ମୋ ସ୍ୱାମୀଙ୍କୁ ବଞ୍ଚାଇ ଦିଅ..
ରାତି ପାହିଲେ ସାବିତ୍ରୀ ବ୍ରତ । ହେଲେ ନିଜ ସ୍ୱାମୀଙ୍କୁ ବଂଚାଇବାକୁ ସମସ୍ତଙ୍କୁ ହାତଯୋଡି ସହାୟତାର ଭିକ୍ଷା ମାଗୁଛି ସ୍ତ୍ରୀ । ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଥିବା ସ୍ୱାମୀଙ୍କୁ ଭଲ କରିଦେବାକୁ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛନ୍ତି ମୌସୁମୀ ମହାନ୍ତି । କରୋନା ଆକ୍ରାନ୍ତ ପରେ ଗୁରୁତର ହୋଇପଡିଥିବା ଭଦ୍ରକର ଅଭିଷେକ ମହାପାତ୍ରଙ୍କୁ ଆଜି ଇସିଏମଓ ଚିକିତ୍ସା ପାଇଁ ଏୟାର ଆମ୍ବୁଲାନ୍ସରେ କୋଲକାତା ନିଆଯାଇଛି। ଅଭିଷେକଙ୍କ ଚିକିତ୍ସା ପାଇଁ ଅଧିକ ଅର୍ଥ ଆବଶ୍ୟକ ଥିବାରୁ ପରିବାର ଲୋକ ଆର୍ଥିକ ସହାୟତା ପାଇଁ ପ୍ରାର୍ଥନା କରିବା ପରେ ଅନେକ ଲୋକ ସହାୟତା ପାଇଁ ଆଗେଇ ଆସିଛନ୍ତି ।
ବିବାହକୁ ଦିନ କେଇଟା ବିତିଛି । ବୈବାହିକ ଜୀବନ ଆରମ୍ଭ କରିବା ପୂର୍ବରୁ ହସ୍ପିଟାଲ ବେଡରେ ଏବେ ସଂଘର୍ଷ କରୁଛନ୍ତି ଅଭିଷେକ ମହାପାତ୍ର । ମେ ୫ ତାରିଖରେ ମୌସୁମୀ ମହାନ୍ତିଙ୍କୁ ବିବାହ କରିଥିଲେ ଭଦ୍ରକର ଯୁବ ଇଂଜିନିୟର ଅଭିଷେକ ମହାପାତ୍ର । ହେଲେ ବାହାଘରର ୮ ଦିନ ପରେ କରୋନା ଆକ୍ରାନ୍ତ ହୋଇଥିଲେ ଅଭିଷେକ । ହେଲେ ଅବସ୍ଥା ଧୀରେ ଧୀରେ ଖରାପ ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା । କିନ୍ତୁ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଥିଲା । ଇସିଏମଓ ଚିକିତ୍ସାର ଆବଶ୍ୟକତା ଥିବାରୁ ତାଙ୍କୁ କୋଲକାତା ନେବାକୁ ଟଙ୍କାର ଆବଶ୍ୟକତା ପଡିଥିଲା । ଚିକିତ୍ସା ପାଇଁ ୧ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ । ଯାହାକି ଏକ ମଧ୍ୟବିତ ପରିବାର ଏତେ ପରିମାଣର ଟଙ୍କା ଯୋଗାଡ କରିବା ଅସମର୍ଥ । କେବଳ ଅଭିଷେକଙ୍କୁ ଏୟାରଲିଫ୍ଟିଂ ପାଇଁ ପାଖାପାଖି ୩୦ଲକ୍ଷ ଟଙ୍କା ଦରକାର ଥିଲା। ପରିବାର ପାଖରେ ଏତେ ଟଙ୍କା ନଥିବାକୁ ଅଭିଷେକଙ୍କ ଜୀବନ ବଞ୍ଚାଇବାକୁ ଗୁହାରୀ କରିଥିଲେ ପରିବାର । ଆଉ ସାହାଯ୍ୟ ପାଇଁ ଅସହାୟ ପରିବାରର ଭିକ୍ଷା ପରେ ଅଭିଷେକଙ୍କ ପାଖକୁ ଛୁଟିଛି ସାହାଯ୍ୟର ସୁଅ । ଲୋକଙ୍କ ଦାନ ପରେ ଆଜି ଏୟାର ଆମ୍ବୁଲାନ୍ସରେ ତାଙ୍କୁ କୋଲକାତା ସ୍ଥାନାନ୍ତର କରାଯାଇଛି ।
ଅଭିଷେକଙ୍କ କଷ୍ଟକୁ ସହ୍ୟ କରିବା ନବବିବାହିତ ମୌସୁମୀଙ୍କ ପକ୍ଷେ କଷ୍ଟକର ହୋଇପଡିଛି । ନିଜ ସ୍ୱାମୀଙ୍କ ଜୀବନ ବଂଚାଇବା ପାଇଁ ଆର୍ଥକ ସହାୟତା କରିବାକୁ ସେ ହାତ ଯୋଡି ଅନୁରୋଧ କରୁଛନ୍ତି । ସମସ୍ତଙ୍କ ସହାୟତାରେ ହୁଏତ ତାଙ୍କ ସ୍ୱାମୀ ପୁଣି ତାଙ୍କ ପାଖକୁ ଫେରିଆସିବେ ।