ପୁଣି କର୍ଫ୍ୟୁ- କଣ୍ଟେନମେଣ୍ଟ- କ୍ୱାରେଣ୍ଟାଇନ !
ଫେରିଲା କଟକଣାର ଯୁଗ । ଲାଗିବ କର୍ଫ୍ୟୁ, ନାଇଟ କର୍ଫ୍ୟୁ ଭଳି କଡା କଟକଣା । ସଂକ୍ରମଣକୁ ପ୍ରତିହତ କରିବାକୁ ସରକାର ନେଉଛନ୍ତି ଏମିତି କିଛି ପଦକ୍ଷେପ । ଜୀବନ ବଞ୍ଚାଇବାକୁ ଏବେ ପୁଣି ଥରେ ଅଜ୍ଞାତବାସକୁ ଯିବାକୁ ହେବ । କରୋନାଠାରୁ ଲୁଚିରହିବାକୁ ଘରେ ରହିବାକୁ ପଡିବ । ସେଥିପାଇଁ ସଜାଗ ହେବାକୁ ସତର୍କ କରାଇଲେଣି ସରକାର । ବିଗତ କିଛି ଦିନରେ ରାଜ୍ୟରେ ସଂକ୍ରମଣ ଗୋଟେ ପରେ ଗୋଟେ ସିଢି ଚଢି ଚାଲିଥିବା ବେଳେ ଅଙ୍କ ଡେଇଁ ଚାଲିଛି କରୋନା । ସବୁଦିନ ଶହେ ଛୁଉଁଛି । ଆଜି ୩୦୦ ହେଲେ କାଲି ୪୦୦ ପାର୍ । ଏମିତି ରାଜ୍ୟରେ କରୋନା ଗ୍ରାଫ ଗମ୍ଭୀର ସ୍ଥିତି ଆଡକୁ ମୁହାଁଉଛି । ପଡୋଶୀ ଛତିଗଡ ପାଇଁ ଯଦିଓ ପଶ୍ଚିମ ଓଡିଶାରେ ପରିସ୍ଥିର ସାଙ୍ଘାତିକ ହେଲାଣି ତେଣୁ ୧୦ ଜିଲ୍ଲାରେ କାଲିଠାରୁ ନାଇଟ କର୍ଫ୍ୟୁ ଲାଗିବ ।
ତେବେ ୟାରି ଭିତରେ ବଡ ନିଷ୍ପତ୍ତି ନେବାକୁ ଯାଉଛନ୍ତି ରାଜ୍ୟ ସରକାର । ସାରା ରାଜ୍ୟରେ ଦିନରେ କର୍ଫ୍ୟୁ ଲଗାଇବାକୁ ଯୋଜନା କରୁଛନ୍ତି ସରକାର । ତେବେ ଖୁବଶୀଘ୍ର ଓଡିଶାରେ ଲାଗିପାରେ ଦିନ କର୍ଫ୍ୟୁ । ଆଗାମୀ ୪-୫ ଦିନରେ ସରକାର କର୍ଫ୍ୟୁ ଲଗାଇପାରନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରୁଥିବା କଥା କହିଛନ୍ତି ବାଚସ୍ପତି ସୂର୍ୟ୍ୟପାତ୍ର । ଅନ୍ୟପଟେ ଆସନ୍ତାକାଲି ଠାରୁ ସୁନ୍ଦଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, ବଲାଙ୍ଗୀର, ନୂଆପଡା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଆଦି ୧୦ ଜିଲ୍ଲାରେ ନାଇଟ କର୍ଫ୍ୟୁ ଲାଗୁ ହେବ । ଏସମସ୍ତ ଜିଲ୍ଲାରେ ସଂକ୍ରମଣ ସୀମା ପାର କରୁଥିବାରୁ ଏଭଳି କଟକଣା ଲଗାଯାଇଛି ।
ତେବେ ଆଜି ଓଡିଶାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୪୭୧ ଚିହ୍ନଟ ହୋଇଥିବା ବେଳେ ଭାରତରେ ଦିନରେ ୯୩ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା କରୋନାର ୨ୟ ଲହରର ଏକ ବଡ ବିପଦ ସାମ୍ନାକୁ ଆସୁଥିବା ଦର୍ଶାଉଛି । ଗୋଟିଏ ପଟେ କରୋନା ମାଡୁଛି ଅନ୍ୟପଟେ ନିର୍ବାଚନୀ ରାଜ୍ୟମାନଙ୍କର ପଜିଟିଭ ସଂଖ୍ୟା ସାଙ୍ଘାତିକ ହେଉଛି । ମାରାଥନ ପ୍ରଚାର ବେଳେ ନା ଲୋକଙ୍କ ମୁହଁରେ ମାସ୍କ ରହୁଛି ନା ସାମାଜିକ ଦୂରତା । ଭୋଟ ପାଇଁ ଲୋକେ ଭୂତାଣୁକୁ ହୁଇସିଲ ମାରି ଡାକୁଛନ୍ତି ।
ଭୂତାଣୁର ଏ ଭୟ ଭିତରେ ସରକାରଙ୍କ ଏ କଟକଣା ଛାଟ ପୁଣି ଥରେ ବିଗତ ବର୍ଷର କରୁଣ କାହାଣୀକୁ ଉଜ୍ଜିବିତ କରିଛି । ଯେତେ ପଜିଟିଭ କେସ୍ ବାହାରିବ ସେତେ କଟକଣା, ସେତେ କ୍ୱାରେଣ୍ଟାଇନ, କଣ୍ଟେନମେଣ୍ଟ ସହ କର୍ଫ୍ୟୁ ଲାଗିବ । ତେଣୁ ଆମ ହାତରେ ସବୁ ଅଛି । ଓଡିଶାରେ ସଂକ୍ରମଣ ବଢିବା ଆଗରୁ ସାବଧାନ ହୋଇଯାଆନ୍ତୁ ରାଜ୍ୟବାସୀ । ନହେଲେ ନେଡି ଗୁଡ କହୁଣୀକୁ ବହିଯିବ । ବର୍ଷକର ତପସ୍ୟା ଶୁଖୁଆ ପୋଡାରେ ଚାଲିଯିବ । ମହାମାରୀ ଜିତୁଥିବ ଆଉ ମଣିଷ ହାରୁଥିବ । ଆସନ୍ତୁ ସାଙ୍ଗ ହୋଇ କରୋନା ନିୟମ ମାନି ମହାମାରୀ ସହ ଲଢେଇ କରିବା ।