ଡଙ୍ଗା ଉପରେ ଠାକୁର..୨୧ ଦିନର ଚନ୍ଦନଯାତ୍ରା
ଆଜି ଅକ୍ଷୟ ତୃତୀୟା । ଏହି ଦିନ ଆରମ୍ଭ ହୋଇଥାଏ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା । ପ୍ରଥମ ଯାତ୍ରା ଭାବେ ଚନ୍ଦନଯାତ୍ରା ପାଇଁ ବାହାରନ୍ତି ଠାକୁର । ଆଉ ଆଜିର ଦିନରେ ହିଁ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ ହୋଇଥାଏ । ପ୍ରବଳ ଗରମ ଯୋଗୁଁ ଆଜିଠାରୁ ହିଁ ଶ୍ରୀମନ୍ଦିରରେ ଆରମ୍ଭ ହୁଏ ଚନ୍ଦନଲାଗୀ ବେଶ ଓ ଚନ୍ଦନଲାଗି ନୀତି । ଗରମରୁ ରକ୍ଷା ପାଇବାକୁ ଠାକୁରେ ଚନ୍ଦନ ବୋଳି ହୋଇ ନୌବିହାର କରିବାକୁ ନରେନ୍ଦ୍ର ପୁଷ୍କରିଣୀକୁ ଯାତ୍ରା କରିଥାନ୍ତି । ମହାପ୍ରଭୁଙ୍କ ପବିତ୍ର ଚନ୍ଦନ ଯାତ୍ରାର ପ୍ରମୁଖ ଅଂଶ ଚାପ ବା ନୌବିହାରରେ ବ୍ୟବହୃତ ବଡ ଚାପ ଓ ସାନ ଚାପ ଭଦ୍ରା ଓ ନନ୍ଦା ରୂପରେ ପରିଚିତ । ମହାପ୍ରଭୁଙ୍କ ଚଳନ୍ତୀ ପ୍ରତିମା ମଦନମୋହନ, ଶ୍ରୀଦେବୀ, ଭୂଦେବୀ, ରାମକୃଷ୍ଣଙ୍କ ସମେତ ପଞ୍ଚ ମହାଦେବ ଜମ୍ବେଶ୍ବର, ଲୋକନାଥ, କପାଳମୋଚନ, ମାର୍କଣ୍ଡେଶ୍ବର ଓ ନୀଳକଣ୍ଠେଶ୍ବର ଚନ୍ଦନଯାତ୍ରା ପାଇଁ ଶ୍ରୀମନ୍ଦିରରୁ ବାହାରି ବଡ଼ଦାଣ୍ଡ ଦେଇ ନରେନ୍ଦ୍ର ପୁଷ୍କରିଣୀଠାରେ ପହଞ୍ଚିବା ପରେ ନନ୍ଦା-ଭଦ୍ରାରେ ଚାପ ଖେଳିଥାନ୍ତି ।
ଦୁଇଟି ନୌକାକୁ ଯୋଡାଯାଇ ହଂସର ପକ୍ଷ ଓ ମୁଖ ସଂଯୋଗ କରି ଭାସମାନ ବିମାନ ବା ଚାପ ପ୍ରସ୍ତୁତ କରାଯାଏ । ବଡଚାପରେ ଦୁଇ ଧାଡି ସିଂହାସନ ପଡିଥାଏ । ଆଗ ଧାଡିରେ ରାମ ଓ କୃଷ୍ଣ ତଥା ପଛ ଧାଡିରେ ପଂଚ ମହାଦେବ ସର୍ବଶ୍ରୀ ଯମ୍ବେଶ୍ୱର ଦେବ, ଲୋକନାଥ ଦେବ, ମାର୍କଣ୍ଡେଶ୍ୱର ଦେବ, କପାଳମୋଚନ ଦେବ ଓ ନୀଳକଣ୍ଠେଶ୍ୱର ଦେବକୁ ବିଜେ କରାଯାଏ । ଶ୍ୱେତମଣ୍ଡଣୀରେ ଆବୃତ ମହାପ୍ରଭୁଙ୍କ ଚାପରେ ମଧ୍ୟଭାଗରେ ପଡିଥିବା ଗୋଟିଏ କାଷ୍ଠ ନିର୍ମିତ ସିଂହାସନରେ ଶ୍ରୀ ମଦନମୋହନ,ଭୂଦେବୀ ଓ ଶ୍ରୀଦେବୀଙ୍କୁ ବିଜେ କଲା ପରେ ନୌବିହାର ଅନୁଷ୍ଠିତ ହୁଏ ।
ଦିନ ଚାପରେ ଠାକୁରମାନେ ନରେନ୍ଦ୍ର ପୁଷ୍କରିଣୀକୁ ଗୋଟିଏ ଘେରା ପରିକ୍ରମା କଲା ପରେ ଚନ୍ଦନ ମଣ୍ଡପସ୍ଥ ଜଳକୁଣ୍ଡକୁ ବିଜେ କରନ୍ତି ।ଜଳକୁଣ୍ଡରୁ ଉଠି ଚନ୍ଦନ ମଣ୍ଡପରେ ବେଶ ଓ ଶୀତଳ ଭୋଗ ମଣୋହି ହୋଇଥାଏ । ପ୍ରତିମା ମାନେ ଚନ୍ଦନ ମଣ୍ଡପ ଜଗତି ଉପରକୁ ବିଜେ କରନ୍ତି । ସେଠାରେ ବେଶ ସରିବା ପରେ ଚନ୍ଦନ ଘର ସିଂହାସନକୁ ବିଜେ କରିଥାନ୍ତି । ସେଠାରେ ମାଣ୍ଡୁଅ ଭୋଗ ହୋଇଥାଏ । ମାଣ୍ଡୁଅ ଭୋଗ ପରେ ରାମ କୃଷ୍ଣ, ଶ୍ରୀମଦନମୋହନ,ଶ୍ରୀଦେବୀ, ଓ ଭୂଦେବୀ ଜଗତି ଉପରକୁ ବିଜେ କରନ୍ତି । ଜଗତି ଉପରେ ବିଡିଆ ମାଣୋହି ସରିବା ପରେ ରାତ୍ର ଚାପକୁ ବିଜେ କରନ୍ତି । ରାତ୍ର ଚାପରେ ନରେନ୍ଦ୍ର ପୁଷ୍କରିଣୀକୁ ତିନି ଘେରା ପରିକ୍ରମା କରିଥାନ୍ତି । ୨୧ ଦିନ ବ୍ୟାପୀ ଚାଲୁଥିବା ବାହାର ଚନ୍ଦନ ଯାତ୍ରାର ଅନ୍ତିମ ଦିବସ ବା ଭଉଁରୀ ଦିନ ଚାପ ସବୁ ନରେନ୍ଦ୍ର ପୁଷ୍କରିଣୀକୁ ୨୧ ଘେରା ପରିକ୍ରମା କରାଇଥାନ୍ତି ।
ପବିତ୍ର ଚନ୍ଦନଯାତ୍ରାର ନୌବିହାର ପାଇଁ ୫ଟି ଡଙ୍ଗା ବ୍ୟବହୃତ ହୁଏ । ଏହି ଡଙ୍ଗା ସବୁ ବର୍ଷେ ବ୍ୟାପୀ ନରେନ୍ଦ୍ର ପୁଷ୍କରିଣୀରେ ଜଳମଗ୍ନ ହୋଇଥାନ୍ତି ଓ ଅକ୍ଷୟ ତୃତୀୟା ପୂର୍ବରୁ ସେସବୁକୁ ପାଣିରୁ କଢାଯାଇ ରଂଗ କରାଯିବା ସହ ଚାପ ଖେଳ ନିମନ୍ତେ ସୁସଜ୍ୱିତ କରାଯାଇଥାଏ । ଚାରୋଟି ଡଙ୍ଗା ବଡ଼ ଓ ସାନ ଚାପରେ ବ୍ୟବହୃତ ହେଉଥିବା ସ୍ଥଳେ ଚାପର ଆଗରେ ଗୋଟିଏ ଡଙ୍ଗାରେ ବାଦ୍ୟକାର ମାନେ ପାରମ୍ପାରିକ ବଜନ୍ତରୀ ବା ବଜନ୍ତ୍ରୀ ବାଦ୍ୟ ପରିବେଷଣ କରିଥାନ୍ତି ।
ଚଳିତବର୍ଷ ଚନ୍ଦନଯାତ୍ରା ନୀତି ତଥା ପରମ୍ପରା ରକ୍ଷା ଉପରେ ଉଭୟ ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତ ଗୁରୁତ୍ବ ଦେଇଛନ୍ତି। ଚନ୍ଦନଯାତ୍ରା ପାଇଁ ନରେନ୍ଦ୍ର ପୁଷ୍କରିଣୀ ଚତୁଃପାର୍ଶ୍ବ ସହ ଶ୍ରୀମନ୍ଦିର ଫାଣ୍ଡି, ଶ୍ରୀମନ୍ଦିର କାର୍ୟ୍ୟାଳୟଠାରେ ୧୪୪ ଧାରା ଲାଗୁ କରାଯିବ। ଚନ୍ଦନ ଠାକୁର ଯିବା ବାଟ ଅର୍ଥାତ୍ ଶ୍ରୀମନ୍ଦିର ଫାଣ୍ଡିଠାରୁ ନରେନ୍ଦ୍ର ପୁଷ୍କରିଣୀ ପର୍ୟ୍ୟନ୍ତ ବଡ଼ଦାଣ୍ଡରେ ୧୪୪ ଧାରା ଜାରି ହେବ। ୨୧ ଦିନିଆ ଏହି ୧୪୪ ଧାରା ଲାଗୁ ସମୟରେ ଜନସାଧାରଣଙ୍କ ପ୍ରବେଶ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ନୀତି ସମ୍ପୃକ୍ତ ସେବକଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି।