ଇଡିରେ ହାଜର ହେଲେ ଐଶ୍ୱର୍ଯ୍ୟା ରାୟ
ଇଡି କାର୍ୟ୍ୟାଳୟରେ ହାଜର ହେଲେ ଐଶ୍ୱର୍ୟ୍ୟା ରାୟ । ପାନାମ ପେପର୍ସ ଲିକ୍ ମାମଲାରେ ସମନ କରିଥିଲା ଇଡି । ଏହାପରେ ପ୍ରବର୍ତନ ନିର୍ଦ୍ଦେଶାଳୟର ଦିଲ୍ଲୀ କାର୍ୟ୍ୟାଳୟରେ ହାଜର ହୋଇଛନ୍ତି ଐଶ୍ୱର୍ୟ୍ୟା ରାୟ ବଚ୍ଚନ । ଐଶ୍ୱର୍ୟ୍ୟାଙ୍କୁ ପଚରାଉଚରା ପାଇଁ ଡାକିଥିଲା ପ୍ରବର୍ତନ ନିର୍ଦ୍ଦେଶାଳୟ ।
ପୂର୍ବରୁ ମଧ୍ୟ ଏହି ମାମଲାରେ ଐଶ୍ୱର୍ୟ୍ୟାଙ୍କୁ ଦୁଇ ଥର ଡାକିଥିଲା ଇଡି । ଦୁଇ ଥର ନୋଟିସକୁ ସ୍ଥଗିତ କରିବା ପାଇଁ ତଦନ୍ତକାରୀ ଅଧିକାରୀଙ୍କ ଆଗରେ ନିବେଦନ କରିଥିଲେ ଐଶ୍ୱର୍ୟ୍ୟା । ଏବେ ପ୍ରବର୍ତନ ନିର୍ଦ୍ଦେଶାଳୟ ନୂଆ ନୋଟିସ୍ ଜାରି କରିଛି । ଏହି ମାମଲାରେ ନିକଟରେ ଇଡି ଅଭିଷେକ ବଚ୍ଚନଙ୍କୁ ସମନ କରିଥିଲା ।
ପାନାମା ପେପର୍ସ ଲିକ୍ ଘଟଣାରେ ମୋସାକ୍ ଫୋନସେକା ନାମକ ଏକ କମ୍ପାନୀର କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଲିକ୍ ହୋଇଥିଲା । ଜର୍ମାନୀର ଏକ ନ୍ୟୁଜ ପେପରରେ ଗତ ୨୦୧୬ ମସିହା ଏପ୍ରିଲ ୩ ତାରିଖରେ ପ୍ରକାଶ ପାଇଥିଲା । ଏଥିରେ ଭାରତ ସମେତ ପ୍ରାୟ ୨୦୦ ଦେଶର ରାଜନେତା, ବଡ ବଡ ବ୍ୟବସାୟୀ, ସେଲିବ୍ରିଟିଙ୍କ ନାଁ ସାମିଲ ଥିଲା । ଏମାନଙ୍କ ବିରୁଦ୍ଧରେ ମନି ଲଣ୍ଡରିଂ ମାମଲା ମଧ୍ୟ ରୁଜୁ ହୋଇଥିଲା । ପାନାମା ପେପର୍ସ ଲିକ୍ ମାମଲା ସେତେବେଳେ ସାରା ବିଶ୍ବରେ ଚହଳ ପକାଇଥିଲା ।