ଅହମଦାବାଦ୍ ସବୁଠାରୁ ସୁଲଭ ଓ ମୁମ୍ବାଇ ସବୁଠାରୁ ମହଙ୍ଗା ସହର
ନୂଆଦିଲ୍ଲୀ: କ’ଣ ଆପଣ ଜାଣନ୍ତି କି ଆମ ଦେଶରେ କେଉଁ ସହରରେ ରହିବା ସବୁଠାରୁ ସୁଲଭ ବା ସବୁଠାରୁ କମ୍ ଖର୍ଚ୍ଚରେ ଦେଶରେ କେଉଁ ସହରରେ ଆପଣ ରହିପାରିବେ? ଉତ୍ତର ହେଉଛି ଅହମଦାବାଦ । ଗୁଜୁରାଟର ଅହମଦାବାଦ ସହର ହେଉଛି ଭାରତର ସବୁଠାରୁ ସୁଲଭ ସହର । ନିକଟରେ ଦେଶର ଅଗ୍ରଣୀ ପ୍ରପର୍ଟି ପରାମର୍ଶଦାତା କମ୍ପାନୀ ନାଇଟ୍ ଫ୍ରାଙ୍କ୍ ଇଣ୍ଡିଆ ପକ୍ଷରୁ ପ୍ରକାଶିତ ଆଫର୍ଡେବିଲିଟି ଇଣ୍ଡେକ୍ସରୁ ଏହା ଜଣାପଡିଛି । ଅନ୍ୟପକ୍ଷରେ ଦେଶର ସବୁଠାରୁ ବ୍ୟୟବହୁଳ ସହର ହେଉଛି ଭାରତର ଆର୍ଥିକ ରାଜଧାନୀ ମାୟାନଗରୀ ମୁମ୍ବାଇ ।
ଗୋଟିଏ ସହରରେ ରହୁଥିବା ବ୍ୟକ୍ତିଙ୍କ ଗୃହଋଣ ବାବଦ ମାସିକ କିସ୍ତିକୁ ସେହି ସହରର ପରିବାରର ଲୋକଙ୍କ ହାରାହାରି ଆୟର ଅନୁପାତ ଆଧାରରେ ଉକ୍ତ ସୂଚୀ ପ୍ରସ୍ତୁତ କରାଯାଇଛି । ଅର୍ଥାତ ଜଣେ ବ୍ୟକ୍ତି ତାଙ୍କ ମୋଟ ଆୟର କେତେ ଅର୍ଥ ଗୃହ ଋଣ କିସ୍ତି ପ୍ରଦାନ ଲାଗି ଆବଶ୍ୟକ କରୁଛନ୍ତି ତାହାକୁ ନେଇ ଉକ୍ତ ସୂଚୀ ପ୍ରସ୍ତୁତ ହୋଇଛି । ଉକ୍ତ ଅନୁପାତରେ ଯେଉଁ ସହରରେ ଜଣେ ଲୋକ ତାଙ୍କ ରୋଜଗାରର ୫୦ ପ୍ରତିଶତରୁ ଅଧିକ ରାଶି ମାସିକ ଋଣ କିସ୍ତି ପରିଶୋଧ ବାବଦରେ ପ୍ରଦାନ କରୁଥାନ୍ତି ତେବେ ତାହାକୁ ବ୍ୟୟବହୁଳ ସହର ଭାବେ ବିବେଚନା କରାଯାଇଛି । ମୁମ୍ବାଇରେ ଏହି ଅନୁପାତ ସର୍ବାଧିକ ଅର୍ଥାତ ୫୫ ପ୍ରତିଶତ ରହିଛି । ଅର୍ଥାତ୍ ଜଣେ ବ୍ୟକ୍ତି ତାଙ୍କ ଆୟର ୫୫ ପ୍ରତିଶତ ଅର୍ଥ ମାସିକ ଗୃହଋଣ କିସ୍ତି ବାବଦରେ ପ୍ରଦାନ କରୁଛନ୍ତି । ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି ହାଇଦ୍ରାବାଦ । ହାଇଦ୍ରାବାଦରେ ଏହି ଅନୁପାତ ୩୧ ପ୍ରତିଶତ । ଦିଲ୍ଲୀରେ ମୋଟ ଆୟ ତୁଳନାରେ ଇଏମଆଇ ଅନୁପାତ ୩୦ ପ୍ରତିଶତ ରହିଛି । ଚତୁର୍ଥ ସ୍ଥାନରେ କର୍ଣ୍ଣାଟକର ବେଙ୍ଗାଲୁରୁ ଏବଂ ତାମିଲନାଡୁର ଚେନ୍ନାଇ ରହିଛନ୍ତି । ଏହି ସହରରେ ଉକ୍ତ ଅନୁପାତ ୨୮ ପ୍ରତିଶତ ରହିଛି । ଏହା ପଛକୁ ମହାରାଷ୍ଟ୍ରର ପୁନେ ପଂଚମ ସ୍ଥାନରେ (୨୬ ପ୍ରତିଶତ) ରହିଛି । କୋଲକତାରେ ମଧ୍ୟ ଏହି ଅନୁପାତ ୨୬ ପ୍ରତିଶତ ରହିଛି । ତେବେ ଗୁଜରାଟର ଅହମଦାବାଦରେ ଉକ୍ତ ଅନୁପାତ ୨୩ ପ୍ରତିଶତ ଅଛି । ତେବେ ଗତବର୍ଷକ ମଧ୍ୟରେ ଏହି ସମସ୍ତ ସହରରେ ବଂଚିବା ଅଧିକ ବ୍ୟୟବହୁଳ ହୋଇଛି ବୋଲି ଏହି ରିପୋର୍ଟରେ ପ୍ରକାଶ କରାଯାଇଛି ।
![](https://thebyapini.in/wp-content/uploads/2023/08/ahmedabad-1024x375.jpeg)