THE BYAPINI

ଅପରିପକ୍ୱରୁ ଅପରାଜେୟ ।

Get real time updates directly on you device, subscribe now.

ଅପରିପକ୍ୱରୁ ଅପରାଜେୟ । ଓଡ଼ିଶା ରାଜନୀତିରେ ନବୀନଙ୍କ ପାଇଁ ଏହାଠାରୁ ବୋଧହୁଏ ଭଲ ସଂଜ୍ଞା ଆଉ କିଛି ହୋଇନପାରେ । କାରଣ ୧୯୯୭ରେ ବିଜେଡି ଗଠନ ସହ ଓଡ଼ିଶା ରାଜନୀତିରେ ନବୀନଙ୍କୁ ମିଳିଥିଲା ସବୁଠୁ ବଡ ବ୍ରେକ ଥ୍ରୁ । ଦଳର ମଙ୍ଗୁଆଳ ମୁକୁଟ ପିନ୍ଧିଥିଲେ ନବୀନ । ଆଉ ନବୀନଙ୍କୁ ଏହି ଗୁରୁଦାୟିତ୍ୱ ଦେବା ପଛର ସବୁଠୁ ବଡ କାରଣ ଥିଲା ବିଜୁଙ୍କ ଭୋଟବ୍ୟାଙ୍କ । ଏହାଛଡା ଓଡ଼ିଶା ରାଜନୀତି ବାବଦରେ ବିଶେଷ ଜାଣିନଥିବା ନବୀନଙ୍କୁ ସଭାପତି କରି କମ ଦିନ ମଧ୍ୟରେ କ୍ଷମତାକୁ ହାଇଜାକ କରିବାକୁ ଚାହୁଁଥିଲେ ଆତ୍ମଘୋଷିତ ବିଜୁ ଅନୁଗତ । ରାଜ୍ୟ ରାଜନୀତିରେ ବିଜୁ ପଟ୍ଟନାୟକଙ୍କ ନାଁରେ ଭୋଟ ଥିବାରୁ ବିଜୁଙ୍କ ପୁଅ ଭାବେ ନବୀନଙ୍କୁ ସାମ୍ନାକୁ ଆଣି ନିର୍ବାଚନୀ ମୈଦାନକୁ ଓହ୍ଲାଇଥିଲା ଦଳ । ଉଭୟ ନବୀନ ଓ ବିଜେଡି ଓଡ଼ିଶାବାସୀଙ୍କ ପାଇଁ ନୂଆ ଥିଲେ । କିନ୍ତୁ ନବୀନଙ୍କ ଭଳି ଓଡ଼ିଶା ବାବଦରେ କମ ଜାଣିଥିବା ଓ ଅଳ୍ପ ଓଡ଼ିଆ କହୁଥିବା ବ୍ୟକ୍ତିଙ୍କୁ ଯେ ଓଡ଼ିଶାବାସୀ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଦେଇଦେବେ ତାହାର ଅନ୍ଦାଜ ଲଗାଇ ପାରିନଥିଲେ ବିଜୁଙ୍କ ଅନୁଗତ କହୁଥିବା କୁଚକ୍ରୀ ଗୋଷ୍ଠୀ । ଯାହାର ପରିମାଣସ୍ୱରୂପ ଦୀର୍ଘ ୨୦ ବର୍ଷ ହେବ କ୍ଷମତାର ଚୌକିରେ ବସିଛନ୍ତି ନବୀନ ।

୧୯୯୭ରୁ ୨୦୨୦ । ଗତ ୨୩ ବର୍ଷ ମଧ୍ୟରେ ଅପରିପକ୍ୱରୁ ଜଣେ ପରିପକ୍ୱ ତଥା ବିଚକ୍ଷଣ ରାଜନେତାର ପରିଚୟ ଦେଇଛନ୍ତି ନବୀନ । ନିର୍ବାଚନ ଠାରୁ ଆରମ୍ଭ କରି ସଙ୍ଗଠନ, ଦଳୀୟ ବ୍ୟାପାର ଠାରୁ ଆରମ୍ଭ କରି ସରକାରୀ ବ୍ୟବସ୍ଥା ୱାନ୍ ମ୍ୟାନ ଆର୍ମି ଭଳି ସବୁଠି ଦେଖିବାକୁ ମିଳିଛି ନବୀନଙ୍କ ପ୍ରଭାବ । ଏହି ଦୁଇ ଦଶନ୍ଧି ମଧ୍ୟରେ ନବୀନ ନିଜକୁ ଓ ବିଜେଡିକୁ ବ୍ରାଣ୍ଡ ଭାବେ ଗଢି ତୋଳିଛନ୍ତି । ଯେଉଁ ବ୍ରାଣ୍ଡ ଏବେ ଓଡ଼ିଶାର ପ୍ରତି ଗାଁରେ ପହଞ୍ଚିଛି । ଖାସକରି ବିଜେଡି ଦଳରେ ନବୀନ ହିଁ ସର୍ବୋପରି ନେତା ଏଭଳି ଏକ ଧାରଣା ଲୋକଙ୍କ ମନରେ ସୃଷ୍ଟି ହୋଇଛି । ଏହାଛଡା ନବୀନଙ୍କ ସ୍ୱଚ୍ଛ ନିର୍ମଳ ଭାବମୂତ୍ତି ଓ ନିର୍ବିବାଦୀୟ ଚେହେରା ବିଜେଡି ପାଇଁ ବରଦାନ ସାବ୍ୟସ୍ତ ହୋଇଛି । ଯେଉଁଥିପାଇଁ ଲଗାତାର ୫ ଥର ପାଇଁ ବିଜେଡି ସପକ୍ଷରେ ଜନମତ ଦେଉଛନ୍ତି ରାଜ୍ୟବାସୀ ।

ରାଜନୀତିରେ ହାର ଜିତ ଲାଗି ରୁହେ । କିନ୍ତୁ ନବୀନଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳେ । ପଲିଟିକାଲ କ୍ୟାରିୟର ଆରମ୍ଭରୁ ପରାଜୟ କଣ ଜାଣି ନାହାନ୍ତି ନବୀନ । ଯାହା ତାଙ୍କୁ ଓଡ଼ିଶା ରାଜନୀତିର ଅପରାଜେୟ ନେତା ଭାବେ ଗଢିତୋଳିଛି । ନିର୍ବାଚନରେ ସଫଳ ଗୋଟିଚାଳନା, ବିରୋଧୀଙ୍କୁ ମାତ୍ ଦେବାର କୌଶଳ ଏବଂ ଲୋକଙ୍କ ବିଶ୍ୱାସ ଓ ଭରସା ଜିତିବା ନବୀନଙ୍କୁ ବେଶ ଭଲଭାବରେ ଜଣା । ଖୁବ କମ କଥା କହୁଥିବା ନବୀନଙ୍କ କାମ କିନ୍ତୁ କଥା କୁହେ । ଯେଉଁଥିପାଇଁ ରାଜ୍ୟରେ ନବୀନଙ୍କ କ୍ରେଜ ଦିନକୁ ଦିନ ବଢିଚାଲିଛି । ଏହାଛଡା ସମଦୂରତ୍ୱ ଫର୍ମୁଲା ନବୀନଙ୍କ ଶାସନ ଗାଦିର ସବୁଠୁ ବଡ ସୁରକ୍ଷାକବଚ ସାଜି ଛିଡା ହୋଇଛି । ୨୦୦୯ ପର୍ୟ୍ୟନ୍ତ ଜାତୀୟ ଦଳ ସହ ମେଣ୍ଟ କରୁଥିବା ନବୀନ ଏହା ପରବର୍ତ୍ତୀ ନିର୍ବାଚନ ଗୁଡିକରେ ସମଦୂରତ୍ୱ ଫର୍ମୁଲାକୁ ବେଶ ଗୁରୁତ୍ୱ ଦେଇ ଆସିଛନ୍ତି । ଆଞ୍ଚଳିକ ଦଳ ଭାବେ ଜାତୀୟ ଦଳ ଠାରୁ ସମାନ ଦୂରତା ଅବଲମ୍ବନ କରି ନବୀନ ଯେଉଁଭଳି ଭାବେ ସଫଳତାର ପୃଷ୍ଠା ଗୋଟିଏ ପରେ ଗୋଟିଏ ଓଲଟାଇ ଚାଲିଛନ୍ତି ତାହା ଅନ୍ୟ ଆଞ୍ଚଳିକ ଦଳ ସମେତ ଜାତୀୟ ଦଳ ଗୁଡିକୁ ମଧ୍ୟ ଆଶ୍ଚର୍ୟ୍ୟଚକିତ କରିଛି ।

ଅପ୍ରତିଦ୍ୱନ୍ଦୀ ନବୀନ । ରାଜନୀତି କ୍ୟାରିୟରର ୨୩ ବର୍ଷ ମଧ୍ୟରେ ନବୀନଙ୍କ ସାମ୍ନାରେ ଅନେକ ଚ୍ୟାଲେଞ୍ଜ ଆସିଛି । ଏଥିରେ ପଛଘୁଞ୍ଚା ନଦେଇ ବିକାଶକୁ ବିଜୟର ଅସ୍ତ୍ର କରି ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଅତିକ୍ରମ କରିଚାଲିଛନ୍ତି ନବୀନ । ମହାବାତ୍ୟା ମାଡରେ ଓଡ଼ିଶାର ମେରୁଦଣ୍ଡ ଭାଙ୍ଗିପଡିଥିବା ବେଳେ ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଉ ନେଉ ବିକାଶର ବୀଜ ବୁଣିଥିଲେ ନବୀନ । ଯାହା ତାଙ୍କର ଆଗାମୀ ରାଜନୈତିକ କ୍ୟାରିୟର ପାଇଁ ବିଜୟର ରାସ୍ତା ଖୋଲିଥିଲା । ସେହିଭଳି ଦୁର୍ନୀତିଖୋରଙ୍କୁ ଦଣ୍ଡ, ଏହି ମନ୍ତ୍ର ନବୀନଙ୍କ ଲଗାତାର ବିଜୟର ସବୁଠୁ ବଡ ପୁଞ୍ଜି ।

ଗତ ୨୩ ବର୍ଷ ମଧ୍ୟରେ ଦୁର୍ନୀତିର ଛାଇ ନବୀନଙ୍କୁ ସ୍ପର୍ଶ କରିନଥିବାରୁ ଏଯାଏଁ ବିଜେଡିର ବିଜୟ ରଥରେ ମଧ୍ୟ ବ୍ରେକ ଲାଗିନି । କିନ୍ତୁ ଗତ କେଇ ବର୍ଷ ହେବ ନବୀନ ସରକାରକୁ ନେଇ ଲୋକଙ୍କ ମନରେ ଟିକିଏ ଅସନ୍ତୋଷ ଦେଖିବାକୁ ମିଳିଛି । ଖାସକରି ଦୁର୍ନୀତିଗ୍ରସ୍ତ ସରକାରୀ ବାବୁ ଓ ଦଳ ଭାଇଙ୍କ ପ୍ରାର୍ଦୁଭାବ ନିର୍ମୁଳି ଲଟା ଭଳି ମାଡି ଚାଲିଥିଲା । ତେଣୁ ଏହାକୁ ସଫା କରିବାକୁ ୫ଟି ଓ ମୋ ସରକାର ଭଳି ଅସ୍ତ୍ର ଛାଡିଛନ୍ତି ନବୀନ । ଏହାଛଡା ବିଭିନ୍ନ ଜନକଲ୍ୟାଣ ଓ ବିକାଶମୂଳକ ଯୋଜନା ମାଧ୍ୟମରେ ଗରିବ, ଖଟିଖିଆ,ଚାଷୀ, ମହିଳା, ଛାତ୍ର ଓ ଯୁବକ-ଯୁବତୀଙ୍କ ପାଖରେ ପହଞ୍ଚି ପାରିଛନ୍ତି ନବୀନ । ଆଉ ନବୀନଙ୍କ ଏହି ସଫଳତାର ପ୍ରଥମ ପାହାଚ ଅତିକ୍ରମ କରିବାକୁ ବିରୋଧୀଙ୍କୁ ଯେ କେତେବର୍ଷ ଲାଗିଯିବ ତାହାର ଅନୁମାନ ଲଗାଇବା ଅସମ୍ଭବ । ଆଉ ଏହା ନବୀନଙ୍କୁ ଓଡ଼ିଶା ରାଜନୀତିରେ ଅପ୍ରତିଦ୍ୱନ୍ଦ୍ୱୀ ନେତାର ଟ୍ୟାଗ୍ ଦେଇଛି । ଯାହା ଦର୍ଶାଉଛି ୧୯୯୭ରେ ପ୍ରଥମ ଥର ପାଇଁ ରାଜନୀତି ପାଠଶାଳାରେ ପାଦ ଦେଇଥିବା ନବୀନ ଏବେ ଓଡ଼ିଶା ରାଜନୀତିରେ ପିଏଚଡି ସ୍କଲାର ହୋଇସାରିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.