ପବିତ୍ର ମହାଶିବରାତ୍ରୀ ପାଇଁ ଚଳଚଞ୍ଚଳ ରାଜ୍ୟର ସମସ୍ତ ଶୈବପୀଠ
ଆଜି ଜାଗର ତଥା ମହାଶିବରାତ୍ରୀ । ଏଥିପାଇଁ ସମସ୍ତ ଶୈବପୀଠ ଚଳଚଂଚଳ । ହିନ୍ଦୁ ଧର୍ମରେ ମହାଶିବରାତ୍ରୀକୁ ମହାଆଡମ୍ବରରେ ପାଳନ କରନ୍ତି । ବିଗତ ଦୁଇ ବର୍ଷ ହେବ କରୋନା ପାଇଁ ବିଭିନ୍ନ ନିୟମ ଭିତରେ ମହାଶିବରାତ୍ରୀ ପାଳନ ହେଉଛି ।ଏକାମ୍ର କ୍ଷେତ୍ର ଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ମହାଦୀପ ଉଠିବ । ସାମାଜିକ ଦୂରତା ଅବଲମ୍ବନ କରି ମନ୍ଦିର ବେଢାରେ ଶ୍ରଦ୍ଧାଳୁ ଦୀପ ଦାନ କରିପାରିବେ । ମହାଶିବରାତ୍ରୀ ଅବସରରେ ମନ୍ଦିର ଗର୍ଭ ଗୃହକୁ ପ୍ରବେଶ ନିଷେଧ ଥିବାବେଳେ ଆଡ କାଠ ଯାଏ ଶ୍ରଦ୍ଧାଳୁ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିପାରିବେ ।
ମହାପ୍ରଭୁ ଲିଙ୍ଗରାଜ ମନ୍ଦିରରେ ମଧ୍ୟ ନାହିଁ ନଥିବା ଭିଡ଼ ପରିଲିକ୍ଷିତ ହୋଇଛି । ଭୋର ୩.୩୦ରେ ମଙ୍ଗଳା ଆଳତି ପରେ ଆରମ୍ଭ ହୋଇଛି ଅବକାଶ ନୀତି । ୫ଟାରୁ ସାହଣ ମେଳା ଦର୍ଶନ ବା ସାଧାରଣ ଦର୍ଶନ ହେଉଛି ।ସେହିପରି ରାଜ୍ୟର ପ୍ରମୁଖ ଶୈବପୀଠ ପୁରୀର ଶ୍ରୀଲୋକନାଥ ପୀଠ, ରାଉରକେଲାର ବେଦବ୍ୟାସ, ଆଠଗଡର ଧବଳେଶ୍ବର, ଢେଙ୍କାନାଳର କପିଳାସ, ଆରଡିର ଆଖଣ୍ଡଳମଣି, ବାଲେଶ୍ବରର ପଞ୍ଚଲିଙ୍ଗେଶ୍ବର, ଜଳେଶ୍ବରର ଚନ୍ଦନେଶ୍ବର, ଭୋଗରାଇର ଭୁଷଣ୍ଡେଶ୍ବର, ନୟାଗଡ଼ର ଲଢୁବାବା, କୋରାପୁଟର ଗୁପ୍ତେଶ୍ବର ଭଳି ଶୈବ ପୀଠରେ ମହାଶିବରାତ୍ରୀ ଆଡ଼ମ୍ବରର ସହ ପାଳନ କରାଯାଉଛି । ସମସ୍ତ ଶୈବପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳୁଛି ।
କଟକ ଜିଲ୍ଲା ଆଠଗଡ଼ର ଏହି ପ୍ରସିଦ୍ଧ ଶୈବପୀଠରେ ଏ ବର୍ଷ ବି ଫିକା ପଡିବ ଜାଗର ପର୍ବ। କୋଭିଡ କଟକଣା ପାଇଁ ପୀଠରେ ଜାଗର ଯାତ୍ରା ପାଇଁ ୧୪୪ଧାରା ଲାଗୁ ହୋଇଛି। ସକାଳ ୫ଟା ରୁ ୨ ତାରିଖ ସଂଧ୍ୟା ୭ଟା ପର୍ୟ୍ୟନ୍ତ ୧୪୪ ଧାରା ଜାରି ରହିବ।