୨୪ ଘଣ୍ଟା ମଧ୍ୟରେ ଲଘୁଚାପ
ଆଗାମୀ ୨୪ ଘଣ୍ଟା ମଧ୍ୟରେ ଭାରତ ମହାସାଗର ଓ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଲଘୁଚାପ ହେବା ପରେ ଏହା ବାତ୍ୟାର ରୂପ ନେଇପାରେ । ଏହା କ୍ରମଶଃ ଘନୀଭୂତ ହୋଇ ଉତ୍ତର ବଙ୍ଗୋପସାଗରରେ ପହଞ୍ଚିବ। ଏହା କେତେ ଘନୀଭୂତ ହେବ। ବାତ୍ୟା ରୂପ ନେବ କି ନାହିଁ, ସେ ନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ। ତେବେ ପରିବେଶ ଅନୁକୂଳ ଥିବାରୁ ଏହା ବାତ୍ୟା ରୂପ ନେଇପାରେ। ଅନ୍ୟପକ୍ଷେ ଲଘୁଚାପଟି ବାରମ୍ବାର ଦିଗ ପରିବର୍ତ୍ତନ କରିବାର ସମ୍ଭାବନା ଥିବାରୁ ଏହା ଭାରତ କିମ୍ବା ଓଡ଼ିଶା ସ୍ପର୍ଶ କରିବ କି ନାହିଁ।ତାହା ଏବେ ଠାରୁ ଆକଳନ କରିବା କଷ୍ଟକର।
ଆସନ୍ତା ୨୪ ଘଂଟା ଭିତରେ ଭାରତ ମହାସାଗର ଓ ତତ୍ସଲଗ୍ନ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ୨୨ରେ ଏହା ବାତ୍ୟାର ରୂପ ନେବ ବୋଲି ପାଣିପାଗ ବିଜ୍ଞାନୀମାନେ ଆକଳନ କରୁଛନ୍ତି । ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହ ଓଡିଶା ଉପକୂଳ ଠାରୁ ୨୦୦ କିଲୋମିଟର ଦୂରରେ ଏହାର ଗତିପଥ ପରିବର୍ତ୍ତନ କରିବ ।
ଗତିପଥ ପରିବର୍ତ୍ତନ କରିବା ପରେ ଏହା ଉତର ଉତ୍ତର ପଶ୍ଚିମ ଦିଗରେ ଗତି କରି ବାଙ୍ଗଲାଦେଶରେ ସ୍ଥଳଭାଗ ଅତିକ୍ରମ କରିବ ବୋଲି ଆକଳନ କରାଯାଉଛି । ଏହାର ପ୍ରଭାବରେ ଉପକୂଳ ଓଡିଶାରେ ପାଗ ମେଘୁଆ ରହିପାରେ ଏବଂ ସ୍ଥାନେ ସ୍ଥାନେ ଅଳ୍ପ ବର୍ଷା ହେବା ସମ୍ଭାବନା ରହିଛି । ଆଭ୍ୟନ୍ତରୀଣ ଓଡିଶାରେ କିନ୍ତୁ ଗ୍ରୀଷ୍ନ ପ୍ରବାହ ଜାରି ରହିବ ବୋଲି କହିଛନ୍ତି ସୋଆ ବିଶ୍ୱବିଦ୍ୟାଳୟର ପାଣିପାଗ ବିଭାଗ ମୁଖ୍ୟ ଶରତ ଚନ୍ଦ୍ର ସାହୁ ।