୧୫ ବର୍ଷର ସଂପର୍କରେ ପଡିଲା ପୂର୍ଣ୍ଣଛେଦ
୧୫ ବର୍ଷର ସଂପର୍କରେ ପଡିବ ପୂର୍ଣ୍ଣଚ୍ଚେଦ । ଅଲଗା ହେବେ ବଲିଉଡ଼ ଅଭିନେତା ଅମୀର ଖାନ ଓ କିରଣ ରାଓ । ଅମୀର ଖାନ ଓ ତାଙ୍କର ଦ୍ୱିତୀୟ ପତ୍ନୀ କିରଣ ରାଓଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଛି । ଦୁହେଁ ଏନେଇ ଘୋଷଣା କରିଛନ୍ତି । ଏନେଇ ଅମୀର ଓ କିରଣ ମିଳିତ ଭାବେ ପ୍ରଶଂସକ ମାନଙ୍କୁ ସୂଚନା ଦେଇଛନ୍ତି । ମିଳିତ ଭାବେ ଦେଇଥିବା ବୟାନରେ କହିଛନ୍ତି ଯେ, ୧୫ ବର୍ଷରେ ସାଥୀ ହୋଇ ପୁରା ଜୀବନର ହସ ଓ ଖୁସିକୁ ଅନୁଭବ କରିଛୁ । ଦୁହିଁଙ୍କର ସଂପର୍କ ବିଶ୍ୱାସ, ସମ୍ମାନ ଏବଂ ଭଲପାଇବା ଦ୍ୱାରା ବଢିଛି । ଏବେ ଏକ ନୁଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛୁ ବୋଲି କହିଛନ୍ତି ଉଭୟ ।
ଉଭୟ କହିଛନ୍ତି , ଦୁହେଁ ଅନେକ ଦିନରୁ ଅଲଗା ହେବାକୁ ନିଷ୍ପତି ନେଇସାରିଥିଲେ । ଏନେଇ ଏବେ ସେମାନେ ଘୋଷଣା କରୁଥିବା କହିଛନ୍ତି । ଅଲଗା ହେବା ପରେ ବି ପୁଅ ଆଜାଦର ଯତ୍ନ ଏକାଠି ମିଶିକି ନେବେ ବୋଲି କହିଛନ୍ତି । ଅଲଗା ଅଲଗା ରହିଲେ ବି ଉଭୟଙ୍କ ଜୀବନକୁ ଏକ ବଡ ପରିବାର ଭାବେ ମନେ କରି ଦାୟୀତ୍ୱ ତୁଲାଇବେ । ଏହା ସହ ଫିଲ୍ମ ଏବଂ ଅନ୍ୟ ପ୍ରୋଜେକ୍ଟରେ ମଧ୍ୟ ଏକାଠି କାମ କରିବେ ବୋଲି କହିଛନ୍ତି । ଫିଲ୍ମ ଲଗନ ସେଟ୍ରେ ପ୍ରଥମେ ଅମୀର ଓ କିରଣଙ୍କ ସାକ୍ଷାତ ହୋଇଥିଲା । ଏହା ପରେ ୨୦୦୫ ଡିସେମ୍ବର ୨୮ରେ ଅମୀର ଖାନ ଓ କିରଣ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏହା ପରେ ସରୋଗେସି ଦ୍ୱାରା ୨୦୧୧ରେ ପୁଅ ଆଜାଦ ଜନ୍ମ ନେଇଥିଲା ।