THE BYAPINI

ଦିବ୍ୟାଙ୍ଗ ଓ ଅସୁସ୍ଥ ଛାତ୍ରଛାତ୍ରୀଙ୍କ ଘରକୁ ଦିଆଯିବ ମଧ୍ୟାହ୍ନ ଭୋଜନର ରାସନ ଆକାଉଣ୍ଟକୁ ଯିବ ଟଙ୍କା

Get real time updates directly on you device, subscribe now.

ଭୁବନେଶ୍ୱର: ଦିବ୍ୟାଙ୍ଗ ଓ ଅସୁସ୍ଥ ଛାତ୍ରଛାତ୍ରୀଙ୍କ ଶାରୀରିକ ବିକାଶ ପାଇଁ ଖାଦ୍ୟର ଆବଶ୍ୟକତାକୁ ବିଚାରକରି ୬ରୁ ୧୪ ବର୍ଷର ଅସୁସ୍ଥ ଓ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଘରେ ମଧ୍ୟାହ୍ନ ଭୋଜନ ରାସନ୍‌ ପହଞ୍ଚାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହାଦ୍ୱାରା ରାଜ୍ୟ ୩ ହଜାର ୬୯୪ ଛାତ୍ରଛାତ୍ରୀ ଉପକୃତ ହେବେ । ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆବଶ୍ୟକୀୟ ପ୍ରକ୍ରିଆ ଆରମ୍ଭ କରାଯାଇଛି । ଶୁଖିଲା ରାସନ ଛାତ୍ରଛାତ୍ରୀଙ୍କ ଘରେ ପହଞ୍ଚାଇବା ପାଇଁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଛାତ୍ରଛାତ୍ରୀମାନଙ୍କୁ ଶ୍ରେଣୀ ଅନୁସାରେ ସେମାନଙ୍କ ଘରେ ମଧ୍ୟାହ୍ନଭୋଜନ ଚାଉଳ ଦିଆଯିବା ସହ ରୋଷେଇ ବାବଦ ଅର୍ଥରାଶି ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ ।
ଏହାସହିତ ଏଭଳି ଛାତ୍ରଛାତ୍ରୀଙ୍କ ପାଠ୍ୟପୁସ୍ତକ ମଧ୍ୟ ସେମାନଙ୍କ ଘରେ ପହଞ୍ଚାଯିବା ପାଇଁ ବ୍ୟବସ୍ଥା କରାଯାଇଛି । କୌଣସି ଅସୁବିଧା ହେଲେ ଛାତ୍ରଛାତ୍ରୀମାନେ ନିଜ ଅଞ୍ଚଳରେ ଥିବା ଅଙ୍ଗନବାଡି କର୍ମୀ, ଆଶାକର୍ମୀ, ଏଏନଏମଙ୍କ ସହାୟତା ନେଇପାରିବେ । ଛାତ୍ରଛାତ୍ରୀଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର କିମ୍ବା ଅଙ୍ଗନବାଡି କେନ୍ଦ୍ରକୁ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଓ କାଉନସେଲିଂ ପାଇଁ ନିଆଯିବ । ଏହାସହ ସ୍କୁଲ ଆସିପାରୁନଥିବା ଛାତ୍ରଛାତ୍ରୀଙ୍କ ଘରକୁ ପ୍ରତିମାସରେ ବିଦ୍ୟାଳୟର ଶିକ୍ଷକ, ବ୍ଲକ୍‌ ସହଯୋଗୀ ଅଧିକାରୀ, ଆଇଇଭିମାନେ ତଦାରଖ କରିବା ପାଇଁ ଯିବେ । ପିଲାମାନେ ଘରେ କିଭଳି ପଢୁଛନ୍ତି, ପାଠରେ କେତେ ଉନ୍ନତି କରୁଛନ୍ତି ଏନେଇ ପଚାରି ବୁଝିବେ । ଛାତ୍ରଛାତ୍ରୀଙ୍କ ଉତ୍ତମ ପ୍ରଦର୍ଶନ ପାଇଁ ଅଭିଭାବକଙ୍କର କାଉନସେଲିଂ ମଧ୍ୟ କରାଯିବ ।

Get real time updates directly on you device, subscribe now.

Leave A Reply

Your email address will not be published.