THE BYAPINI

ପାଠକଙ୍କୁ ଦିଆଯାଉ ବାଧ୍ୟତାମୂଳକ ଅବସର : ନବୀନ

Get real time updates directly on you device, subscribe now.

ଦୁର୍ନୀତିଗ୍ରସ୍ତ ଆଇଏଫଏସ ଅଧିକାରୀ ଅଭୟକାନ୍ତ ପାଠକଙ୍କୁ ଚାକିରୀରୁ ବାଧ୍ୟତାମୂଳକ ଅବସର ଦିଆଯାଉ । ଏହି ମର୍ମରେ କେନ୍ଦ୍ର ସରକାରଙ୍କୁ ଅବଗତ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସର୍ବଭାରତୀୟ ସେବାର ଏହି ଅଧିକାରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିବା ପରେ ମୁଖ୍ୟମନ୍ତ୍ରୀ ପ୍ରସଙ୍ଗକୁ ଗୁରୁତର ସହ ନେଇ କେନ୍ଦ୍ରକୁ ଏଭଳି ସୁପାରିଶ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ, ଦୁର୍ନୀତି ଅଭିଯୋଗରେ ଜଣେ ଆଇଏଫଏସ ରାଙ୍କର ଅଫିସରଙ୍କ ବିରୁଦ୍ଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ରାଜ୍ୟ ସରକାର ସୁପାରିଶ କରିବା ହେଉଛି ପ୍ରଥମ ଘଟଣା ।

ଦୁର୍ନୀତି ଅଭିଯୋଗରେ ରାଜ୍ୟ ଭିଜିଲାନସ ଉଭୟ ଅଭୟକାନ୍ତ ପାଠକ ଏବଂ ପୁଅ ଆକଶ ପାଠକଙ୍କୁ ଗିରଫ କରିଥିଲା । ବେଆଇନ ସଂପତ୍ତି ଠୁଳ ଅଭିଯୋଗ ଆସିବା ପରେ ରାଜ୍ୟରେ ଆଉ ରାଜ୍ୟ ବାହାରେ ଚଢାଉ କରି ବିପୁଳ ପରିମାଣରେ ସମ୍ପତ୍ତି ଠାବ କରିଥିଲା ଭିଜିଲାନସ । ଏପର୍ଯ୍ୟନ୍ତ ୨୦ କୋଟି ଟଙ୍କାର ସୁରାଗ ପାଇଛି ଭିଜିଲାନସ । ଆଗକୁ ଏହି ତାଲିକା ଆହୁରି ଲମ୍ବିପାରେ ବୋଲି ଅନୁମାନ କରାଯାଉଛି । ଉଭୟ ଅଭୟକାନ୍ତ ପାଠକ ଓ ଆକାଶ ପାଠକ ଏବେ ଜେଲରେ ଅଛନ୍ତି । ସେହିଭଳି ଆକାଶ ପାଠକ ସହ ମିଶି ଠକେଇ କରିଥିବା ମାମଲାରେ କ୍ରାଇମବ୍ରାଂଚ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବି ଏବେ ଜେଲରେ ।

କେନ୍ଦ୍ରକୁ ଦିଆଯାଇଥିବା ତଥ୍ୟ ଅନୁସାରେ, ବେଆଇନ ଭାବେ ଅଭୟକାନ୍ତ ପାଠକ ହାସଲ କରୁଥିବା ଟଙ୍କାକୁ ପୁଅ ଆକାଶ ପାଠକ ଆକାଉଂଟରେ ଜମା କରୁଥିଲେ । ଏପରିକି ପୁଅକୁ ଟାଟା ମୋଟର୍ସର ଏମଡି ଭାବେ ଅଭିହିତ କରିବାରେ ମଧ୍ୟ ଅଭୟକାନ୍ତଙ୍କ ହାତ ଥିବା କେନ୍ଦ୍ରକୁ ଅବଗତ କରାଯାଇଛି । ଠକେଇ, ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ନାଁରେ ଫଶେଇବା ଭଳି ଅଭିଯୋଗରେ ଆକାଶ ପାଠକଙ୍କୁ କ୍ରାଇମବ୍ରାଂଚ ଗିରଫ କରିଛି । ଟାଟା ମୋଟର୍ସ ତରଫରୁ ଆକାଶ ପାଠକଙ୍କ ନାଁରେ ଏତଲା ମଧ୍ୟ ଦିଆଯାଇଥିଲା, ଯାହାର ଅଧାରରେ ତଦନ୍ତ କରି ଆକାଶଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଂଚ ।

ଅଭୟକାନ୍ତ ପାଠକ ଅନେକ ଦାମୀ ଗାଡି ବ୍ୟବହାର କରୁଥିବା କଥା ମଧ୍ୟ ତଦନ୍ତ ବେଳେ ଭିଜିଲାନସ ଜାଣିବାକୁ ପାଇଥିଲା । ତାଲିକାରେ ଥିଲା ମର୍ସିଡିଜ୍, ବିଏମଡବ୍ଲ୍ୟୁ ଭଳି ଗାଡି । ଲକଡାଉନ ସମୟରେ ପୁଅ ଆକାଶ ପାଠକ ସହ ମିଶି ଅଭୟକାନ୍ତ ଚାଟାର୍ଡ ଫ୍ଲାଇଟ ବୁକ୍ କରି ଆକଶରେ ଏକାଧିକ ବାର ଉଡିଥିଲେ । ଆଉ ଏହିଠାରୁ ହିଁ ଆରମ୍ଭ ହୋଇଥିଲା ଅଭୟକାନ୍ତ ପାଠକଙ୍କ ଉପରେ ସନ୍ଦେହ । ଅନୈତିକ ଉପାୟରେ ଅର୍ଜନ କରାଯାଇଥିବା ସମ୍ପତ୍ତିକୁ ଲୋକ ଦେଖାଣିଆ କରିବାକୁ ଉଭୟ ପାଠକ ବାପା-ପୁଅ ଯଥାସମ୍ଭବ ଉଦ୍ୟମ ମଧ୍ୟ କରିଥିଲେ ।

ବଡ କଥା ହେଉଛି, ନବୀନଙ୍କ ଏଭଳି ସୁପାରିଶ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ପାଇଁ ସତର୍କଘଂଟି । ପୂର୍ବରୁ ମଧ୍ୟ ଅନେକ ଅଧିକାରୀଙ୍କୁ ରାଜ୍ୟରେ ବାଧ୍ୟତାମୂଳକ ଅବସର ଦିଆଯାଇଛି । ହେଲେ ସର୍ବଭାରତୀୟ ରାଙ୍କର ଅଧିକାରୀଙ୍କ ବିରୁଦ୍ଧରେ ଏଭଳି ପଦକ୍ଷେପ ନିହାତି ଭାବେ ବ୍ୟବସ୍ଥାରେ ସୁଧାର ଆଣିବା ସହ ଦୁର୍ନୀତି କରିବା ଆଗରୁ ବାବୁଙ୍କୁ ହଜାରେ ଥର ଭାବିବାକୁ ବାଧ୍ୟ କରିବ ବୋଲି ଅନୁମାନ କରାଯାଉଛି ।

Get real time updates directly on you device, subscribe now.

Leave A Reply

Your email address will not be published.