ଭୁବନେଶ୍ୱର: ସରକାରୀ ମେଡିକାଲ୍ ଓ ଇଞ୍ଜିନିୟରିଂ କଲେଜରେ ପାଠ ପଢ଼ୁଥିବା ସମସ୍ତ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ସମସ୍ତ ଛାତ୍ରଛାତ୍ରୀ ଏଣିକି ସମ୍ପୂର୍ଣ୍ଣ ମାଗଣାରେ ପାଠ ପଢ଼ିବେ ବୋଲି ସୂଚନାମିଳିଛି । ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା (ଏମଏମସିପିୱାଇ) ଅଧୀନରେ ଏହି ବର୍ଗର ସମସ୍ତ ଛାତ୍ରଛାତ୍ରୀଙ୍କୁ ସାମିଲ୍ କରିବା ପାଇଁ ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଛି । ସେମାନଙ୍କ ନାମଲେଖାଠାରୁ ଆରମ୍ଭ କରି ବହି କିଣା ପର୍ଯ୍ୟନ୍ତ ସମସ୍ତ ପଢ଼ାଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା(ଏମଏମସିପିୱାଇ)କୁ ମେଧାବୀ ଆଦିବାସୀ ଓ ହରିଜନ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଅଧିକ ବ୍ୟାପକ କରାଯାଇଛି । ଚଳିତ ଶିକ୍ଷାବର୍ଷ(୨୦୨୩-୨୪)ରେ ନାମଲେଖାଇଥିବା ଏହି ବର୍ଗର ଛାତ୍ରଛାତ୍ରୀ ମାଗଣାରେ ପାଠ ପଢ଼ିବେ । ନାମଲେଖାଠାରୁ ଆରମ୍ଭ କରି ବାର୍ଷିକ ଓ ସେମିଷ୍ଟର ଫି, ପରୀକ୍ଷା ଫି, ପାଠ୍ୟକ୍ରମ ଅବଧିର ସମ୍ପୂର୍ଣ୍ଣ କୋର୍ସ ଫି, ଆଦି ବାବଦୀୟ ଖର୍ଚ୍ଚ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ବହନ କରିବ । ବାର୍ଷିକ ହଷ୍ଟେଲ/ମେସ୍ ଚାର୍ଜ ଏବଂ ପାଠପଢ଼ା ବାବଦ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଏପରିକି ବହି ଓ ଅଧ୍ୟୟନ ବାବଦ ସାମଗ୍ରୀ କୋଚିଂ/ଟ୍ୟୁଟୋରିଆଲ୍ ଖର୍ଚ୍ଚ ଏଥିରେ ଅନ୍ତର୍ଭୁକ୍ତ ହେବ ।
ବିଭାଗ ପକ୍ଷରୁ ଆର୍ଥିକ ସହାୟତା ଯୋଜନା ଅଧୀନରେ ରାଜ୍ୟ ବଜେଟରୁ ଉଚ୍ଚଶିକ୍ଷା ଗ୍ରହଣ କରୁଥିବା ଏସ୍ସି, ଏସ୍ଟି ଛାତ୍ରଛାତ୍ରୀଙ୍କୁ ଏହି ଆର୍ଥିକ ସହାୟତା ପ୍ରଦାନ କରାଯିବ । ଅନୁଷ୍ଠାନର ଡିନ୍/ମୁଖ୍ୟ ଏବଂ ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍ୱାକ୍ଷରିତ ଏ ସମସ୍ତ ଖର୍ଚ୍ଚକୁ ଏହି ଯୋଜନା ଅଧୀନରେ ଭରଣା ପାଇଁ ଜିଲ୍ଲାପାଳଙ୍କ ନିକଟକୁ ପଠାଇବେ । ଜିଲ୍ଲାପାଳଙ୍କୁ ମଞ୍ଜୁରୀ ପରେ ସେମାନଙ୍କ ଅର୍ଥ ମଞ୍ଜୁର କରାଯିବ । ୨୦୨୩-୨୪ ଶିକ୍ଷା ବର୍ଷରୁ ଏହି ଯୋଜନା କାର୍ଯ୍ୟକାରୀ ହେବାକୁ ଥିବାବେଳେ ବିଭାଗକୁ ସମସ୍ତ ଯୋଗ୍ୟ ଏସ୍ଟି ଓ ଏସ୍ସି ଛାତ୍ରଛାତ୍ରୀଙ୍କ ତଥ୍ୟ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ପଠାଇବେ । ଏପରିକି ଚଳିତ ଶିକ୍ଷା ବର୍ଷରେ ନାମଲେଖା ବାବଦ ଫି’ ପୈଠ କରିଥିବା ଛାତ୍ରଛାତ୍ରୀଙ୍କୁ ଫି’ ଫେରସ୍ତ କରାଯିବ ବୋଲି ଜଣାପଡିଛି ।
Get real time updates directly on you device, subscribe now.