କଲମ୍ବୋ : ଏସିଆ କପ୍ର ସୁପର-୪ ମୁକାବିଲାରେ ପାକିସ୍ତାନକୁ ବଡ ବ୍ୟବଧାନରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ସୋମବାର ଅତିରିକ୍ତ ଦିବସରେ ପାକିସ୍ତାନକୁ ୨୨୮ ରନ୍ର ବଡ଼ ବ୍ୟବଧାନରେ ଭାରତ ପରାସ୍ତ କରିଛି । ମ୍ୟାଚ୍ର ୨ୟ ଓ ଅତିରିକ୍ତ ଦିବସରେ ବିରାଟ କୋହଲି ଓ କେ.ଏଲ୍. ରାହୁଲ ଅପରାଜିତ ଶତକ ହାସଲ କରିବାରୁ ଭାରତ ୨ ୱିକେଟରେ ୩୫୬ ରନ୍ ସ୍କୋର୍ କରିଥିଲା । ଏହି ବିଶାଳ ସ୍କୋର୍ର ପିଛାକରିବାରେ ପାକିସ୍ତାନର ବ୍ୟାଟ୍ସମ୍ୟାନ୍ ବିଫଳ ହୋଇଥିଲେ । କୁଲଦୀପ ଯାଦବଙ୍କ ସ୍ପିନ୍ରେ ଘାଇଲା ପାକିସ୍ତାନ ଟିମ୍ ଏହାର ୫ଟି ୱିକେଟ ହରାଇଥିଲା । ଭାରତୀୟ ବୋଲର ନିୟମିତ ୱିକେଟ ନେଇ ପାକିସ୍ତାନ ଉପରେ ଚାପ ବଜାୟ ରଖିଥିଲେ । ୩୨ ଓଭରରେ ପାକିସ୍ତାନର ଇନିଂସ ୧୨୮ ରନ୍ରେ ଶେଷ ହୋଇଥିଲା । ଆହତ ଥିବା ପାକିସ୍ତାନର ଶେଷ ୨ ବ୍ୟାଟ୍ସମ୍ୟାନ୍ ହାରିସ୍ ରୌଫ୍ ଓ ନସିମ୍ ଶାହା ବ୍ୟାଟିଂ କରିବାକୁ ଆସିନଥିଲେ । ୩୫୭ ରନ୍ ବିଜୟଲକ୍ଷ୍ୟର ପିଛା ଆରମ୍ଭ କରିଥିବା ପାକିସ୍ତାନ ୩୨ ଓଭରରେ ମାତ୍ର ୧୨୮ ରନ୍ରେ ଏହାର ଖେଳ ଶେଷ କରିଥିଲା ।