ଭୋଟ ପାଇବାକୁ ଭଣ୍ଡାର ଖୋଲିଦେଇଥିଲେ?
() ଥରେ ଚିନ୍ତା କରନ୍ତୁ, ନିର୍ବାଚନ ଜିତିବାକୁ କଣ ଆବଶ୍ୟକ । ଗୋଟିଏ ସରକାର ତାର ପାଂଚ ବର୍ଷର ବିକାଶମୂଳକ କାର୍ଯ୍ୟକୁ ପାଥେୟ କରି ଲୋକଙ୍କ ନିକଟକୁ ଭୋଟ ମାଗିବାକୁ ଯିବ ନା ଶହ ଶହ କୋଟିର ବିଜ୍ଞାପନ ଉଭୟ ପେପର ଆଉ ଟିଭିରେ ଦେଇ ଲୋକଙ୍କ ମନ ଜିଣିବାକୁ ଚେଷ୍ଟା କରିବ । ଏକଥା ଆମେ ଏଥିପାଇଁ କହୁଛୁ କାରଣ ୨୦୧୯ ନିର୍ବାଚନ ଆଗରୁ ରାଜ୍ୟ ସରକାରଙ୍କର ବିଜ୍ଞାପନ ବାବଦକୁ କେଉଁ ଚ୍ୟାନେଲ ଆଉ ପେପରକୁ କେତେ ଟଙ୍କା ଦେଇଛନ୍ତି ତାର ତଥ୍ୟ ସୂଚନା ଅଧିକାର ଜରିଆରେ ସାମ୍ନାକୁ ଆସିବା ପରେ ଏହାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ । ଓଡିଶା ସୁଚନା ଅଧିକାର ଅଭିଯାନ ତାର ୱେବସାଇଟରେ ଦେଇଥିବା ତଥ୍ୟ ଅନୁସାରେ ୨୦୧୮-୧୯ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୨୨୫ କୋଟି ଟଙ୍କା ବିଜ୍ଞାପନ ବାବଦକୁ ଖର୍ଚ୍ଚ କରୁଥିଲେ । ଭାବନ୍ତୁ, ଚାରି ଚାରି ଥର ଲୋକଙ୍କ ଭରସା ଜିତିଥିବା ଗୋଟିଏ ସରକାର ୨୨୫ କୋଟି ଟଙ୍କା ନିର୍ବାଚନ ବର୍ଷରେ ଖର୍ଚ୍ଚ କରି କଣ ପ୍ରମାଣିତ କରିବାକୁ ଚେଷ୍ଟା କରୁଥିଲା? ଲୋକଙ୍କ ଭରସା ବାରମ୍ବାର ବାରମ୍ବାର ଜିତୁଥିବା ଗୋଟିଏ ଦଳକୁ ଏହି ଆବଶ୍ୟକତା କଣ ପାଇଁ ପଡିଲା?
() ବର୍ଷ ୨୦୧୭-୧୮ରେ ରାଜ୍ୟ ସରକାର ବିଜ୍ଞାପନ ବାବଦକୁ ଖର୍ଚ୍ଚ କରିଥିଲେ ମାତ୍ର ୪୧ କୋଟି ଟଙ୍କା । ଆଉ ନିର୍ବାଚନ ବର୍ଷରେ ଏହାର ୬ ଗୁଣ ଅଧିକ ଖର୍ଚ୍ଚ କରିବାକୁ ଯୋଜନା କରି ବଜେଟର ବ୍ୟବସ୍ଥା ବି କରିଥଲେ । କୁହାଯାଉଛି, ନିର୍ବାଚନ ବର୍ଷରେ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ଏବଂ ଲୋକାଭିମୁଖୀ କାର୍ଯ୍ୟକୁ ଲୋକଙ୍କ ନିକଟରେ ବାରମ୍ବାର ପହଁଚାଇବାକୁ ଏହି ଉଦ୍ୟମ କରାଯାଉଥିଲା । ଆପଣଙ୍କର ମନେ ଥିବ ସବୁଦିନ ପେପର ଦେଖିଲା ବେଳେ ସାମ୍ନା ପୃଷ୍ଠାରେ ନବୀନଙ୍କ ଫଟୋ ସହ ଆସୁଥିବା ବିଜ୍ଞାପନ ଏବଂ ଟିଭିରେ ବିଭିନ୍ନ ଯୋଜନାର ଚାଲୁଥିବା ଭିଡିଓ । ଏହା ଜରିଆରେ ଲୋକଙ୍କ ସାମ୍ନାରେ ବାରମ୍ବାର ମୁଖ୍ୟମନ୍ତ୍ରୀଙ୍କର ଫଟୋ ଆଣି ରଖାଯାଉଥିଲା । ଫଳରେ ଲୋକଙ୍କ ମନରେ ନବୀନଙ୍କୁ ନେଇ ପୁଣି ଏକ ବାତାବରଣ ସୃଷ୍ଟି କରିବାକୁ ଉଦ୍ୟମ କରାଯାଉଥିଲା । କେନ୍ଦ୍ରରେ ଥିବା ମୋଦୀ ସରକାରକୁ ଏବଂ ବିଜେପିକୁ ବିଜ୍ଞାପନ ଲଢେଇରେ ପଛରେ ପକାଇ ଦଳ ସପକ୍ଷରେ ଏକ ହାୱା ତିଆରି କରିବାକୁ ଏହି ବାଟ ଆପଣା ଯାଇଥିଲା ବୋଲି ରାଜନୈତିକ ସମୀକ୍ଷକ ମତ ରଖିଛନ୍ତି ।
() ନିର୍ବାଚନ ସରିବା ପରେ ବିଜ୍ଞାପନ ବାବଦ ଅର୍ଥକୁ ଯଥେଷ୍ଟ ପରିମାଣରେ ସରକାର କମାଇ ଦେଇଥିଲେ । ୨୦୧୮-୧୯ରେ ୨୨୫ କୋଟି ଖର୍ଚ୍ଚ କରିଥିବା ବେଳେ ଏହା ପରବର୍ଷରେ ମାତ୍ର ୩୬ କୋଟିର ବଜେଟ ବ୍ୟବସ୍ଥା କରିଥିଲେ । ସୂଚନା ଅଧିକାର ୱେବସାଇଟର ତଥ୍ୟ ଅନୁସାରେ, ୨୦୧୯-୨୦ରେ ଦୈନିକ ଖବରକାଗଜ ସମାଜକୁ ୨୧ କୋଟି ଟଙ୍କା ଦିଆଯାଇଥିଲା । ହେଲେ କାହିଁକି ଏହି ଅର୍ଥ ପ୍ରଦାନ କରାଯାଇଥିଲା, ସେନେଇ ଠୋକ କିଛି ତଥ୍ୟ ଦିଆଯାଇନାହିଁ । ଅର୍ଥାତ୍ ୨୦୧୯-୨୦ରେ ହୋଇଥିବା ମୋଟ ବଜେଟ ବ୍ୟବସ୍ଥାର ୬୦ ପ୍ରତିଶତ ସମାଜକୁ ଯାଇଥିଲା ବୋଲି ଏହି ୱେବସାଇଟ କହିଛି । ସେହିଭଳି ୨୦୧୮-୧୯ରେ ଇଲେକ୍ଟ୍ରୋନିକ୍ସ ମିଡିଅ ପାଇଁ ୧୨୬ କୋଟିର ବ୍ୟବସ୍ଥା ଥିବା ବେଳେ, ୬୨ କୋଟି ଟଙ୍କା ପ୍ରଦାନ କରାଯାଇଥିବା ତଥ୍ୟ ଜଣାପଡିଛି । ଏହି ଅସଙ୍ଗତି କାହିଁକି ରହିଛି, ସେନେଇ ଅଧିକ ଅନୁସନ୍ଧାନର ଆବଶ୍ୟକତା ଥିବା ସଂପୃକ୍ତ ୱେବସାଇଟ କହିଛି । ୨୦୧୮-୧୯ରେ ଜୀ-ଓଡିଶା ବିଜ୍ଞାପନ ବାବଦକୁ ୧୧ କୋଟି ଟଙ୍କା ପାଇଥିଲା । ଏହାପଛର କାରଣ କଣ, କେଉଁ ଆଧାରରେ ଏତେ ପରିମାଣର ଟଙ୍କା ଜୀ-ଓଡିଶାକୁ ଦିଆଯାଇଥିଲା ତାହା ସନ୍ଦେହ ଘେରରେ । ତେବେ ଏହି ଆର୍ଥିକ ବର୍ଷରେ ରାଜ୍ୟର ୧ ନମ୍ବର ଚ୍ୟାନେଲ ଓଟିଭିକୁ ସରକାରୀ ବିଜ୍ଞାପନ ବାବଦରେ ଟଙ୍କାଟିଏ ମଧ୍ୟ ମିଳିନଥିବା ୱେବସାଇଟ କହିଛି ।
() ୨୦୧୯ ନିର୍ବାଚନ ଆଗରୁ କାଳିଆ ଯୋଜନା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ପିଠା ଯୋଜନା, ବିଜୁ ବାହିନୀ, ବିଜୁ ପକ୍କା ଘର ଯୋଜନା ବାବଦରେ ଦିଆଯାଇଥିଲା ଅନେକ ବିଜ୍ଞାପନ । ଏହାର ତାଲିକା ଆହୁରି ଲମ୍ବା । କିଛି ଗଣମାଧ୍ୟମ ମଧ୍ୟ ରାଜ୍ୟ ସରକାରଙ୍କର ବିକାଶମୂଳକ କାର୍ଯ୍ୟ ଉପରେ ୩୦ ମିନିଟ ଲେଖାଏଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମଧ୍ୟ ଚଲାଇଥିଲେ । ଏହି ତଥ୍ୟକୁ ବିଶ୍ଳେଷଣ କଲେ ଗୋଟିଏ କଥା ସ୍ପଷ୍ଟ ଭାବେ ସାମ୍ନାକୁ ଆସିଛି, ୨୦୧୭ରେ ପଂଚାୟତ ନିର୍ବାଚନରେ ବିଜେଡି ଯେଭଳି ଅହ୍ୱାନ ବିଜେପି ପକ୍ଷରୁ ପାଇଥିଲା ଏବଂ ରାଜ୍ୟରେ ବିଜେଡି ଛାଡି କିଛି ନେତା ଯେତେବେଳେ ବିଜେପି ମୁହାଁ ହୋଇଥିଲେ ସେତେବେଳେ ଏକ ଅହେତୁକ ଡର ଏବଂ ନିର୍ବାଚନ ହାରିବାର ଭୟ ବିଜେଡି ନେତାଙ୍କୁ ଘାରିଥିଲା । ତେଣୁ ଦଳର ଏକମାତ୍ର ପୁଂଜିଥିବା ନବୀନ ପଟ୍ଟନାୟକଙ୍କ ଚେହେରାକୁ ଚାରିଆଡେ ଛାଇ ଦେଇଥିଲେ ବିଜେଡି ନେତାମାନେ । ଏପରିକି ସରକାରୀ ସ୍ତରରେ ମଧ୍ୟ ଯଥେଷ୍ଟ ଉଦ୍ୟମ କରାଯାଇଥିଲା, ସରକାରୀ ଖର୍ଚ୍ଚ ରାଜ୍ୟ ସରକାରଙ୍କର ଯୋଜନାକୁ ଲୋକଙ୍କ ନିକଟରେ ପହଁଚାଇ ମୁଖ୍ୟମନ୍ତ୍ରୀଙ୍କ ଚେହେରାକୁ ଆହୁରି ଲୋକପ୍ରିୟ କରିବାକୁ । ହେଲେ ବଡ କଥା ହେଉଛି ରାଜ୍ୟରେ ଚାରି ଚାରି ଥର ବିପୁଳ ସଂଖ୍ୟାରେ ସରକାରକୁ ଆସିଥିବା ବିଜେଡି ମୁଖିଆ ନବୀନ ପଟ୍ଟନାୟକ କେବେ ମଧ୍ୟ ବିଜ୍ଞାପନ ପଲିଟିକ୍ସରେ ବିଶ୍ୱାସ କରୁନଥିବା ବେଳେ ୨୦୧୯ରେ ଏମିତି କଣ ହେଲା ଯେ ସରକାରୀ ଭଣ୍ଡାରକୁ ଖୋଲି ଦିଆଯାଇଥିଲା ବିଜ୍ଞାପନ ପାଇଁ?