THE BYAPINI

୨ ତାରିଖରୁ ରାଜ୍ୟରେ ହେବ ବର୍ଷା

Get real time updates directly on you device, subscribe now.

ଭୁବନେଶ୍ୱର: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ଏହା ପ୍ରଭାବରେ ୨ ତାରିଖରୁ ରାଜ୍ୟରେ ବର୍ଷା ହେବ । ୪ରୁ ବର୍ଷାର ପରିମାଣ ଏବଂ ବିସ୍ତୃତି ବଢିବ । ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କଟକ, ବାଲେଶ୍ୱର, ନବରଙ୍ଗପୁର, କଳାହାଣ୍ଡି ଏବଂ ବଲାଙ୍ଗିରରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ଏସବୁ ଜିଲ୍ଲାରେ ୭୦ରୁ ୧୧୦ ମିଲିମିଟର ପର୍ୟ୍ୟନ୍ତ ବର୍ଷା ହୋଇପାରେ । ଉପକୂଳ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡଘଡି ବିଜୁଳି ସହ ପ୍ରବଳ ବର୍ଷା ନେଇ ସତର୍କତା ଜାରି ହୋଇଛି । ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ସବୁ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ।
ରାଜ୍ୟରେ ଦୁର୍ବଳ ମୌସୁମୀର ପ୍ରଭାବରେ ପୂର୍ବ-କେନ୍ଦ୍ରୀୟ ଭାରତରେ ଉପକୂଳ ସମେତ ଦକ୍ଷିଣ ଓଡ଼ିଶା ବି ଏହା ଦ୍ୱାରା ପ୍ରଭାବିତ ହୋଇଥିବାବେଳେ କେବଳ ସେପ୍‌ଟେମ୍ବର ମାସରେ ବର୍ଷା ଉପରେ ଭରସା କରିଛନ୍ତି ସମସ୍ତେ । ତେବେଗତ ୪ ଦିନ ହେବ ମୌସୁମୀ ପ୍ରବାହ ଦୁର୍ବଳ ଥିବାରୁ ଦୈନିକ ୯୦ %ରୁ ଅଧିକ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ୧୧ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ୧୮ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି । ତେବେ ଚଳିତ ବର୍ଷ ଦକ୍ଷିଣ ଓଡ଼ିଶାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ଗଞ୍ଜାମ ସମେତ କୋରାପୁଟ, ରାୟଗଡ଼ା, କଳାହାଣ୍ଡିରେ ସ୍ଥିତି ଉତ୍କଟ ହୋଇଛି । ଏଥିପାଇଁ ଜିଲ୍ଲା ପ୍ରଶାସନକୁ କଣ୍ଟିଜେନ୍ସି ପ୍ଲାନ ଅନୁସାରେ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କୃଷି ବିଭାଗ କଣ୍ଟିଜେନ୍ସି ପ୍ଲାନ ପ୍ରସ୍ତୁତ ରଖିଛି ବୋଲି ଏସଆରସି କହିଛନ୍ତି । ଲଘୁଚାପ ନହେଲେ ସ୍ଥିତି ଜଟିଳ ହୋଇପାରେ । ରାଜ୍ୟର ୧୧ ଜିଲ୍ଲାରେ ଅଗଷ୍ଟ ୩୦ ସୁଦ୍ଧା ୨୦ରୁ ୫୯ % ନିଅଣ୍ଟିଆ ବର୍ଷା ରେକର୍ଡ କରିବା ସହ ନବରଙ୍ଗପୁରରେ ସର୍ବାଧିକ ୪୧ % କମ୍‌ ବୃଷ୍ଟିପାତ ହୋଇଛି । କଣ୍ଟିଜେନ୍ସି ପ୍ଲାନ ସହ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳଙ୍କୁ କୃଷି ବିଭାଗର ନିର୍ଦ୍ଦେଶ ଆସିଛି । ସେପ୍‌ଟେମ୍ବରରେ ବର୍ଷା ହେବା ନେଇ ଆକଳନ ହୋଇଛି । ଅକ୍ଟୋବରରେ ବି ବର୍ଷା ହୋଇପାରେ ।
ଚଳିତ ବର୍ଷ ସାରା ଦେଶରେ ଏଲ୍‌ନିନୋର ପ୍ରଭାବ ଦେଖିବାକୁ ମିଳିଛି । ଉତ୍ତର ଭାରତରେ ବାଦଲଫଟା ବର୍ଷା ହୋଇଥିବା ବେଳେ କେନ୍ଦ୍ରୀୟ ଭାରତୀୟ ଅଞ୍ଚଳରେ କାଁ ଭାଁ ବର୍ଷା ରେକର୍ଡ ହୋଇଛି । ପୂର୍ବ ଭାରତରେ ଦୁର୍ବଳ ମୌସୁମୀ ପାଇଁ ତାତିରେ ରେକର୍ଡ ହୋଇଛି । ଗତ ୪ ଦିନ ହେବ ସ୍ୱାଭାବିକଠାରୁ ୪ରୁ ୫ ଡିଗ୍ରୀ ଉପରେ ରହିଛି ପାରଦ । କାଲି ପରେ ରାଜ୍ୟରେ ପାଗ ବଦଳିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଚଳିତ ମୌସୁମୀ ସିଜିନରେ କେବଳ ଲଘୁଚାପ କିମ୍ବା ଅବପାତ ସୃଷ୍ଟି ସମୟରେ ସକ୍ରିୟ ରହିଛି ମୌସୁମୀ ନିମ୍ନ ଚାପରେଖା । ବାକି ସମୟରେ ତା’ର ସ୍ଥାନ ପରିବର୍ତ୍ତନ କରି ଦୁର୍ବଳ ରହିଛି । ଫଳରେ ନିଅଣ୍ଟିଆ ବର୍ଷା ରେକର୍ଡ ହେବା ସହ ତାତି ଗୁଳୁଗୁଳି ବଢିଛି ।

Get real time updates directly on you device, subscribe now.

Leave A Reply

Your email address will not be published.