ନିଖୋଜ ହେଉଛି ମାଆର ନିଶ୍ୱାସ
ପରୀ, ସ୍ୱାତୀ, ପିହୁ ଆଉ ଏବେ ବିଷ୍ଣୁପ୍ରିୟା… ଦିନକୁ ଦିନ ସନ୍ଦେହ ବଢାଉଛି ଏ କଅଁଳ କଢିଙ୍କ ନିଖୋଜ ଘଟଣା । ଶିଶୁ ଅପହରଣ ଅଭିଯୋଗ ଓ ନିଖୋଜ ଘଟଣା ନେଇ ସାରା ରାଜ୍ୟରେ ଅସନ୍ତୋଷ ଦେଖା ଦେଇଥିବା ବେଳେ ଆମ ଭବିଷ୍ୟତ ପିଢିଙ୍କୁ ନେଇ ଆଶଙ୍କା ସୃଷ୍ଟି ହୋଇଛି । ଶୈଶବ ସଙ୍କଟରେ ଥିବାରୁ କେତେ ସୁରକ୍ଷିତ ଶିଶୁ ? ଏ ପ୍ରଶ୍ନ ସମସ୍ତଙ୍କୁ ଆନ୍ଦୋଳିତ କରୁଥିବା ବେଳେ ଶିଶୁ ଅପହରଣ ପଛର ସୈତାନ କିଏ ? କାହିଁକି ନିଖୋଜ ହେଉଛନ୍ତି ପିଲା ? ଦାଣ୍ଡ ଦୁଆରୁ କିଏ କରି ନେଉଛି କି ଚୋରି ? ନା ଶିଶୁ ଅପହରଣ ପଛରେ ରହିଛି ବଡ ଗ୍ୟାଙ୍ଗ ? ସତ ସାମ୍ନାକୁ ଆଣିବାକୁ ସରକାରଙ୍କୁ ବିରୋଧୀ ବାରମ୍ବାର ଘେରୁଛନ୍ତି, ଗାଁ ଲୋକେ ପରିବାର ଲୋକେ ପୋଲିସର ନିଷ୍କ୍ରିୟତାକୁ ଦୋଷ ଦେଉଛନ୍ତି ।
ହେଲେ ୟାରି ଭିତରେ ମାଆର ମମତାକୁ, ମାଆର ମନ ତଳର ବେଦନାକୁ ଏଡାଇ ଦିଆ ଯାଇନପାରେ । ଥରେ ଭାବିଲେ ଦଶମାସ ଦଶଦିନ ଗର୍ଭରେ ଧରି ଯେଉଁ ମାଆ ନିଜ ପିଲାକୁ ଜନ୍ମଦେଇଥିବ । ତା ଖିଲିଖିଲି ହସ, ନିସ୍କପଟ ଚାହାଣୀ, ଦରୋଟି ଓଠର ଭାଷା, ଆଉ ତା ଥୁକୁଲ ଥୁକୁଲ ଚାଲି ଦେଖି ଯେଉଁ ମାଆ ତାର ସବୁ ଦୁଃଖ ଯନ୍ତ୍ରଣା ଭୁଲି ଯାଉଥିବ । ନିଜ ପିଲାକୁ ନେଇ ଗୋଟେ ସୁନେଲି ଭବିଷ୍ୟତର ସ୍ୱପ୍ନ ଦେଖୁଥିବ… ସେହି ମାଆ ଆଗରୁ ତା ମମତା ନିଖୋଜ ହୋଇଯିବ । ତା ଏକୋଇର ବୋଳା ବିଶିକେଶନକୁ କିଏ ତା ଆଖି ସାମ୍ନାରୁ, ତା ନିଶ୍ୱାସର ନିବୁଜ କୋଠରୀରୁ ଅପହରଣ କରିନେବ… ଆଉ ମାଆ ଛୁଆକୁ ଝୁରିଝୁରି ଆଖିର ଲୁହକୁ ଓଠରେ ପିଉଥିବ । ଏମିତି କିଛି ପରିସ୍ଥିତି, ଏମିତି କିଛି ଅବସ୍ଥା ଦେଇ ପରୀ, ପିହୁ, ସ୍ୱାତୀମାନଙ୍କ ଅଭାଗା ମାଆ ଭାଗ୍ୟକୁ ଦୋଷ ଦେଉଥିବେ… କାରଣ ସେମାନଙ୍କ ପିଲା କେମିତି ହଜିଛନ୍ତି, କିଏ ତାଙ୍କୁ ନେଇଛି, କୁଆଡେ ଯାଇଛନ୍ତି ତାହା ଏଯାଏଁ ମାଆ ପାଖରେ ଖବର ନାହିଁ ।
କାହା ଛୁଆ ସପ୍ତାହେ ହେବ ତ କାହା ପିଲା ମାସେ ହେବ ପୁଣି କାହା ଛୁଆ ୪ ମାସ ହେବ କୁଆଡେ ଯାଇଛି ଯେ ଯାଇଛି ନା ସେମାନଙ୍କର ପତ୍ତା ମିଳୁଛି ନା ଖୋଜ ଖବର । ଖାଲି ସେମାନଙ୍କ ଉପସ୍ଥିତି ମନେପଡିଯାଉଛି । ଖାଇଲେ, ବସିଲେ, ଶୋଇଲେ ଛୁଆଙ୍କ କଥା ମନେପକାଇ ଲୁହ ନିଗାଡୁଛି ମାଆ । ଗାଁ ଦାଣ୍ଡରେ ଦୌଡି ଯାଉଥିବା ପିଲାକୁ ଦେଖିଲେ ତା ଧନ କଥା ମନେପଡି ଯାଉଛି । ଘରେ କବାଟ ଖୋଲିଦେଲେ ତା ସୁନା ଝିଅ ପାଠ ପଢୁଥିବାର ଆଖି ସାମ୍ନାରେ ଭାସିଯାଉଛି । ଏମିତି ଅନେକ ସ୍ମୃତି ନେଇ ଏବେ ମାଆକୁ ଦିନ କାଟିବାକୁ ପଡୁଛି ।
ନୟାଗଡ ଯଦୁପୁରର ପରୀ ହତ୍ୟାକାଣ୍ଡ ନିଆଁ ଥମି ନଥିବା ବେଳେ ଏବେ ପୁଣି ସେହି ନୟାଗଡରୁ ଆସିଛି ପୁଣି ଏକ ନିଖୋଜ ଖବର । ଯାହା ପୋଲିସର ନିଜ ହଜାଇ ଦେଇଛି । ରଣପୁର ସୁନାଖଳା ଫାଣ୍ଡି ବଧିପାଟଣାର ୩ ବର୍ଷର ନାବାଳିକା ହରପ୍ରିୟା ସାହୁ ଉରଫ ସ୍ୱାତୀ ଗାଦାଣ୍ଡରେ ଖେଳୁଥିବା ବେଳେ ଦିନ ଦ୍ୱିପ୍ରହରେ ନିଖୋଜ ହୋଇଯାଇଛି । ପରୀ ପରି ସମାନ କାହାଣୀ ରିପିଟ୍ ହୋଇଥିବା ବେଳେ ତିନି ଦିନ ଧରି କୂଅ, ପୋଖରୀ, ନଦୀ ନାଳରେ ଖୋଜୁଛନ୍ତି ଟି୍ମ । ହେଲେ ପୋଲିସର ହାତ ଖାଲି ପଡୁଛି ।
ସେହିପରି ଯାଜପୁରର ୨ ବର୍ଷର ପିହୁ ମାମୁଘରେ ଖେଳୁଥିବା ବେଳେ ନିଖୋଜ ହୋଇଛି । ବାଲେଶ୍ୱର ବାଲିଆପାଳର ୭ ବର୍ଷର ବିଷ୍ଣୁପ୍ରିୟା ବି କେଉଁଆଡେ ନିଖୋଜ ଥିଲା । ହେଲେ ଖୋଜାଖୋଜି ପରେ ପୋଖରୀ ହୁଡାରୁ ନିଖୋଜ ନାବାଳିକାଙ୍କ ମୃତଦେହ ମିଳିଛି । ତାଙ୍କ ବେକରେ ଦାଗ ଚିହ୍ନ ଥିବାରୁ ହତ୍ୟା ହୋଇଥିବା ସନ୍ଦେହ କରାଯାଉଛି । କୁହାଯାଉଛି ଅବୈଧ ସମ୍ପର୍କ ଦେଖିଦେବା ପରେ ତାକୁ ହତ୍ୟା କରାଯାଉଛି ।
ସେ ଯାହା ବି ହେଉନା କାହିଁକି ଶିଶୁମାନଙ୍କର ଏ ଘଟଣା ସତରେ ସମସ୍ତଙ୍କୁ ବ୍ୟଥିତ କରିଛି । ନିଖୋଜ ଓ ଅପହରଣ ପଛର କାହାଣୀ ତ ପୋଲିସ ସାମ୍ନାକୁ ଆଣିବ, ସମୟ ସୈତାନଙ୍କୁ ଧରାପକାଇବ ହେଲେ ଯେଉଁ ମାଆ କୋଳରୁ ଛୁଆ ଯାଇଛି, ଯାହା ପାଇଁ ତା ଆଖିରୁ ଲୁହ ନିଗୁଡୁଛି ତାହା କଣ ବନ୍ଦ ହେବ ? ସେ ଛୁଆ କଣ ଫେରି ଆସିବ ? ତେଣୁ ଆସନ୍ତୁ ଶୈଶବକୁ ବଞ୍ଚାଇବା । ଗୋଟେ ଭଲ ଭାରତ ଗଠନ ପାଇଁ ଭବିଷ୍ୟତଙ୍କୁ ସୁରକ୍ଷା ଦେବା…