ସାମାନ୍ୟ କମିଲା ଶୀତ, ୨୭ ଓ ୨୮ ତାରିଖରେ ବର୍ଷା ସମ୍ଭାବନା
ସାମାନ୍ୟ କମିଲା ଶୀତ । ଗତ ଦୁଇ ଦିନ ଅପେକ୍ଷା ରାତ୍ରି ତାପମାତ୍ରା ସାମାନ୍ୟ ବୃଦ୍ଧି ହୋଇଥିବା ବେଳେ ରାଜ୍ୟର ୧୧ଟି ସ୍ଥାନର ତାପମାତ୍ରା ୧୦ଡିଗ୍ରୀ ତଳେ ରହିଛି। ଆସନ୍ତାକାଲି ମଧ୍ୟରେ ସ୍ୱାଭାବିକ ଠାରୁ ୨ରୁ ୩ ଡିଗ୍ରୀ ପର୍ୟ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ । ଏହା ପରେ ଭିଜିବ ଓଡ଼ିଶା । କାରଣ ପ୍ରବଳ ଜାଡ଼ ପରେ ଆସୁଛି ବର୍ଷା । ଆଗକୁ ତାପମାତ୍ରା ବଢିବା ସହିତ କିଛି ଜିଲ୍ଲାରେ କୋହଳା ପାଗ ଜାରି ରହିବ ।
କେତେକ ସ୍ଥାନରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସର୍ବନିମ୍ନ ରାତ୍ରି ତାପମାରତ୍ରା ଫୁଲବାଣୀଠାରେ ୬.୫ ଡିଗ୍ରୀ ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର ରାତି ତାପମାତ୍ରା ୦.୧ ରୁ ୨.୪ ଡିଗ୍ରୀ ଯାଏ ବୃଦ୍ଧି ଘଟିଛି। ଉପକୂଳ ଓଡ଼ିଶାରେ ରାତ୍ରି ତାପମାତ୍ରାରେ ୦.୨ ଡିଗ୍ରୀରୁ ୨.୨ ଡିଗ୍ରୀ ଯାଏ ବୃଦ୍ଧି ଘଟିଛି। ଆସନ୍ତା ୨ ଦିନରେ ରାଜ୍ୟର ରାତ୍ରି ତାପମାତ୍ରା ଆହୁରି ୨ରୁ ୩ଡିଗ୍ରୀ ପର୍ୟ୍ୟନ୍ତ ବୃଦ୍ଧି ଘଟିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଆସନ୍ତା ୨୭ତାରିଖ ପର୍ୟ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ । ପରେ ପାଗ ବଦଳିବା ସହିତ ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର, ଦେବଗଡ ଏବଂ କେନ୍ଦୁଝର ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୨୮ ତାରିଖରେ ଝାରସୁଗୁଡା, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ଦେବଗଡ, ସମ୍ବଲପୁର, ବରଗଡ ଏବଂ ସୁନ୍ଦରଗଡର ଅଧିକାଂଶ ଅଞ୍ଚଳରେ ବର୍ଷା ହେବ ।