ରାଜନଗର: କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଅଞ୍ଚଳରେ ଏବେ କୁମ୍ଭୀର ଆକ୍ରମଣ ଲୋକମାନଙ୍କ ମନରେ ଆତଙ୍କ ଖେଳାଇ ଦେଇଛି । ଗତକାଲି ପେଣ୍ଠ ବେଳାଭୂମିକୁ ଯାଇଥିବା ରାସ୍ତା ଉପରେ କୁମ୍ଭୀର ବୁଲୁଥିବା ବେଳେ ଆଜି ବ୍ରାହ୍ମଣୀ ନଦୀ କୂଳରୁ ପୁଅ ସାମ୍ନାରେ ବାପାଙ୍କୁ ଟାଣି ନେଇଛି କୁମ୍ଭୀର । ବାପାଙ୍କୁ ରକ୍ଷା କରିବା ପାଇଁ ପୁଅ ଡଙ୍ଗା ଆହୁଲାରେ କୁମ୍ଭୀରକୁ ଆକ୍ରମଣ କରିଥିଲେ ମଧ୍ୟ କୁମ୍ଭୀର ମୁହଁରୁ ବାପାଙ୍କୁ ରକ୍ଷା କରିବାରେ ବିଫଳ ହୋଇଛନ୍ତି । ସଂପୃକ୍ତ ବ୍ୟକ୍ତିଙ୍କୁ ବି ନଈରୁ ଏଯାଏ ଉଦ୍ଧାର କରାଯାଇ ପାରିନାହିଁ । ଗଲା ଅଢେଇ ମାସ ଭିତରେ କୁମ୍ଭୀର କେନ୍ଦ୍ରାପଡା ଓ ଯାଜପୁରରେ ୫ ଜଣଙ୍କ ପ୍ରାଣ ନେଲାଣି ।
ସୂଚନା ଅନୁଯାୟୀ ରାଜନଗର ବ୍ଲକ୍ ରାଜପୁର ପଞ୍ଚାୟତ ରାଜପୁର ଗାଁର ଅଭୟ ରାଉତ (୬୦ବର୍ଷ) ମଇଁଷି ରଖି ପରିବାର ପ୍ରତିପୋଷଣ କରନ୍ତି । ତାଙ୍କ ଘର ଠାରୁ ମାତ୍ର ୧୫୦ ଫୁଟ୍ ଦୂରରେ ଥିବା ବ୍ରାହ୍ମଣୀ ନଈ ଆରପାରିରେ ସେ ମଇଁଷି ରଖନ୍ତି । ଆଜି ଦିନ ପ୍ରାୟ ୧୦ ଟା ବେଳେ ଅଭୟ ଖାଇ ସାରି ଡିଙ୍ଗି ଯୋଗେ ନଦୀର ଆରପାର୍ଶ୍ୱକୁ ଯାଇଥିଲେ । ଡିଙ୍ଗିରେ ତାଙ୍କର ବଡପୁଅ ଅନିଲ ଓ ଗାଁର ବିଭୂତି ସ୍ୱାଇଁ ଥିଲେ । ନଦୀ ଆର ପାର୍ଶ୍ୱରେ ପହଁଚିବା ପରେ ଅଭୟ ପ୍ରଥମେ ଡଙ୍ଗାରୁ ଓହ୍ଲାଇ ନଈ କୂଳରେ ଗୋଡ ଧୋଉଥିଲେ । ଏହି ସମୟରେ ହଠାତ୍ ଏକ ବିରାଟକାୟ କୁମ୍ଭୀର ଅଭୟଙ୍କୁ ଆକ୍ରମଣ କରିଥିଲା । ଅଭୟଙ୍କ ଚିତ୍କାର ଶୁଣି ଡଙ୍ଗାରେ ଥିବା ପୁଅ ଅନିଲ ଡଙ୍ଗା ଆହୁଲାରେ କୁମ୍ଭୀରକୁ ପିଟିବାକୁ ଲାଗି ଥିଲେ । ଆହୁଲା ବାଡିଟି ସରୁ ଥିବାରୁ ତାହା ଭାଙ୍ଗିଯାଇଥିଲେ ବି ସେ ସମୟରେ କୁମ୍ଭୀର ଅଭୟଙ୍କୁ ଛାଡି ଦେଇଥିଲା । ହେଲେ ପର ମୁହୂର୍ତ୍ତରେ ପୁଣି ଆକ୍ରମଣ କରି ଅଭୟଙ୍କୁ ନଦୀ ମଧ୍ୟକୁ ଟାଣି ନେଇଥିଲା । ସେମାନଙ୍କ ଚିତ୍କାର ଶୁଣି ନଦୀ ଏପଟେ ଥିବା ଗାଁ ଲୋକେ ଭୁଟୁଭୁଟି ଓ ଡିଙ୍ଗି ସାହାଯ୍ୟରେ ଖୋଜାଖୋଜି ଆରମ୍ଭ କରିଥିଲେ । ଖବର ପାଇ ରାଜନଗର ରେଞ୍ଜ ଅଫିସର୍ ଚିତ୍ତରଂଜନ ବେଉରାଙ୍କ ନେତୃତ୍ୱରେ ବନବିଭାଗ ଟିମ୍ ଓ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଥିଲେ ମଧ୍ୟ ଅଭୟଙ୍କ ପତ୍ତା ମିଳି ପାରି ନାହିଁ । କୁମ୍ଭୀର ଟାଣି ନେବାର କିଛି ସମୟ ପରେ ଏପଟେ ଭୁଟୁଭୁଟି ମାଧ୍ୟମରେ ଅଭୟଙ୍କୁ ଖୋଜାଖୋଜି ଜାରି ରହିଥିବା ବେଳେ ସେପଟେ ନଦୀରେ କୁମ୍ଭୀର ଭାସୁଥିବା ଘଟଣା ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା । ସ୍ଥାନୀୟ ଲୋକେ ନଦୀରେ ସବୁବେଳେ କାରବାର କରୁଥିବାବେଳେ ପୂର୍ବରୁ ଏଠାରେ କେବେ କୁମ୍ଭୀର ଦେଖି ନଥିଲେ ବୋଲି କହୁଛନ୍ତି । ଗାଁଟି ନଦୀ କୂଳରେ ଥିବାରୁ ଗ୍ରାମବାସୀ କିଭଳି ନିତିଦିନିଆ ଜୀବନରେ ଚଳପ୍ରଚଳ କରିବେ ତାହାକୁ ନେଇ ଚିନ୍ତାରେ ପଡିଛନ୍ତି ।
Get real time updates directly on you device, subscribe now.
![](https://thebyapini.in/wp-content/uploads/2020/10/Byapini_logo_header.jpg)