ବେଙ୍ଗାଲୁରୁ: ଅଗଷ୍ଟ ମାସ ୨୭ ତାରିଖ ଭାରତୀୟ ମହାକାଶ ଗବେଷଣା ପାଇଁ ଏକ ସ୍ୱର୍ଣ୍ଣିମ ଦିନ । ଏହି ଦିନଟିରେ ଭାରତ ପାଇଥିବା ସଫଳତାକୁ ସ୍ମରଣୀୟ କରିବା ପାଇଁ ଏଣିକି ପ୍ରତ୍ୟେକ ବର୍ଷ ଅଗଷ୍ଟ ୨୭ ତାରିଖକୁ ଜାତୀୟ ମହାକାଶ ଦିବସ ବା ନାସନାଲ ସ୍ପେସ୍ ଡେ ଭାବରେ ପାଳନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି । ଆଜି ଗ୍ରୀସ୍ ଗସ୍ତରୁ ଫେରି ଚନ୍ଦ୍ରଯାନ-୩ର ବୈଜ୍ଞାନିକମାନଙ୍କୁ ଭେଟିବା ପାଇଁ ବାଙ୍ଗାଲୁରୁ ଗସ୍ତ କରବା ଅବସରରେ ପ୍ରଧାନମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ସେହିଭଳି ଯେଉଁ ସ୍ଥାନରେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ଅବତରଣ କରିଛି ସେହି ସ୍ଥାନଟିକୁ ଏଣିକି ‘ଶିବ ଶକ୍ତି’ ପଏଂଟ୍ ଭାବରେ ନାମିତ କରାଗଲା ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଇସ୍ରୋ’ର ‘ଟେଲିମେଟ୍ରି ଟ୍ରାକିଙ୍ଗ୍ ଆଣ୍ଡ୍ କମାଣ୍ଡ ନେଟ୍ୱାର୍କ ମିସନ୍ କଣ୍ଟ୍ରୋଲ କମ୍ପେ୍ଲକ୍ସ ଠାରେ ଚନ୍ଦ୍ରଯାନ-୩ ର ବୈଜ୍ଞାନିକମାନଙ୍କୁ ସାକ୍ଷାତ କରିଛନ୍ତି । ଯେଉଁସ୍ଥାନରେ ଚନ୍ଦ୍ରଯାନ-୨ ପହଞ୍ଚିଥିଲା ସେହି ସ୍ଥାନଟିକୁ ତ୍ରିରଙ୍ଗା ପଏଂଣ୍ଟ ଭାବରେ ଚିହ୍ନିତ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
‘ଇସ୍ରୋ’ ବୈଜ୍ଞାନିକମାନଙ୍କୁ ଭେଟିବେ ବୋଲି ପୂର୍ବରୁ ‘ଏକ୍ସ’ (ଟୁଇଟ୍) କରି ପ୍ରଧାନମନ୍ତ୍ରୀ ମୋଦୀ ଲେଖିଥିଲେ: ବେଙ୍ଗାଲୁରୁରେ ଅବତରଣ କଲି । ଚନ୍ଦ୍ରଯାନ-୩କୁ ସଫଳ କରି ଭାରତକୁ ଗୌରବାନ୍ୱିତ କରିଥିବା ‘ଇସ୍ରୋ’ର ଅସାଧାରଣ ବୈଜ୍ଞାନିକମାନଙ୍କୁ ଭେଟିବାକୁ ଯିବି । ମହାକାଶ କ୍ଷେତ୍ରରେ ଆମ ଦେଶର କୃତ୍ୱିତ୍ୱର ସାମର୍ଥ୍ୟ ହେଉଛି ସେମାନଙ୍କର ପ୍ରତିବଦ୍ଧତା ଓ ଅଦମ୍ୟ ଆଗ୍ରହ ।