‘ରଜ,ସାବିତ୍ରୀ ବେଳେ ସାବଧାନ’
ରାଜ୍ୟରେ ମେ ୨୨ ତାରିଖ କରୋନାର ପିକ୍ ସମୟ ଥିଲା। ଏବେ ସ୍ଥିତିରେ ସୁଧାର ଆସୁଛି। ସଂକ୍ରମଣ କମୁଥିବା ବେଳେ ସୁସ୍ଥହାର ବଢୁଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏବେ ପଜିଟିଭିଟି ରେଟ୍ କମିବାରେ ଲାଗିଛି । ରାଜ୍ୟର ୯ଟି ଜିଲ୍ଲାରେ ୬୦ ଭାଗ କରୋନା କେସ୍ ଅଛି । । ୫ଟି ଜିଲ୍ଲାରେ ପଜିଟିଭିଟି ରେଟ୍ ୫ ପ୍ରତିଶତ ତଳେ ରହିଛି । ବାକି ୧୯ଟି ଜିଲ୍ଲାରେ ପଜିଟିଭିଟି ରେଟ୍ କମୁଥିବା ବେଳେ ସାରା ରାଜ୍ୟରେ ଏବେ ଏହା ଖସିଆସି ୧୪ ପ୍ରତିଶତରେ ପହଞ୍ଚିଛି ବୋଲି ଏସସିଏସ୍ ପ୍ରଦୀପ୍ତ ମହାପାତ୍ର ଆଜି ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ।
ମେ ୨୨ରେ ସର୍ବାଧିକ ୧୨,୮୫୨ ପଜିଟିଭ ଚିହ୍ନଟ ହୋଇଥିଲେ। ଏହାପରେ ବାତ୍ୟା ପାଇଁ ଟେଷ୍ଟ କମିବାରୁ ପଜିଟିଭ ସଂଖ୍ୟା କମିଥିଲା ବୋଲି କହିଛନ୍ତି ଏସସିଏସ୍ ପ୍ରଦୀପ୍ତ ମହାପାତ୍ର । ରାଜ୍ୟରେ ଆସନ୍ତା ସପ୍ତାହେ କି ଦୁଇ ସପ୍ତାହେ ମଧ୍ୟରେ ପଜିଟିଭ୍ ହାର କମିବ ବୋଲି ଏସିଏସ କହିଛନ୍ତି। ଆଗକୁ ଆସୁଛି ରଜ ଓ ସାବିତ୍ରୀ। ସେଥିପାଇଁ ସତର୍କ ରହିବା ଜରୁରୀ ଅଟେ । ବଜାରଘାଟ ଆସୁଥିବା ଲୋକ ଭିଡ ଜମାଇବା ଉଚିତ୍ ନୁହେଁ ବୋଲି କହିଛନ୍ତି ପ୍ରଦୀପ୍ତ ମହାପାତ୍ର ।
ପଡୋଶୀ ଛତିଶଗଡ ଓ ଝାଡଖଣ୍ଡରେ ସଂକ୍ରମଣ କମିବା ଆଶ୍ଵସ୍ତିକର ବିଷୟ। ଆନ୍ଧ୍ର ପ୍ରଦେଶ ଓ ପଶ୍ଚିମବଙ୍ଗରେ ସଂକ୍ରମଣ କରୁଥିଲେ ବି ବିପଦ ରହିଛି। ତେଣୁ ଏହି ଦୁଇ ରାଜ୍ୟ ସହ ଲାଗି ରହିଥିବା ସୀମାକୁ ସିଲ୍ କରାଯାଇଛି। ସାଇକ୍ଲୋନ୍ ଯିବା ପରେ ଟିକାକରଣ ଓ ଟେଷ୍ଟିଂ ଜୋରଦାର ହେଉଛି। ୩ ମାସ ଘରକୁ ଘର ବୁଲି ଟେଷ୍ଟିଂ କରିବା ପାଇଁ ନିର୍ଦ୍ଦେଶ ରହିଛି ବୋଲି ଏସିଏସ୍ କହିଛନ୍ତି। ଆଶା କର୍ମୀ ଓ ଗାଁ କଲ୍ୟାଣ ସମିତିକୁ ପ୍ରୋତ୍ସାହିତ କରାଯାଇଛି। ସମସ୍ତେ ମାସ୍କ ବ୍ୟବହାର କରିବା ଉଚିତ୍ ଅଟେ ବୋଲି କୁହାଯାଇଛି। କୋଭିଡ୍ ମୁକାବିଲାରେ ଓଡିଶାରେ କୌଣସି ପ୍ରକାର ଔଷଧ ଅଭାବ ନାହିଁ । ସାଧାରଣ ଓ ଆଇସିୟୁ ବେଡ୍ ମଧ୍ୟ ଆଗ ଅପେକ୍ଷା ଅଧିକ ଖାଲି ରହିଛି । ଅକ୍ସିଜେନ୍ ଯୋଗାଣରେ ମଧ୍ୟ ଓଡିଶା ଆଗକୁ ବଢିବା ସହିତ ଅନ୍ୟ ରାଜ୍ୟକୁ ଅକ୍ସିଜେନ୍ ଯୋଗାଣ କରିପାରିଛି ବୋଲି କୁହାଯାଇଛି ।