ନୂଆବର୍ଷରୁ ନୂଆ ନିୟମ
ନୂଆବର୍ଷରୁ ନୂଆ ନିୟମ । ଆଉ ଗାଡି ଚାଳକଙ୍କୁ ବାରମ୍ବାର ଧାଇଁବାକୁ ପଡିବନି ଆରଟିଓ ଅଫିସ ।ଜାନୁଆରୀ ପହିଲାରୁ ଅନଲାଇନରେ ହେବ ପରିବହନ ବିଭାଗର ସବୁ କାମ । ନୂଆବର୍ଷରୁ ବଡ ସଂସ୍କାର ଆଣିବାକୁ ପରିବହନ ବିଭାଗର ବଡ ଉଦ୍ୟମ । ଡିଏଲଠାରୁ ଆରମ୍ଭ କରି ଗାଡି ପରମିଟ ଭଳି ସମସ୍ତ କାମ ଏଣିକି ଅନଲାଇନରେ ହେବ । ବିଭିନ୍ନ ସମୟରେ ଅଭିଯୋଗ ଆସୁଥିଲା ଏହି ସବୁ କାମକରେ ମିଡଲମ୍ୟାନ ବା ଦଲାଲଙ୍କ ଭୂମିକା ରହୁଥିଲା । ଏବେ ଅନେକାଂଶରେ ମିଡିଲମ୍ୟାନମାନଙ୍କ ଭୂମିକା କମିଥିଲେ ବି ଏହାକୁ ସଂପୂର୍ଣ୍ଣ ବନ୍ଦ କରିବାକୁ ବିଭାଗ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି । ଏହା ଆସନ୍ତାକାଲିଠାରୁ ଲାଗୁ ହେବ ବୋଲି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।
କରୋନା କାଳରେ ପରିବହନ ବିଭାଗର ସମସ୍ତ କାମକୁ ଅନଲାଇନ ମୋଡକୁ ଆଣିବା ପସନ୍ଦ କରୁଛନ୍ତି ସାଧାରଣ ଲୋକେ । କେବଳ ଏତିକି ନୁହେଁ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ସାବାଡ କରିବାକୁ ନିୟମରେ ଅନେକ ପରିବର୍ତ୍ତନ ଆଣିଛି ପରିବହନ ବିଭାଗ । ଜରିମାନା ବୃଦ୍ଧି ସହ ବିଭିନ୍ନ ଚେକିଂକୁ କଡାକଡି କରାଯାଇଛି ।ପରିବହନ ବିଭାଗ ଅନେକ ସଂସ୍କାରମୂଳକ ପଦକ୍ଷେପ ହାତକୁ ନେଇଛି ।