ବୁଦାପେଷ୍ଟ: ପ୍ରଥମ ଭାରତୀୟ ଭାବରେ କ୍ରୀଡ଼ା ଜଗତରେ ପୁଣି ଥରେ ଇତିହାସ ରଚିଛନ୍ତି ନୀରଜ ଚୋପ୍ରା । ପ୍ରଥମ ଭାରତୀୟ ଆଥ୍ଲେଟ୍ ଭାବେ ଅଲିମ୍ପିକ୍ ସ୍ୱର୍ଣ୍ଣପଦକ ଜିତିଥିବା ନୀରଜ ପ୍ରଥମ ଭାରତୀୟ ଭାବେ ବିଶ୍ୱ ଦୌଡ଼କୁଦ ଚମ୍ପିଆନ୍ସିପ୍ରେ ସ୍ୱର୍ଣ୍ଣପଦକ ଜିତିଛନ୍ତି । ବୁଦାପେଷ୍ଟ ଠାରେ ରବିବାର ପୁରୁଷ ଜାଭେଲିନ୍ ଥ୍ରୋରେ ଫାଇନାଲରେ ନୀରଜ ଚୋପ୍ରା ସ୍ୱର୍ଣ୍ଣ ହାସଲ କରିଛନ୍ତି । ପୂର୍ବରୁ କୌଣସି ଭାରତୀୟ ବିଶ୍ୱ ଦୌଡ଼କୁଦ ଚମ୍ପିଆନ୍ସିପ୍ରେ ସ୍ୱର୍ଣ୍ଣପଦକ ଜିତିନଥିଲେ । ଏଭଳି ବିଶସ୍ତରୀୟ ପ୍ରତିଯୋଗିତାରେ ୪୦ ବର୍ଷ ଇତିହାସରେ ପ୍ରଥମ ଥର ଭାରତକୁ ସ୍ୱର୍ଣ୍ଣ ପଦକ ଭେଟି ଦେଇଛନ୍ତି ନୀରଜ । ଗତବର୍ଷ ନୀରଜ ଚୋପ୍ରା ଦେଶ ପାଇଁ ବିଶ୍ୱ ଦୌଡ଼କୁଦ ଚମ୍ପିଆନ୍ସିପ୍ରେ ପ୍ରଥମ ରୌପ୍ୟପଦକ ଜିତିଥିଲେ । ହେଲେ ଏଥର ନୀରଜ ସ୍ୱର୍ଣ୍ଣପଦକ ଜିତି ଦେଶକୁ ଗୌରବାନ୍ୱିତ କରିଛନ୍ତି । ପ୍ରଥମ ପ୍ରୟାସ ଫାଉଲ୍ ହୋଇଥିବା ବେଳେ ୨ୟ ପ୍ରୟାସରେ ୮୮.୧୭ ମିଟର ଦୂରକୁ ଜାଭେଲିନ୍ ଫିଙ୍ଗି ନୀରଜ ଏକାଥରକେ ପ୍ରଥମ ସ୍ଥାନକୁ ଉନ୍ନୀତ ହୋଇ ଯାଇଥିଲେ । ପାକିସ୍ତାନର ଅର୍ସଦ ନଦିମ୍ ୩ୟ ପ୍ରୟାସରେ ୮୭.୮୨ ମିଟର ଦୂରତା ହାସଲକରି ନୀରଜଙ୍କୁ ଚାପରେ ପକାଇଥିଲେ । ହେଲେ ନୀରଜ ତାଙ୍କର ପରବର୍ତ୍ତୀ ୪ଟି ପ୍ରୟାସରେ ୮୬.୩୨ ମିଟର, ୮୪.୬୪, ୮୭.୭୩ ଓ ୮୩.୯୮ ମିଟର ଦୂରକୁ ଜାଭେଲିନ୍ ଫିଙ୍ଗି ପାରିଥିଲେ । ୮୭.୮୨ ମିଟର ସହ ନଦିମ୍ ରୌପ୍ୟପଦକ ଜିତିଥିଲେ । ୫ମ ପ୍ରୟାସରେ ୮୬.୬୭ ମିଟର ଦୂରତା ହାସଲକରି ଚେକ୍ ଗଣରାଜ୍ୟର ୟାକୁବ୍ ଭାଦ୍ଲେଜ୍ କାଂସ୍ୟପଦକ ହାସଲ କରିଥିଲେ । ପ୍ରଥମ ଓଡ଼ିଆ ଭାବେ ବିଶ୍ୱ ଦୌଡ଼କୁଦ ପ୍ରତିଯୋଗିତାର ଜାଭଲିନ ଥ୍ରୋର ଫାଇନାଲରେ ପହଞ୍ଚି ଇତିହାସ ରଚିଥିବା କିଶୋର କୁମାର ଜେନାଙ୍କ ତାଙ୍କ ୫ମ ପ୍ରୟାସରେ ୮୪.୭୭ ମିଟର ଦୂରକୁ ଜାଭେଲିନ୍ ଫିଙ୍ଗି ୫ମ ସ୍ଥାନରେ ରହିଥିଲେ । ଏହା ବର୍ତ୍ତମାନ ପର୍ଯ୍ୟନ୍ତ କିଶୋରଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ । ସେହିପରି ଅନ୍ୟତମ ଭାରତୀୟ ଫାଇନାଲିଷ୍ଟ ଡିପି ମନୁ ୮୪.୧୪ ମିଟର ଥ୍ରୋ କରି ଷଷ୍ଠ ସ୍ଥାନରେ ରହିଥିଲେ ।