ଭୁବନେଶ୍ୱର: ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ରହିଥିବା ଏକ ଘୂର୍ଣ୍ଣିବଳୟ ଯୋଗୁଁ ଆଗାମୀ ୪୮ ଘଣ୍ଟା ମଧ୍ୟରେ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆଗାମୀ ୨ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ୭ ତାରିଖରେ କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହ ବିଜୁଳି ଓ ଘଡଘଡି ମାରିପାରେ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍ ଅନୁସାରେ ଆଗାମୀ ୨୪ ଘଣ୍ଟା ଭିତରେ କୋରାପୁଟ, କଳାହାଣ୍ଡି, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରେ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାରେ ୭ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବ । ସେହିପରି ଖୋର୍ଦ୍ଧା, ପୁରୀ, କଟକ, ଢେଙ୍କାନାଳ, କେନ୍ଦୁଝର, ସମ୍ୱଲପୁର, ଅନୁଗୋଳ, ସୋନପୁର, ବୌଦ୍ଧ, ବାରଗଡ, ରାୟଗଡା, ବଲାଙ୍ଗିର, ନୂଆପଡା, ଗଞ୍ଜାମ ଓ ଗଜପତି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବ । ଏଥିପସହ ବଜ୍ରପାତ ଓ ଘଡଘଡି ମାରିବାର ଆଶଙ୍କା ମଧ୍ୟ ରହିଛ । ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଗତକାଲି ସାରା ରାଜ୍ୟରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ମାରିଥିଲା । ଏହି ସମୟ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ୧୨ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ୧୪ ଜଣ ଆହତ ହୋଇଛନ୍ତି । ୮ ଗାଈଗୋରୁ ମୃତାହତ ହୋଇଥିବା ନେଇ ଏସଆରସି ପକ୍ଷରୁ ସୂଚନା ଦିଆଯାଇଛି । କେଉଁ ଜିଲ୍ଲାରେ କେତେଜଣ ମୃତାହତ ହୋଇଛନ୍ତି ତାର ସୂଚନା ଜାରି କରାଯାଇଛି । ଏଥିସହିତ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି ଦିଆଯିବା ନେଇ ମଧ୍ୟ ଘୋଷଣା କରାଯାଇଛି । ଗାଈଗୋରୁଙ୍କ ମୃତ୍ୟୁ କ୍ଷେତ୍ରରେ ଆବଶ୍ୟକୀୟ ସହାୟତା ରାଶି ଦିଆଯିବ ବୋଲି ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
Get real time updates directly on you device, subscribe now.