ନୂଆଦିଲ୍ଲୀ : ପୁଣିଥରେ ୩ ମାସ ପର୍ଯ୍ୟନ୍ତ ବୃଦ୍ଧିପାଇଛି ୟୁନିକ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (ୟୁଆଇଡିଏଆଇ) ଆଧାର ଅପଡେଟ କରିବା ସମୟସୀମା । ପୂର୍ବରୁ ମାଗଣାରେ ଆଧାର ଅପଡେଟ୍ କରିବା ପାଇଁ ସେପ୍ଟେମ୍ବର ୧୪ ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ ହୋଇଥିଲା । ଏବେ ଏହି ସମୟସୀମା ଡିସେମ୍ବର ୧୪କୁ ବୃଦ୍ଧି କରାଯାଇଛି । ଅର୍ଥାତ୍ ଡିସେମ୍ବର ୧୪ ସୁଦ୍ଧା ମାଇଁ ଆଧାର ପୋର୍ଟାଲ ମାଧ୍ୟମରେ ଲୋକେ ମାଗଣାରେ ଆଧାର ଅପଡେଟ କରିପାରିବେ । ଯେଉଁମାନଙ୍କ ଆଧାରକାର୍ଡ଼ ୧୦ କିମ୍ବା ତାହାଠାରୁ ଅଧିକ ବର୍ଷ ଧରି ଅପଡେଟ ହୋଇନାହିଁ, ସେମାନଙ୍କ ପାଇଁ ଏହି ସୁବିଧା ଜାରି କରାଯାଇଥିଲା । ୟୁଆଇଡିଏଆଇ ୱେବ୍ସାଇଟ୍ ରିପୋର୍ଟ ଅନୁସାରେ, ଡେମୋଗ୍ରାଫିକ୍ ତଥ୍ୟର ସଠିକ୍ ସୂଚନା ପାଇଁ ଆଧାର କାର୍ଡ ଅପଡେଟ୍ କରିବାକୁ ସୂଚନା ଦିଆଯାଇଥିଲା । ଏହାକୁ ଅପଡେଟ୍ କରିବା ପାଇଁ ପରିଚୟ ଏବଂ ଠିକଣା ପ୍ରମାଣ ଅପଲୋଡ କରିବାକୁ କୁହାଯାଇଥିଲା । ଏସବୁ ତଥ୍ୟକୁ ୟୁଆଇଡିଏଆଇ ୱେବ୍ସାଇଟ୍ରେ ମାଗଣାରେ ଅପଡେଟ କରିହେବ । ଏହି ଅପଡେଟ୍ ଜନସାଧାରଣ ନିଜେ କିମ୍ବା ନିକଟସ୍ଥ ଜନସେବା କେନ୍ଦ୍ରରେ କରିପାରିବେ ।