THE BYAPINI

ନବୀନଙ୍କୁ ବଦନାମ୍ କଲେ ନୟାଗଡ ଏସପି?

Get real time updates directly on you device, subscribe now.

ଗୃହ ବିଭାଗର ମୁଖିଆ ନବୀନ ପଟ୍ଟନାୟକ । ୨୦୦୦ ମସିହାରେ କ୍ଷମତାରୁ ଆସିବା ଦିନଠାରୁ ବିଭାଗ ତାଙ୍କ ହାତରେ ରହିଛି । ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ସ୍ୱାଭାବିକ ରଖିବା, ଧନଜୀବନ ସୁରକ୍ଷା ଦାୟିତ୍ୱ ଗୃହ ବିଭାଗର । ଆଉ ଏହାକୁ ବେଶ ଭଲ ଭାବେ ବୁଝିଛନ୍ତି ମୁଖ୍ୟମନ୍ତ୍ରୀ । ତେଣୁ ଉତ୍ତରଦାୟିତ୍ୱ ସେ ନିଜେ ମୁଣ୍ଡାଇଛନ୍ତି । ପଂଚମଥର ପାଇଁ କ୍ଷମତାକୁ ଆସିବା ପରେ ପ୍ରଥମଥର ପାଇଁ ଗୃହ ରାଷ୍ଟ୍ରମନ୍ତ୍ରୀ ଭାବେ ସେ ବାଛିଥିଲେ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ । ଗୃହ ବିଭାଗକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଏହି ପଦକ୍ଷେପ ନେଇଥିଲେ ନବୀନ । ହେଲେ ଏହି ବିଭାଗ ଏବେ ଅଗ୍ନିପରିକ୍ଷାର ସାମ୍ନା କରୁଛି ।

ନୟାଗଡରେ ପରୀ ହତ୍ୟାକାଣ୍ଡ ସରକାରଙ୍କ ପାଇଁ ଲଜ୍ଜାକର ସ୍ଥିତି ସୃଷ୍ଟି କରୁଛି । ପ୍ରଶାସନିକ ମହଲର ଚର୍ଚ୍ଚା ଅନୁସାରେ ଏଥିପାଇଁ ନୟାଗଡ ଏସପି ପ୍ରତ୍ୟୁଷ ଦିବାକର ବହୁ ମାତ୍ରା ଦାୟୀ । ଯଦି ଏସଆଇଟି ଗଠନର ମାତ୍ର ୨୦ ଦିନ ଭିତରେ ଅପରାଧୀ ଗିରଫ ହୋଇପାରୁଛି ତେବେ ଜିଲ୍ଲା ପୁଲିସ ହାତରେ ହାତ ବାନ୍ଧି ବସିରହିଛି କି? କାହିଁକି ଏହି ମାମଲାକୁ ଅତି ସମ୍ବେଦନଶୀଳତାର ସହ ଗ୍ରହଣ କରାଗଲା ନାହିଁ? ଗୋଟିଏ ଛୋଟିଆ ଝିଅର ଖଣ୍ଡ ବିଖଣ୍ଡିତ ମୃତଦେହ ଘର ପଛପଟୁ ମିଳିବା କାହିଁକି ଜିଲ୍ଲା ପୁଲିସକୁ ବ୍ୟତିବ୍ୟସ୍ତ କଲାନାହିଁ? କାହିଁକି ଏହି ମାମଲାରେ ଏସପି ମୁଣ୍ଡ ପୁରାଇନଥିଲେ? ଏହାପଛରେ କଣ କାହାର ଚାପ ରହିଥିଲା କି?

ଚର୍ଚ୍ଚା ଅନୁସାରେ ଯଦି ଜିଲ୍ଲା ପୁଲିସ ତାର କାମ ସଠିକ ଭାବେ କରିଥାନ୍ତା ତେବେ ଅପରାଧୀ ଏତେ ଦିନ ଧରି ବାହାରେ ବୁଲିପାରିନଥାନ୍ତା । ଜଣେ ଯୁବ ଆଇପିଏସ ଭାବେ ପ୍ରତ୍ୟୁଷ ଦିବାକର ଏହି ମାମଲାର ଯଦି ପର୍ଦ୍ଧାଫାଶ କରିଥାନ୍ତେ, ଏବେ ସମୟ ଉପଯୋଗୀ ପଦକ୍ଷେପ ନେଇଥାନ୍ତେ ତେବେ ସରକାରଙ୍କ ପାଇଁ ଏହି ମାମଲା ମୁଣ୍ଡବିନ୍ଧାର କାରଣ ପାଲଟିନଥାନ୍ତା । ଯେତେବେଳେ ପରୀର ବାପା ମା ବିଧାନସଭା ସାମ୍ନାରେ ଆତ୍ମାହୁତି ଦେବାକୁ ଉଦ୍ୟମ କରିଥିଲେ ସେତେବେଳେ ଏହି ପ୍ରସଙ୍ଗ ସମସ୍ତଙ୍କ ସାମ୍ନାକୁ ଆସିଥିଲା । ଆଉ ସମୟ ଗଡିବା କ୍ରମେ ଜିଲ୍ଲା ପୁଲିସ କରିଥିବା ସମସ୍ତ ଅବହେଳାର ଦସ୍ତାବିଜ ସାମ୍ନାକୁ ଆସିବାରେ ଲାଗିଲା ।

ଏହି ମାମଲାରେ ଅବହେଳା କରିଥିବା କାରଣରୁ ପୁଲିସ ଡିଜି ଦୁଇ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିସାରିଛନ୍ତି । ଜଣଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଆଉ ଜଣଙ୍କୁ ବଦଳି କରାଯାଇଥିଲା । ହେଲେ ବଡ କଥା ହେଉଛି ଜିଲ୍ଲା ପୁଲିସର ମୁଖିଆ ଭାବେ କାହିଁକି ଏହି ଉତ୍ତରଦାୟିତ୍ୱ ନିଜ ମୁଣ୍ଡ ଉପରକୁ ଏସପି ନେବେ ନାହିଁ? ଗୃହ ବିଭାଗ କାହିଁକି ଏସପିଙ୍କୁ ବଦଳି କରୁନାହିଁ? ଏସପିଙ୍କୁ ବଂଚାଇବା ପାଇଁ କୈାଣସି ଅଦୃଶ୍ୟ ଶକ୍ତି କାର୍ଯ୍ୟ କରୁଛି କି? ନଜର ଦେବାର କଥା ହେଉଛି, ଏସପିଙ୍କ ଅବହେଳା ପାଇଁ ମୁଖ୍ୟମନ୍ତ୍ରୀ ବଦନାମ ହୋଇଛନ୍ତି, ହେଲେ ଏସପି କିନ୍ତୁ ଏଯାଏଁ ନିଜ ପଦବୀ ବଜାୟ ରଖିଛନ୍ତି, ଯାହା ଅନେକଙ୍କୁ ଆଶ୍ଚର୍ଯ୍ୟ ମଧ୍ୟ କରିଛି ।

Get real time updates directly on you device, subscribe now.

Leave A Reply

Your email address will not be published.