THE BYAPINI

ଲିଙ୍ଗରାଜ ମନ୍ଦିର ଦାୟିତ୍ୱରେ ରହିବେ କେଉଁ ପ୍ରଶାସକ?

Get real time updates directly on you device, subscribe now.

ଶ୍ରୀମନ୍ଦିର ଢାଂଚାରେ ଲିଙ୍ଗରାଜ ମନ୍ଦିରର ପରିଚାଳନା ପାଇଁ ଆଇନ କାର୍ଯ୍ୟକାରୀ କରିଛନ୍ତି ରାଜ୍ୟ ସରକାର । ଅର୍ଥାତ୍ ଶ୍ରୀମନ୍ଦିରରେ ଯେଭଳି ପରିଚାଳନା କମିଟି ସମସ୍ତ ନିଷ୍ପତ୍ତି ଗ୍ରହଣ କରୁଛି ଠିକ ସମାନ ଢଙ୍ଗରେ ଲିଙ୍ଗରାଜ ମନ୍ଦିର ବାବଦରେ ସମସ୍ତ ନିଷ୍ପତ୍ତି ନିଆଯିବ । ସୂଚନା ଅନୁସାରେ ୧୫ ଜଣ ସଦସ୍ୟଙ୍କୁ ନେଇ ଶ୍ରୀଲିଙ୍ଗରାଜ ମନ୍ଦିର ପରିଚାଳନା ପାଇଁ କମିଟି ଗଠନ ହେବ । ଏହି କମିଟି ଲିଙ୍ଗରାଜ ମନ୍ଦିର ପରିସର ଏବଂ ବାହାରେ ଥିବା ଅନ୍ୟ ମନ୍ଦିର ଓ ମଠ ସଂପର୍କିତ ବ୍ୟାପାରଗୁଡିକର ପରିଚାଳନା ଦାୟିତ୍ୱ ତୁଲାଇବ । ଲିଙ୍ଗରାଜ ମନ୍ଦିରର ଦୈନନ୍ଦିନ ପରିଚାଳନା ପାଇଁ ଜଣେ ପ୍ରଶାସକ ନିଯୁକ୍ତ ହେବେ । ସେବା, ପୂଜା ଏବଂ ନୀତି ସହ ମନ୍ଦିରର କାର୍ଯ୍ୟ ପରିଚାଳନା ପାଇଁ କମିଟିକୁ ବିଶେଷ କ୍ଷମତା ପ୍ରଦାନ କରାଯାଇଛି ।

ଏହି ନିଷ୍ପତ୍ତିକୁ ଯୁଗାନ୍ତକାରୀ ବୋଲି କୁହାଯାଉଥିବା ବେଳେ ବଡ ପ୍ରଶ୍ନ ଉଠୁଛି, ରାଜ୍ୟ ସରକାର କେଉଁ ପ୍ରଶାସକଙ୍କୁ ଶ୍ରୀଲିଙ୍ଗରାଜ ମନ୍ଦିରର ପରିଚାଳନା ଦାୟିତ୍ୱ ପାଇଁ ପଠାଇବେ? ଏବେ ପୂର୍ତ୍ତ ସଚିବ ଥିବା କ୍ରିଷନ କୁମାର ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଅଛନ୍ତି । ସେହିଭଳି ନୀତି ପ୍ରଶାସକଙ୍କୁ ସମେତ ଆଉ କିଛି ଅଧିକାରୀ ମଧୀ ଜଗନ୍ନାଥ ମନ୍ଦିରର ସୁପରିଚାଳନା ଦାୟିତ୍ୱରେ ଅଛନ୍ତି । ବଡ କଥା ହେଉଛି, ରାଜ୍ୟ ସରକାର ଆଜି ଯାଏଁ ଜଣେ ପୂର୍ଣ୍ଣକାଳୀନ ପ୍ରଶାସକଙ୍କୁ ଶ୍ରୀମନ୍ଦିର ଦାୟିତ୍ୱରେ ରଖିପାରିନାହାନ୍ତି । କେନ୍ଦ୍ରାଂଚଳ ଦାୟିତ୍ୱରେ ଥିବା ପ୍ରଶାସକ ଅଥବା ସଚିବାଳୟରୁ ଜଣେ ଅନୁଗତ ପ୍ରଶାସକଙ୍କୁ ସର୍ବଦା ଦାୟିତ୍ୱ ଦେଇ ଆସିଛନ୍ତି ରାଜ୍ୟ ସରକାର । ଏପରିକି ସୁପ୍ରିମକୋର୍ଟଙ୍କର ନିର୍ଦ୍ଦେଶକୁ ମଧ୍ୟ ଏକ୍ଷେତ୍ରରେ ଲାଗୁ କରିନାହାନ୍ତି ରାଜ୍ୟ ସରକାର । ଶ୍ରୀମନ୍ଦିର ସଂସ୍କାର ପରିପ୍ରେକ୍ଷୀରେ ଦେଶର ସର୍ବୋଚ୍ଚକୋର୍ଟ ଶ୍ରୀମନ୍ଦିରରେ ଜଣେ ପୂର୍ଣ୍ଣକାଳୀନ ପ୍ରଶାସକଙ୍କୁ ନିଯୁକ୍ତି ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଏହାର ଆଜିଯାଏଁ ଅନୁପାଳନ କରିନାହାନ୍ତି ସରକାର ।

ତେଣୁ ପ୍ରଶ୍ନ ଉଠିବା ସ୍ୱାଭାବିକ ଲିଙ୍ଗରାଜ ମନ୍ଦିର ପାଇଁ ଜଣେ ପୂର୍ଣ୍ଣକାଳୀନ ପ୍ରଶାସକଙ୍କୁ ଦାୟିତ୍ୱ ଦିଆଯିବ ନା ତାଙ୍କ ମୂଳ ଦାୟିତ୍ୱ ସହ ସେ ଏହି କାର୍ଯ୍ୟକୁ ଅତିରିକ୍ତ ଭାବେ ତୁଲାଇବେ । ଯଦି ଅତିରିକ୍ତ ଭାବେ ଦାୟିତ୍ୱ ମିଳିବ, ତେବେ ସଠିକ ଭାବେ ସେ ଏହାର ଦାୟିତ୍ୱ ନିର୍ବାହ କରିପାରିବେ ତ? ଚର୍ଚ୍ଚା ହେଉଛି ବିଏମସି କମିଶନରଙ୍କୁ ଏହି ଦାୟିତ୍ୱ ଅତିରିକ୍ତ ଭାବେ ମିଳିପାରେ । ସେହିଭଳି ଅନ୍ୟ କିଛି ନାଁକୁ ନେଇ ମଧ୍ୟ ପ୍ରଶାସକ ପଦ ପାଇଁ ଚର୍ଚ୍ଚା କରାଯାଉଛି । ଯାହାକୁ ବି ପ୍ରଶାସକ ଭାବେ ଦାୟିତ୍ୱ ମିଳୁ, ହେଲେ ସମସ୍ତଙ୍କୁ ଏକାଠି ନେଇ ନୀତି କାନ୍ତି ଆଉ ପରିଚାଳନା ସଠିକ ଭାବେ କରିବା ବଡ ଆହ୍ୱାନଭରା ହେବ ।

Get real time updates directly on you device, subscribe now.

Leave A Reply

Your email address will not be published.