THE BYAPINI

ପୁଅ ପରେ ପରେ ମାଆ…

Get real time updates directly on you device, subscribe now.

କରୋନା ତୁ କଣ କଲୁ ? ପୁଅ ପରେ ପରେ ମାଆକୁ ନେଇଗଲୁ… କେଡେ ନିଷ୍ଠୁର ତୁ, କେଡେ କଠୋର ତୁ… ପରିବାରରେ ଜଣେ ଚାଲିଗଲା ପରେ କେମିତି ଥାଏ ପରିଜନଙ୍କ ଅବସ୍ଥା ? କେମିତି ବିତୁଥାଏ ସେମାନଙ୍କ ଦିନ ରାତି ? କଣ ଖାଆନ୍ତି, କଣ ପିଅନ୍ତି, କେମିତି ବଞ୍ଚନ୍ତି ତା କଣ ତୁ ଜାଣୁ ? ମଣିଷ ହୋଇଥିଲେ ତ ତୁ ଜାଣିପାରନ୍ତୁ କଷ୍ଟ କଣ, ଯନ୍ତ୍ରଣା କଣ ? ତୁ ତ ମଣିଷ ନୁହେଁ ମହାମାରୀ… ତୁ ନେଇଜାଣୁ, ଦେଇଜାଣୁନା । ପରିବାରରେ ଦୁଇ ଦିନ ତଳେ ଜଣଙ୍କର ମୃତ୍ୟୁ ହୋଇଥିବ ଆଉ ଦୁଇ ଦିନ ପରେ ଆଉ ଜଣେ ଆରପାରିକୁ ଚାଲିଯିବ… ଓଃ କେଡେ ହୃଦୟବିଦାରକ ସେ ପରିସ୍ଥିତି, କେତେ ଦାରୁଣ ସେ ଦୁଃଖ ? ଜଣଙ୍କୁ ହରାଇ ପରିବାର ହାରିଯାଇଥିବା ବେଳେ ଆଉ ଜଣଙ୍କୁ ପୁଣି ହରେଇବା… ଜଣଙ୍କ ପାଇଁ ଆଖିର ଲୁହ ଶୁଖି ନଥିବା ବେଳେ ଅନ୍ୟ ଜଣଙ୍କ ପାଇଁ ପୁଣି ବତୁରା ଆଖିରୁ ଲୁହ ନିଗିଡି ପଡିବା କେତେ ଯେ ଦୟନୀୟ ଦୁଃଖ ତାହା ଭୋଗୁଥିବା ପରିବାର ହିଁ ଜାଣିଛି । ସେମିତି ଏକ ଦୁଃସମୟର ସାମ୍ନା କରିଛନ୍ତି ଦିବଙ୍ଗତ ନେତା ଅଜିତ ମଙ୍ଗରାଜଙ୍କ ପରିବାର ଲୋକେ…

ଅଜିତ ମଙ୍ଗରାଜଙ୍କ ଦେହାନ୍ତର ଦୁଇ ଦିନ ପରେ ଆଖିବୁଜିଛନ୍ତି ତାଙ୍କ ମାଆ । କରୋନାରେ କବଳିତ ମାଆ ପୁଅ ଯିବାର ଦୁଇ ପରେ ତା ପଛେ ପଛେ ମୃତ୍ୟୁର ଉପତ୍ୟାକାକୁ ଚାଲିଯାଇଛନ୍ତି । ଆଉ ପୁଅ ପାଖକୁ ମାଆକୁ ନେଇଯାଇଛି ଏ ନିଷ୍ଠୁର ମହାମାରୀ । କରୋନାରେ ସଂକ୍ରମିତ ହୋଇ ଅଜିତଙ୍କ ମାଆ କ୍ଷେତ୍ରମଣି ମଙ୍ଗରାଜଙ୍କ ମୃତ୍ୟୁ ହୋଇଛି । ଗତ ୧୪ ତାରିଖ ଦିନ ପିପିଲିର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ମୃତ୍ୟୁ ହୋଇଥିଲା । କରୋନା ସଂକ୍ରମିତ ହୋଇ ଗତ ୧୦ରୁ ସେ ଚିକିିତ୍ସିତ ହେଉଥିଲେ ବି ୧୪ ତାରିଖ ଦିନ ତାଙ୍କର ପରଲୋକ ଘଟିଥିଲା । ଆଉ ପୁଅ ଯିବାର ଠିକ୍ ଦୁଇ ଦିନ ପରେ ହିଁ ଆଖି ବୁଜିଛନ୍ତି ତାଙ୍କ ମାଆ । ସେ ବି ଦୀର୍ଘଦିନ ହେବ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଆଉ ଶେଷରେ ଆଜି ତାଙ୍କର ଦେହାନ୍ତ ହୋଇଛି ।

ଅନ୍ୟପଟେ ପରିବାରର ଦୁଇ ଦୁଇ ଜଣ ସଦସ୍ୟଙ୍କୁ ହରାଇ ହାରିଯାଇଛି ପରିବାର । ୪ ଦିନ ଭିତରେ ୨ ଜଣ ଛାଡି ଚାଲିଯିବା ଘଟଣା ପରିବାର ସଦସ୍ୟଙ୍କୁ ସ୍ଥାଣୁ କରିଦେଇଛି । କାହାରି ମୁହଁରୁ କଥା ପଦେ ବାହାରୁନି, ସେମାନଙ୍କ ସହ କଣ ଘଟିଯାଉଛି କେହି କିଛି ବୁଝି ପାରୁ ନାହାନ୍ତି । ଆଖି ଆଗରେ ମାଆପୁଅଙ୍କୁ ହରାଇ ତୁନି ପଡିଯାଇଛି ପୂରା ପରିବାର । ଗୋଟିଏ ଦୁଃଖର ଦାଗ ଲିଭି ନଥିବା ବେଳେ ଆଉ ଏକ ଦୁଃଖର ପାହାଡ ସେମାନଙ୍କ ଉପରେ ଧସିଯାଇଛି । ଗତବର୍ଷ କରୋନା ଗୋଟେ ଗୋଟେ ପରିବାର ଉଜାଡିଦେବା ଖବର ଶୁଣିଥିଲୁ ହେଲେ ଏବର୍ଷ ପୁଣି ଥରେ ସେସବୁ ଆଖି ଆଗରେ ସତ ହେଇଯାଉଛି ।

ହୁଏତ ଅଜିତ ଯଦି ଆଖି ବୁଜିନଥାନ୍ତେ ତାହାଲେ ଆଜି ପିପିଲିରେ ପଡିଥାନ୍ତା ଭୋଟ । ପୁଅ ଜିତିବାର ଆଶା ନେଇ ମାଆ ଆଉ କିଛି ଦିନ, କିଛି ବର୍ଷ ବଞ୍ଚିଯାଇଥାନ୍ତା । ହେଲେ ନିର୍ବାଚନ ତାରିଖ ଦିନ ହିଁ ଉଡିଗଲା ନିଶ୍ୱାସ, ଜଳିଗଲା ଜୀବନ । ସଂକ୍ରମଣର ସ୍ରୋତରେ ସମାଧୀ ନେଲା ଗୋଟେ ମାଆ । ପୁଅକୁ କରୋନା ଯେଉଁ ବାଟରେ ନେଇଥିଲା ଠିକ୍ ସେହି ବାଟରେ ମାଆକୁ ନେଇଗଲା । ସତରେ ଅଜିତ ମଙ୍ଗରାଜଙ୍କ ପରିବାରରେ ଏବେ କେମିତି ବିତୁଥିବ ସମୟ । ଥରେ ଆଖିବୁଜି ଦେଖନ୍ତୁ ତାଙ୍କ ପରିବାରର ପରିସ୍ଥିତି କେମିତି ହୋଇଥିବ । ଭଗବାନ ଏମିତି କଷ୍ଟ ଆଉ କାହା ଜୀବନରେ ନଦିଅନ୍ତୁ…

ଅନ୍ୟପଟେ ଅଜିତଙ୍କ ମୃତ୍ୟୁ ପରେ ଅନେକ ନେତା କର୍ମୀ ଡରିବା ଆରମ୍ଭ କଲେଣି । ପ୍ରଚାର ବେଳେ ମାଳମାଳ ନେତାଙ୍କ ଭିତରେ ଅଜିତ ଯେମିତି ପ୍ରଚାର କରିଥିଲେ ଏବେ ତାଙ୍କ ମୃତ୍ୟୁ ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକ ଭୟଭୀତ ହେଲେଣି । କଂଗ୍ରେସର ହେଭିୱେଟ୍ ନେତା ହୁଅନ୍ତୁ ବା ସାମ୍ବାଦିକ ଯିଏ ଯିଏ ମଙ୍ଗରାଜଙ୍କ ସହ ମିଶିଥିଲେ ସମସ୍ତେ ସଂକ୍ରମିତ ହେବା ନେଇ ସନ୍ଦେହରେ ରହିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.