ନୂଆଦିଲ୍ଲୀ: ୱାନ ନେସନ ୱାନ ଇଲେକସନ ଭାରତର ସମସ୍ତ ରାଜ୍ୟ ଓ ଦେଶର ସାର୍ବଭୌମତ୍ୱ ପାଇଁ ବିପଦ । ଏହା ରାଜ୍ୟର ଅଧିକାରକୁ ଦବେଇବା ପାଇଁ ଏକ ବିଦ୍ଧିବଦ୍ଧ ଯୋଜନା ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ମତ ପ୍ରକାଶ କରିଛନ୍ତି । ୱାନ ନେସନ ୱାନ ଇଲେକସନ ଲାଗି ଗଠିତ କମିଟିକୁ ନେଇ ମଧ୍ୟ ବିବାଦ ଆରମ୍ଭ ହୋଇଯାଇଛି । ଏହି କମିଟି ନାମକୁ ମାତ୍ର ଗଠିତ ହୋଇଛି ବୋଲି ଅଭିଯୋଗ କରି କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କମିଟିର ସଦସ୍ୟ ହେବାକୁ ମନା କରିଦେଇଥିବା ଜଣାପଡିଛି । ଏହି କମିଟିରେ ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେଙ୍କ ବଦଳରେ ପୂର୍ବତନ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କୁ କାହିଁକି ସ୍ଥାନ ଦିଆଯାଇଛି ବୋଲି ସେ ଏକ ପତ୍ର ଜରିଆରେ ପ୍ରଶ୍ନ କରିଛନ୍ତି । ସଂସଦୀୟ ଗଣତନ୍ତ୍ର ଲାଗି ଏହା ଏକ ଧକ୍କା ବୋଲି ସେ କହିଛନ୍ତି । ଦେଶରେ ଗୋଟିଏ ସମୟରେ ନିର୍ବାଚନ ସମ୍ଭବ ନୁହେଁ କହି ଏହି କମିଟିକୁ ମଧ୍ୟ ବିରୋଧ କରିଛନ୍ତି କଂଗ୍ରେସ ନେତା ଦିଗବିଜୟ ସିଂ ଓ ଜୟରାମ ରମେଶ ।
ଗତକାଲି ଏକ ରାଷ୍ଟ୍ର ଏକ ନିର୍ବାଚନ ଲାଗି ଗଠିତ କମିଟିରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ, କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ, ରାଜ୍ୟସଭାରେ ପୂର୍ବତନ ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ, ଏନକେ ସିଂହ, ସୁଭାଷ କଶ୍ୟପ, ହରିଶ ସାଲଭେ, ସଞ୍ଜୟ କୋଠାରୀ ପ୍ରମୁଖଙ୍କୁ ସ୍ଥାନ ଦିଆଯାଇଥିଲା । ପୂର୍ବରୁ କମିଟିର ଅଧ୍ୟକ୍ଷ ଲାଗି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନାମ ଘୋଷିତ ହୋଇଥିଲା । ଆସନ୍ତା ୧୮ରୁ ୨୨ ତାରିଖ ଯାଏ ସଂସଦ ଅଧିବେଶନ ହେବ ବୋଲି ଜରୁରୀ ଘୋଷଣା ପରେ ଏହି କମିଟି ଗଠିତ ହୋଇଥିଲା । ଏହି ଅଧିବେଶନରେ ସଂସଦରେ ଶୂନ୍ୟକାଳ, ପ୍ରଶ୍ନୋତ୍ତର, ପ୍ରାଇଭେଟ ମେମ୍ବର ବିଜନେସ କାଳ ରହିବ ନାହିଁ ।
Get real time updates directly on you device, subscribe now.
