ଜେଲ୍ ଗଲେ ବାହୁବଳୀ ବିଧାୟକ ଜଗଦ୍ଦେବ
ଗିରଫ ହୋଇ ଜେଲ ଗଲେ ଚିଲିକାର ଦବଙ୍ଗ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ବାଣପୁର ଜେଏମ୍ଏଫସି କୋର୍ଟ ବିଧାୟକ ଜାମିନ୍ ଆବେଦନ ଖାରଜ କରିବାରୁ ତାଙ୍କୁ ଜେଲ୍ ପଠାଇ ଦିଆଯାଇଛି । ଗତକାଲି ଗିରଫ ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ସେଠାରେ ଜାମିନ ନାମଞ୍ଜୁର ହେବାରୁ ଗତକାଲି ବାଣପୁର୍ ସବ୍ ଜେଲ୍ରେ ପ୍ରଥମ ରାତି କାଟିଛନ୍ତି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ।
ଗତ ୧୨ ତାରିଖରେ ବାଣପୁର ବ୍ଲକ ଅଫିସ ସାମ୍ନାରେ ଲୋକଙ୍କ ଉପରେ ଗାଡି ଚଢାଇ ମାରିଦେବାକୁ ଉଦ୍ୟମ କରିବା ଅଭିଯୋଗ ହୋଇଥିଲା । ଘଟଣାସ୍ଥଳରେ ଉତ୍ୟକ୍ତ ଲୋକେ ବିଧାୟକଙ୍କୁ କାବୁ କରି ନିର୍ଧୁମ ପିଟିଥିଲେ। ପରେ ପୋଲିସ ତାଙ୍କୁ ଉଦ୍ଧାର କରିଥିଲା। ଚିକିତ୍ସା ପାଇଁ ବିଧାୟକଙ୍କୁ ଭୁବନେଶ୍ବରର ହସ୍ପିଟାଲରେ ଭର୍ତ୍ତି କରାଇଥିଲା ପୋଲିସ । ସେଠାରେ ୧୦ ଦିନ ଧରି ଚିକିତ୍ସା ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା । ପରେ ବାଣପୁର ପୋଲିସ ତାଙ୍କୁ ଗିରଫ କରିଥିଲା। ଭୁବନେଶ୍ବର କୋର୍ଟରେ ହାଜର ପରେ ପ୍ରଶାନ୍ତ ଜଗଦେବଙ୍କୁ ନିଆଯାଇଥିଲା ବାଣପୁର କୋର୍ଟ। ସେଠାରେ ତାଙ୍କ ଜାମିନ ଆବେଦନ ଖାରଜ କରି ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।
ବିଧାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ନଥିବାରୁ ଜେଲ୍ରେ ବିଧାୟକଙ୍କ ସହ ଜଣେ ଆଟେଣ୍ଡାଣ୍ଟ ରହିପାରିବେ ବୋଲି ଅନୁମତି ପ୍ରଦାନ କରାଯାଇଛି । ଏହା ସହ ଜେଲର ଯଦି ଅନୁଭବ କରନ୍ତି ଯେ, ବିଧାୟକଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେଉଛି ତେବେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇ ପାରିବ ।