ପୁଣି ଚିହ୍ନଟ ହେଲେ ୧୪ ଓମିକ୍ରନ ଆକ୍ରାନ୍ତ
ରାଜ୍ୟରେ ବଢୁଛି ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା । ପୁଣି ଚିହ୍ନଟ ହେଲେ ୧୪ ଆକ୍ରାନ୍ତ । ଆଜିର ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୫ରେ ପହଞ୍ଚିଛି । ଏନେଇ ଆଇଏଲଏସ୍ ପକ୍ଷରୁ ସୂଚନା ଦିଆଯାଇଛି । ଗତ ୧୨ଦିନ ଭିତରେ ଉପରମୁହାଁ ହୋଇଛି କରୋନା ସଂକ୍ରମଣ । ଯାହାକୁ ନେଇ ରାଜ୍ୟସରକାରଙ୍କ ଚିନ୍ତା ବଢିବାରେ ଲାଗିଛି ।
ଆଜି ରାଜ୍ୟରେ ୪ ହଜାର ମୁହାଁ ଦୈନିକ କରୋନା ସଂକ୍ରମଣ । ଗୋଟିଏ ଦିନରେ ୩ ହଜାର ୬୭୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୨ ହଜାର ୧୪୮ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ଅଂଚଳରୁ ୧୫୩୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅର୍ଥାତ ଗତକାଲିଠାରୁ ଆଜି ୯୭୬ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସବୁଠାରୁ ବଡ କଥା ହେଉଛି କେବଳ ଜାନୁଆରୀ ମାସରେ ୮ଦିନରେ ରାଜ୍ୟରୁ ଚିହ୍ନଟ ହେଲେଣି ୧୧ ହଜାର ୩୨୧ ସଂକ୍ରମିତ । ଖୋର୍ଦ୍ଧାରୁ ୧ହଜାର ୨୨୩ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡରୁ ସାମ୍ନାକୁ ଆସିଛି ୫୮୨ଟି ମାମଲା । ସେହିଭଳି ୟେଲୋ ଜୋନରେ ଥିବା ସମ୍ବଲପୁର ଜିଲ୍ଲାରେ ୩୭୨ ଓ ଦେବଗଡରେ ୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଦେବଗଡରେ କମ୍ ସଂକ୍ରମିତ ଚିହ୍ନଟ ହୋଇଥିଲେ ମଧ୍ୟ, ନମୁନା ପରୀକ୍ଷା ହାରରେ ଏହା ଅଧିକ ରହିଛି ।