀ ୧ରୁ ନଭେମ୍ବର ୩୦ ଭିତରେ ୫୩୨ ଦୁର୍ଘଟଣାଜନିତ ମାମଲା । ମୋଟ ୧୪୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦୪ ଜଣ ଗୁରୁତର ହୋଇଛନ୍ତି । କ୍ୟାପିଟାଲ ଥାନା ଅଧିନରେ ସର୍ବାଧିକ ୬୨ଟି ସଡକ ଦୁର୍ଘଟଣା ମାମଲା । ରାଜ୍ୟସ୍ତରୀୟ ସଡକ ସୁରକ୍ଷା ପରିଷଦ ବୈଠକରେ ମନ୍ତ୍ରୀ ପଦ୍ମନାଭ ବେହରା ଦେଲେ ସୂଚନା।
୨୦୧୯ ମସିହା ତୁଳନାରେ ଦୁର୍ଘଟଣାଜନିତ ମୃତ୍ୟୁ ହାର ପ୍ରାୟ ୧୧% ହ୍ରାସ ପାଇଛି ଓ ଏହାର ମୁଖ୍ୟ କାରଣ ହେଲା କୋଭିଡ୍-୧୯ ସ୍ଥିତିରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲକ୍ଡାଉନ୍ ଓ ସଟ୍ଡାଉନ୍ ଲାଗୁ ହେବା କାରଣରୁ ମୃତ୍ୟୁ ହାର ହ୍ରାସ ପାଇଛି । ଆମ ରାଜ୍ୟରେ ଘଟୁଥିବା ପ୍ରତି ୧୦୦ଟି ଦୁର୍ଘଟଣାରେ ୪୮ ଜଣ ମୃତ୍ୟୁ ବରଣ କରୁଥିବାବେଳେ ଜାତୀୟ ସ୍ତରରେ ମୃତ୍ୟୁ ସଂଖ୍ୟା ୩୬ ବୋଲି ସେ କହିଛନ୍ତି । ରାଜ୍ୟରେ ମୁଖ୍ୟତଃ ଯାଜପୁର, ମୟୂରଭଞ୍ଜ, ସୁନ୍ଦରଗଡ଼, କେଉଁଝର, ଅନୁଗୋଳ, ଢେଙ୍କାନାଳ, ବାଲେଶ୍ୱର, ଗଞ୍ଜାମ, କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ଅଧିକ ସଂଖ୍ୟକ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି ଓ ମୋଟର ସାଇକେଲ ଚାଳକଙ୍କ ସଂଖ୍ୟା ସମୁଦାୟ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁର ୫୩ ପ୍ରତିଶତ ଏବଂ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ବ୍ୟକ୍ତି ହେଲ୍ମେଟ୍ ପିନ୍ଧି ନଥିବାରୁ ମୃତ୍ୟୁ ବରଣ କରୁଥିବା ମନ୍ତ୍ରୀ ପ୍ରକାଶ କରିଛନ୍ତି ।