ଭୁବନେଶ୍ୱର: ଗଛ ଉପର ଟ୍ରି ହାଉସ୍ରେ, ତଳେ ଜଙ୍ଗଲ , ଜଙ୍ଗଲ ଉପରେ ରୋପ୍ ବ୍ରିଜ୍ରେ ଚାଲିବାର ମଜା ସାଙ୍ଗକୁ ଉଡେନ୍ ବ୍ରିଜ୍ରେ ସେଲ୍ଫି ନେବାର ସ୍ୱତନ୍ତ୍ର ବ୍ୟବସ୍ଥା ଖୁବ୍ ଶୀଘ୍ର ରାଜଧାନୀରେ ଆପଣଙ୍କୁ ମିଳିବାକୁ ଯାଉଛି ଏଭଳି ଅନୁଭବ । ଖଣ୍ଡଗିରି ଅଞ୍ଚଳରେ ୯୦ ଏକର ଜାଗାରେ ତିଆରି ହେଉଥିବା ଆନନ୍ଦବନରେ ଖୁବଶୀଘ୍ର ଏହି ସମସ୍ତ ସୁବିଧା ଲପଲବ୍ଧ ହେବ । ଏଥିପାଇଁ ଓଡ଼ିଶା ଖଣି ନିଗମ ୧୪ କୋଟି ଟଙ୍କା ଯୋଗାଇ ଦେଇଛି । ଘାଟିକିଆ କେ-୨ ସ୍ଥିତ ‘ଆନନ୍ଦ ବନ’ ନିର୍ମାଣ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚାଲିଛି । ଆନନ୍ଦବନ ଭିତରେ ଚାଲି ଚାଲି ବୁଲିବା ପାଇଁ ମାଟି ରାସ୍ତା ଓ ପଥର ରାସ୍ତା ପ୍ରସ୍ତୁତ କରାଯାଇଛି । ସାଇକେଲ୍ ଚାଳନାକୁ ପ୍ରୋତ୍ସାହିତ କରିବା ପାଇଁ ହେଉଛି ସ୍ୱତନ୍ତ୍ର ସାଇକେଲ୍ ଟ୍ରାକ । ନଗର ବନର ମଝିରେ ମଝିରେ ଜଳାଶୟ ପ୍ରସ୍ତୁତ କରାଯାଇଛି । ବର୍ଷା କିମ୍ବା ଖରାରୁ ବର୍ତ୍ତିବା ପାଇଁ ଠାଏ ଠାଏ ସେଡ୍ ପ୍ରସ୍ତୁତ କରାଯାଇଛି । ସହର ମଝିରେ ନଗର ବନ ସୃଷ୍ଟି କରିବା ପାଇଁ ସିଟି ଫରେଷ୍ଟ ଡିଭିଜନ୍ ପକ୍ଷରୁ ଏଠାରେ ୫ ହଜାର ଔଷଧୀୟ ବୃକ୍ଷ ଲଗାଯିବାକୁ ଯୋଜନା ହୋଇଛି । ପ୍ରାୟ ୨୪ ଶହ ଗଛ ଲଗା ସରିଛି । ପାର୍କିଂ ସହ ଇଣ୍ଟରପ୍ରିଟେସନ୍ ସେଣ୍ଟର, ଶୌଚାଳୟ, ବସିବା ସ୍ଥାନ ଆଦିର କାମ ଶେଷ ପର୍ଯ୍ୟାୟରେ ପହଞ୍ଚିସାରିଥିବା ଜଣାପଡିଛି । ଦର୍ଶକ ସମାଗମ ବେଳେ ବନ୍ୟପ୍ରାଣୀ, ଜୈବ ବିବିଧତା ଯେଭଳି ପ୍ରଭାବିତ ନ ହୁଏ, ସେଥିପ୍ରତି ପ୍ରକଳ୍ପ ତିଆରି ବେଳେ ଧ୍ୟାନ ଦିଆଯାଉଛି ଏବଂ ୨୦୨୩ ଶେଷ ସୁଦ୍ଧା କାମ ସାରିବାକୁ ଚେଷ୍ଟା କରାଯାଉଛି ବୋଲି ଡିଏଫ୍ଓ ଅଫିସ ତରଫରୁ ସୂଚନା ପ୍ରଦାନ କରାଯାଇଛି ।
